ନିଖିଳ ଓଡ଼ିଶା ଲେଡି ମାଟ୍ରନ୍‌ ମହାସଂଘର ଗଣଧାରଣା

ଭୁବନେଶ୍ୱର: ୬ ଦଫା ଦାବି ନେଇ ଆଜି ନିଖିଳ ଓଡ଼ିଶା ଲେଡ଼ି ମାଟ୍ରନ୍‌ ମହାସଂଘ ତରଫରୁ ଏକ ବିଶାଳ ଏକଦିବସୀୟ ଗଣଧାରଣା ଲୋୟର ପିଏମ୍‌ଜିଠାରେ ଅନୁଷ୍ଠିତ ହୋଇଯାଇଛି। ସଂଘର ଆବାହକ ସଂଗ୍ରାମ ଶତପଥୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଗଣଧାରଣାରେ ୩୦ଟି ଜିଲ୍ଲାରୁ ଶତାଧିକ ମ୍ୟାଟ୍ରମାନେ ଯୋଗଦେଇ ସେମାନଙ୍କ ଦାବି ଜଣାଇଥିଲେ। ଦାବିଗୁଡ଼ିକ ମଧ୍ୟରେ ଦରମା ସାଢ଼େ ୭ହଜାରରୁ ୧୫ ହଜାରକୁ ବୃଦ୍ଧି କରିବା, ନିର୍ଦ୍ଦିଷ୍ଟ ସମୟ କାମକରିବା ପରେ ସ୍ଥାୟୀ ନିଯୁକ୍ତି ଦେବା, ବେତନକୁ ନିୟମିତ ଭାବେ ପ୍ରଦାନ କରିବା, କୌଣସି ସମସ୍ୟା ଘଟିଲେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉ, ହଷ୍ଟେଲମାନଙ୍କରେ ରହିବାପାଇଁ ମାଟ୍ରନ୍‌ମାନଙ୍କୁ ଘର ଦିଆଯାଉ ଏବଂ ଚାକିରି ନବୀକରଣ ଦାୟିତ୍ୱ ପ୍ରଧାନ ଶିକ୍ଷକଙ୍କ ବଦଳରେ ସରକାରୀ କର୍ମଚାରୀଙ୍କୁ ଦିଆଯାଉ ବୋଲି ସଂଘ ଦାବି କରିଛି।

ସୁଜାତା ଭୂୟାଁଙ୍କ ନେତୃତ୍ୱରେ ଏକ ୫ଜଣିଆ ନେତୃମଣ୍ଡଳୀ ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗର ନିର୍ଦ୍ଦେଶକ ପବିତ୍ର ମଣ୍ଡଳଙ୍କୁ ସାକ୍ଷାତ କରି ସେମାନଙ୍କ ସମସ୍ୟା ଉପସ୍ଥାପନ କରିଥିଲେ। ନିର୍ଦ୍ଦେଶକ ଶ୍ରୀ ମଣ୍ଡଳ ମାଟ୍ରନ୍‌ମାନଙ୍କ ଦାବି ଉପରେ ସରକାରଙ୍କ ସହ ଆଲୋଚନା କରି ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆଜି ଗଣଧାରଣାରୁ ଓହରିଥିଲେ। ଯଦି ଦାବିକୁ ତୁରନ୍ତ ପୂରଣ କରା ନଯାଏ ତେବେ ଆଗାମୀଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ମହାସଂଘ ଚେତାବନୀ ଦେଇଛି। ଗଣଧାରଣାରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାନେତ୍ରୀ ସସ୍ମିତା ସାହୁ, ସାଧାରଣ ସମ୍ପାଦିକା ସ୍ନେହଲତା ମହାନ୍ତି, କୋଷାଧ୍ୟକ୍ଷା ମମତା ତରାଇ, ଏକ୍‌ଜ୍ୟୁକେଟିଭ ବଡ଼ି ମେମ୍ବର ସଂଯୁକ୍ତା ରାଜ, ହରପ୍ରିୟା ମହାନ୍ତି, ସହ ସମ୍ପାଦିକା ଝରଣା ମହନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର