ବିଏମ୍‌ସିର ଅଜବ ନୀତି: ଭଲ ରାସ୍ତାକୁ ଖୋଳି ଛାଡ଼ି ଦେଲେ, ନିମ୍ନମାନର ‌ପେଭର୍‌ ବ୍ଲକ ପାଇଁ କାମ ବନ୍ଦ

ସିଟି ଇଂଜିନିୟର ଜାଣି ପାରୁନାହାନ୍ତି, ଠିକା ସଂସ୍ଥା ତଥ୍ୟରେ ‌ଚାଲିଛି କାମ

ଭୁବନେଶ୍ବର : ରାସ୍ତାରୁ କଂକ୍ରିଟ୍‌, ପିଚୁ ଉଠିଗଲାଣି। ଖାଲଖମା ହୋଇ ଧୂଳି ଉଡ଼ୁଛି। ଯେତେ ଅଭିଯୋଗ କଲେ ବି କେହି ଶୁଣୁ ନାହାନ୍ତି। ମରାମତି ତ ଦୂରର କଥା, ମାଟି ମୁଠାଏ ବି ପଡ଼ୁନି। ଅଥଚ ଭଲ ରାସ୍ତାରେ ମରାମତି, ସୌନ୍ଦର୍ଯ୍ୟୀକରଣ ନାଁରେ ବିଲ୍‌ ଉପରେ ବିଲ୍‌ କରାଯାଉଛି। ସୌନ୍ଦର୍ଯ୍ୟୀକରଣ ନାଁରେ ୬ ମାସ ତଳେ ହୋଇଥିବା ପିଚୁ ରାସ୍ତାକୁ ଖୋଳି ତାଡ଼ି ଦିଆଯାଉଛି। ଏହାର ସଦ୍ୟ ଉଦାହରଣ ୱାର୍ଡ ନଂ-୨୯ ଅଞ୍ଚଳରେ ସହିଦନଗର ଥାନା ପଛପଟ ରାସ୍ତାରେ ଦେଖିବାକୁ ମିଳିଛି। ପେଭର୍‌ ବ୍ଲକ୍‌ ପକାଇବା ନାଁରେ ୬ ମାସ ତଳେ ହୋଇଥିବା ପିଚୁ ରାସ୍ତାକୁ ତାଡ଼ି ଦିଆଯାଇଥିବା ବେଳେ ପାଖାପାଖି ୨୦ ଦିନ ହେବ କାମ ବନ୍ଦ ପଡ଼ିଛି। ଫଳରେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ସୂଚନାନୁଯାୟୀ, ରାସ୍ତାଟି କିଛି ଦିନ ତଳେ ମରାମତି ହୋଇଥିଲା। ଲକ୍ଷ ଲକ୍ଷ ଟଙ୍କା ‌ବ୍ୟୟ ଅଟକଳରେ ପିଚୁ କରାଯାଇଥିଲା। କିନ୍ତୁ ମରାମତିକୁ ୬ ମାସ ନ ପୂରୁଣୁ ପୁଣି ଉକ୍ତ ରାସ୍ତାରେ ପେଭର ବ୍ଲକ୍‌ ବିଛାଇବା ପାଇଁ କାମ ଆରମ୍ଭ ହୋଇଯାଇଛି। ଯଦିଓ ରାସ୍ତାଟି ସମ୍ପୂର୍ଣ୍ଣ ଭଲ ଥିଲା, ଜାନୁଆରିରେ ମହାରାଜା ହଲ୍‌ ସମ୍ମୁଖରୁ ଶୀତଲ ହୋଟେଲ୍‌ ପଛପଟ ପର୍ଯ୍ୟନ୍ତ ପାଖାପାଖି ୪ଶହ ମିଟର ରାସ୍ତାକୁ ମେସିନ୍‌ ଲଗାଇ ଖୋଳି ଦିଆଗଲା। ଭଲ ରାସ୍ତାକୁ ଖୋଳା ଯାଉଥିବାରୁ ସ୍ଥାନୀୟ ଲୋକ କିଛି ବୁଝିପାରି ନଥିଲେ। କିଛି ଦିନ ପରେ ବାଲି ମେଟାଲ୍‌ ପକାଇ ଶହେ ମିଟର ରାସ୍ତାରେ ପେଭର୍‌ ବ୍ଲକ ପକାଇଲେ। ଏବେ ବାକି ୩ ଶହ ମିଟର ରାସ୍ତାକୁ ସେମିତି ଛାଡ଼ି ଦିଆଯାଇଛି। ପାଖାପାଖି ୧୫-୨୦ ଦିନ ହେବ, ଆଉ କାହାରି ଦେଖାଦର୍ଶନ ମିଳୁ ନାହିଁ। ଭଲ ରାସ୍ତାକୁ ଖୋଳିଦେବା ଫଳରେ ଲୋକ ଯିବା ଆସିବାରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବାଲି ଯୋଗୁଁ ଗାଡ଼ି ଚକା ଦବିଯାଇ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି। ଏହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଲୋକମାନେ ଟ୍ବିଟରରେ ଅସନ୍ତୋଷ ଝାଡ଼ିଛନ୍ତି।

ଉକ୍ତ ରାସ୍ତା ପାଇଁ ଜାନୁଆରି ୪ ତାରିଖରେ ଏକ ଠିକା ସଂସ୍ଥାକୁ କାର୍ଯ୍ୟାଦେଶ ମିଳିଥିଲା। ୪ଶହ ମିଟର ରାସ୍ତାରେ ପେଭର୍‌ ବ୍ଲକ ପକାଇବା ପାଇଁ ୩୦ ଲକ୍ଷ ଟଙ୍କାର ଟେଣ୍ଡର୍‌ ହୋଇଥିଲା। ହେଲେ ଠିକା ସଂସ୍ଥା ବ୍ୟବହାର କରୁଥିବା ପେଭର୍‌ ବ୍ଲକ୍‌ ନିମ୍ନମାନର ଥିବା ଯାଞ୍ଚ ବେଳେ ଜଣାପଡ଼ିବାରୁ କାମକୁ ବନ୍ଦ କରାଯାଇଛି। ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ ବୋଲି ବିଏମ୍‌ସି ଉପଖଣ୍ଡ-୨ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ମିଶ୍ର କହିଛନ୍ତି।

ଗୁରୁତ୍ବପୂର୍ଣ୍ଣ କଥା ହେଲା, କେଉଁଠି କ’ଣ କାମ ହେଉଛି, ସିଟି ଇଂଜିନିୟର୍‌ ଘଟଣା ବିଷୟରେ କିଛି ଜାଣି ପାରୁନାହାନ୍ତି। ଆଉ କ୍ଷେତ୍ର ପରିଦର୍ଶନ ବି ହେଉନି। ପ୍ରକୃତରେ ରାସ୍ତାଗୁଡ଼ିକ ଖରାପ ଅଛି ନା ଭଲ, ତାହା ବି ଯାଞ୍ଚ ହେଉନି। ଠିକାସଂସ୍ଥା ଯାହା ରିପୋର୍ଟ ଦେଉଛନ୍ତି, ତାକୁ ଆଧାର କରି କାର୍ଯ୍ୟ‌ ହେଉଛି। ଏହାର ବାସ୍ତବ ବାସ୍ତବ ଚିତ୍ର ମହାରାଜା ହଲ୍‌ ‌ରାସ୍ତା ପ୍ରମାଣ କରୁଛି।

ସମ୍ବନ୍ଧିତ ଖବର