ବାଲିପାଟଣା: ବନମାଳୀପୁର ଅଞ୍ଚଳରେ ଚାଲିଥିବା ଚୋରା ମଦ ବେପାରକୁ ନେଇ ସ୍ଥାନୀୟ ଲୋକେ ଆନ୍ଦୋଳନ ଜାରି ରଖିଥିବା ବେଳେ ଆଜି ଅବକାରୀ ବିଭାଗର ବିଚିତ୍ର ଚଢ଼ଉ ଲୋକଙ୍କୁ ବିସ୍ମିତ କରିଛି। ଅବକାରୀ ସ୍କ୍ବାଡ୍ ଆଜି ପତିତପାବନପାଟଣାରେ ପହଞ୍ଚି ମଦ ବେପାରୀଙ୍କ ଆଡ଼ାରେ ଚଢ଼ଉ କରିବା ପୂର୍ବରୁ ଗାଁ ଲୋକଙ୍କ ସହ ଆଲୋଚନା କରିଥିଲା। ପରେ ଚଢ଼ଉ କଲାବେଳକୁ ମଦ ବେପାରୀମାନଙ୍କ ଗୋଦାମ ଫାଙ୍କା ହୋଇଯାଇଥିଲା। ତେଣୁ ଅବକାରୀ ସ୍କ୍ବାଡ୍ ଖାଲି ହାତରେ ଫେରିଲା। ତେବେ ଆଗକୁ କେବେ ବି ସେମାନଙ୍କ ବିରୋଧରେ ଅଭିଯୋଗ ଆସିଲେ, ସେମାନଙ୍କୁ ମିଳୁଥିବା ସମସ୍ତ ସରକାରୀ ସହାୟତା ବନ୍ଦ କରାଯିବ ବୋଲି ଅବକାରୀ ସ୍କ୍ବାଡ୍ ଚେତାବନୀ ଦେଇଛି। କିନ୍ତୁ ଅବକାରୀ ସ୍କ୍ବାଡ୍ର ଏଭଳି ଚଢ଼ଉକୁ ନାପସନ୍ଦ କରିଛନ୍ତି ସ୍ଥାନୀୟ ଲୋକେ। ଅତର୍କିତ ଚଢ଼ଉ ନ କରିବା ମଦ ବେପାରୀଙ୍କୁ ସୁହାଇଲା ବୋଲି ସେମାନେ ଅଭିଯୋଗ କରିଛନ୍ତି।
ଗତ ରବିବାରଠାରୁ ଭାକରସାହି ଓ ମଝିହରା ପଞ୍ଚାୟତର ୧୨ଖଣ୍ଡ ମୌଜାର ଲୋକେ ମଦ ବେପାରୀଙ୍କ ବିରୋଧରେ ବାହାରିଛନ୍ତି। ସେମାନେ ପ୍ରଥମେ ବାଲିପାଟଣା ଥାନାରେ ଅଭିଯୋଗ କରିଥିଲେ। ମାତ୍ର କିଛି ସୁଫଳ ନ ମିଳିବାରୁ ଗତକାଲି ରାତିରେ ଏକ ଜରୁରୀ ବୈଠକରେ ଏକତ୍ର ହୋଇଥିଲେ। ମଦ ବେପାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆ ନଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁରହିବ ବୋଲି ଶପଥ ନେଇଥିଲେ। ତେଣୁ ଆଜି ପତିତପାବନପାଟଣା ଗାଁରେ ଶତାଧିକ ମହିଳା, ପୁରୁଷ, ଛାତ୍ରଛାତ୍ରୀ ରୁଣ୍ଡ ହୋଇଥିଲେ। ହାତରେ ପ୍ଲା-କାର୍ଡ ଧରି ମଦ ବେପାରୀଙ୍କ ବିରୋଧରେ ନାରାବାଜି କରିଥିଲେ। ଏଥିସହିତ ସେମାନେ ବାଲିପାଟଣା ଥାନା ପୁଲିସ ବିରୋଧରେ ମଧ୍ୟ ବର୍ଷିଥିଲେ। ପୁଲିସ ମଦ ବେପାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେଇ ପାଲଟା ଗାଁ ଲୋକଙ୍କୁ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ମିଛ ଦଳିତ ବିରୋଧୀ ମାମଲାରେ ଫସାଇବ ବୋଲି ଧମକ ଦେଉଥିବା ନେଇ ଆନ୍ଦୋଳନକାରୀମାନେ ନିନ୍ଦା କରିଥିଲେ।
ସେପଟେ ରାଜ୍ୟ ଅଭିଭାବକ ମହାସଂଘ ସଭାପତି ବାସୁଦେବ ଭଟ୍ଟ ମଧ୍ୟ ମଦ ବେପାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ମାନବାଧିକାର କମିସନଙ୍କୁ ଦାବିପତ୍ର ଦେଇଛନ୍ତି। ପୁଲିସ ଓ ଅବକାରୀ ବିଭାଗ ବିରୋଧରେ ୧୨ ମୌଜାର ଲୋକେ ରାସ୍ତାକୁ ଓହ୍ଲାଇଥିବା ବେଳେ ଆଜି ଅବକାରୀ ସ୍କାଡ୍ ପତିତପାବନପାଟଣାରେ ପହଞ୍ଚିଥିଲା। ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ରାଜ୍ଶେଖର ସ୍ବାଇଁଙ୍କ ନେତୃତ୍ବରେ ଏକ ସ୍କ୍ବାଡ୍ ପହଞ୍ଚିଥିଲା। ସ୍କ୍ବାଡ୍ ପ୍ରଥମେ ଗାଁ ମଠରେ ବସି ଲୋକଙ୍କ ସହ ଆଲୋଚନା କରିଥିଲା। ଏହାପରେ ମଦ ବେପାରୀଙ୍କ ଘରକୁ ସ୍କ୍ବାଡ୍ ଯାଇଥିଲା। ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଶ୍ରୀ ସ୍ବାଇଁ କହିଛନ୍ତି ଯେ ଆଜି ଚଢ଼ଉ ବେଳେ ମଦ ଜବତ କରାଯାଇନାହିଁ। କିନ୍ତୁ ସେମାନଙ୍କୁ ଚେତାବନୀ ଦିଆଯାଇଛି। ଆଗକୁ ସେମାନେ ମଦ ବେପାର କରୁଥିବାର ପ୍ରମାଣ ମିଳିଲେ, ସେମାନଙ୍କୁ ମିଳିଥିବା ରାସନ୍ କାର୍ଡ ଓ ଅନ୍ୟାନ୍ୟ ସମସ୍ତ ସରକାରୀ ସହାୟତା ବାତିଲ କରାଯିବ।