ବିଏମ୍‌ସି ଅଫିସ୍‌ ଘେରିଲେ ବସ୍ତି ବାସିନ୍ଦା

ଆଗ ଘର ଦିଅ, ତା’ପରେ ଉଚ୍ଛେଦ କରିବ

ଭୁବନେଶ୍ୱର: ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୨ଟା। ଏହି ଦୁଇ ଘଣ୍ଟା ନା କେହି ବିଏମ୍‌ସି ମୁଖ୍ୟ କାର୍ଯ୍ୟାଳୟକୁ ପଶିପାରିଲେ ନା ବାହାରିପାରିଲେ। ପୂରା ବିଏମ୍‌ସି ବସ୍ତିବାସିନ୍ଦାଙ୍କ କବ୍‌ଜାରେ ରହିଲା। ବସ୍ତିବାସିନ୍ଦାଙ୍କ ଅଭିଯୋଗ ଥିଲା ରାସ୍ତା ସମ୍ପ୍ରସାରଣ ନାଁରେ ବିଏମ୍‌ସି କର୍ତୃପକ୍ଷ ଜାଣିଶୁଣି ଆମ ଘର ଭାଙ୍ଗୁଛନ୍ତି। ବିଏମ୍‌ସି ଉଚ୍ଛେଦ ବନ୍ଦ କରିବ ବୋଲି ପ୍ରତିଶ୍ରୁତି ଦେଲେ ଆମେ ହଟିବୁ।

ଏହିଭଳି ଢଙ୍ଗରେ ଆଜି ପୁନାମା ଗେଟ୍‌ ବସ୍ତିର ଶତାଧିକ ବାସିନ୍ଦା ବିଏମ୍‌ସି ମୁଖ୍ୟ କାର୍ଯ୍ୟାଳୟକୁ ପୂରା କବ୍‌ଜାକୁ ନେଇଯାଇଥିଲେ। ବସ୍ତି ବାସିନ୍ଦାଙ୍କ ଅଭିଯୋଗ ଥିଲା ଯେ, ସେମାନେ ରାଜୀବ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନଙ୍କର ବିପିଏଲ୍‌ କାର୍ଡ, ରାସନ୍‌ କାର୍ଡ ଅଛି। କିନ୍ତୁ ସେମାନଙ୍କୁ ଘର ମିଳୁନି। ପୁନାମା ଗେଟ୍‌ ନିକଟରୁ ବାପୁଜୀ ନଗର ଆଡ଼କୁ ରେଳ ଲାଇନ୍‌ କଡ଼ରେ ପ୍ରାୟ ୬୦ଫୁଟର ରାସ୍ତା ନିର୍ମାଣ ହେବାକୁ ଥିବାବେଳେ ରେଳ ଧାରଣାରୁ ପ୍ରାୟ ୧୫୦ଫୁଟ ଦୂରରେ ଥିବା ଘରଗୁଡ଼ିକୁ ଭାଙ୍ଗିବାକୁ କର୍ତୃପକ୍ଷ ଯୋଜନା କରିଛନ୍ତି। ଯଦି ବିଏମ୍‌ସି ଘର ଭାଙ୍ଗିବ ତାହା ପୂର୍ବରୁ ଆମକୁ ଘର ଦେଉ। ଆମକୁ ଘର ଦେଲେ ଆମେ ବସ୍ତି ଛାଡ଼ିଦେବୁ। ବସ୍ତି ବାସିନ୍ଦା ମୁଖ୍ୟ କାର୍ଯ୍ୟାଳୟର ତିନିଟି ଯାକ ଗେଟ୍‌ ବନ୍ଦ କରି ଭିତର ଓ ବାହାର ପାର୍ଶ୍ୱରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏପଟେ କାର୍ଯ୍ୟାଳୟ ଭିତରେ ମେୟର, ଅତିରିକ୍ତ କମିସନର, ଡେପୁଟି କମିସନରମାନଙ୍କ ସମେତ କର୍ମଚାରୀମାନେ ଏକରକମ ବନ୍ଦୀ ହେଲା ଭଳି ଥିଲେ। ଦୀର୍ଘ ସମୟ ଧରି ବିଏମ୍‌ସି କର୍ତୃପକ୍ଷ ବସ୍ତିବାସିନ୍ଦାଙ୍କ ସହ ଆଲୋଚନା ନ କରିବାରୁ ଉତ୍ତେଜିତ ବିକ୍ଷୋଭକାରୀ କାର୍ଯ୍ୟାଳୟରେ ତାଲା ପକାଇବା ସହ ଭଙ୍ଗାରୁଜା କରିବାକୁ ଉଦ୍ୟମ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିକ୍ଷୋଭକାରୀଙ୍କୁ ବୁଝାସୁଝା କରିଥିଲା। ଏହାପରେ ମେୟର୍‌ଙ୍କ ସହ ବସ୍ତି ବାସିନ୍ଦାଙ୍କ ପ୍ରତିନିଧି ଆଲୋଚନା କରିବା ପରେ ବସ୍ତିବାସିନ୍ଦା ଆନ୍ଦୋଳନ ପ୍ରତ୍ୟାହର କରିଥିଲେ। ଏନେଇ ମେୟର ଅନନ୍ତ ନାରାୟଣ ଜେନା କହିଛନ୍ତି ଯେ, ବସ୍ତିବାସିନ୍ଦା ସେମାନଙ୍କ ଅଭିଯୋଗ ଜଣାଇଛନ୍ତି। ଖୁବ୍‌ ଶୀଘ୍ର ପୂର୍ତ ବିଭାଗ, ବିଏମ୍‌ସି ଏବଂ ପୂର୍ବତଟ ରେଳପଥର ଅଧିକାରୀମାନେ ମିଳିତ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦେବେ। ରିପୋର୍ଟ ମିଳିବା ପରେ ସେମାନଙ୍କୁ ଥଇଥାନ କରି ଉଚ୍ଛେଦ ହେବ।

ସମ୍ବନ୍ଧିତ ଖବର