କମିସନରେଟ୍‌ ପୁଲିସରେ ବିଚିତ୍ର ସ୍ଥିତି: ବଢ଼ୁଛି ଅନ୍ତଃକନ୍ଦଳ, ରହୁନି ସମନ୍ବୟ

ପଦୋନ୍ନତି ପ‌ରେ ବି ଗାଦି ଛାଡ଼ୁନାହାନ୍ତି ଅଧିକାରୀ, ଫାଟର ସୁଯୋଗ ନେଉଛନ୍ତି ଅପରାଧୀ

ଭୁବନେଶ୍ବର: କମିସନରେଟ୍‌ ପୁଲିସ୍‌ ବ୍ୟବସ୍ଥାରେ ଏବେ ବିଚିତ୍ର ସ୍ଥିତି ଦେଖିବାକୁ ମିଳୁଛି। ପଦୋନ୍ନତି ପରେ ବି ତଳ ପାହ୍ୟାର ପଦବିରେ ଅଧିକାରୀମାନେ ଗାଦି ମାଡ଼ି ବସିଛନ୍ତି। ପୁଣି କିଛି ଅଧିକାରୀ ପୁଲିସ ବ୍ୟବସ୍ଥାରେ ଏକାଧିକ ପଦବି ଜାବୁଡ଼ି ବସିଛନ୍ତି। ଆଉ କିଛି ଅଧିକାରୀ କାମ ପାଉନାହାନ୍ତି। ଏମିତି ସ୍ଥିତିରେ କମିସନରେଟ୍ ପୁଲିସ୍‌ରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସରକାରଙ୍କର ସବୁଠାରୁ ଶୃଙ୍ଖଳିତ ବିଭାଗ କୁହାଯାଉଥିବା ପୁଲିସ ବିଭାଗରେ ଏପରି ବିଶୃଙ୍ଖଳା ଏବେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି।

ଭୁବନେଶ୍ବରରେ ୫ ଜଣ ଆଇଆଇସି ପଦୋନ୍ନତି ପାଇ ଏସିପି ପାହ୍ୟାକୁ ଯାଇଛନ୍ତି। ସେମାନେ ହେଲେ ଖାରବେଳନଗର ଥାନାର ଅରୁଣ ସ୍ବାଇଁ, ନନ୍ଦନକାନନ ଥାନାର ବିଶ୍ବରଞ୍ଜନ ସେନାପତି, ସହିଦନଗର ଥାନାର ହିମାଂଶୁ ଶେଖର ସ୍ବାଇଁ, ଚନ୍ଦ୍ରଶେଖରପୁର ଥାନାର ପ୍ରଦୀପ ରାଉତ ଓ କ୍ୟାପିଟାଲ୍‌ ଥାନାର ଗିରିଜା ଶଙ୍କର ଚକ୍ରବର୍ତ୍ତୀ। ପଦୋନ୍ନତି ପରେ ମଧ୍ୟ ଏହି ଅଧିକାରୀ ଆଇଆଇସି ଭାବେ କାର୍ଯ୍ୟ ତୁଲାଉଛନ୍ତି। ବାସ୍ତବରେ ସରକାରଙ୍କୁ ଯୋଗ୍ୟ ଆଇଆଇସି ମିଳୁ ନାହାନ୍ତି ନା କୌଣସି ଅଦୃଶ୍ୟ ଚାପରେ ସେମାନଙ୍କୁ ସେଠାରୁ ବଦଳାଯାଉ ନାହିଁ, ତାହା ବୁଝାପଡ଼ୁ ନାହିଁ। ଏମାନଙ୍କୁ ଉପର ପାହ୍ୟାରେ ନିଯୁକ୍ତି ଦିଆଯାଉ ନ ଥିବାରୁ ଥାନା ବାବୁ ହେବାକୁ ଚାହିଁ ବସିଥିବା ଅଧିକାରୀଙ୍କ ଧୈର୍ଯ୍ୟଚ୍ୟୁତି ଘଟୁଛି। ଆଉ କିଛି ଆଇଆଇସି ପାହ୍ୟାର ଅଧିକାରୀ ଏସିପି ପାହ୍ୟାକୁ ପଦୋନ୍ନତି ପାଇଥିଲେ ବି ସେମାନଙ୍କୁ ଡିସିପି ହେଡ୍‌କ୍ବାର୍ଟର୍‌ରେ କାମଚଳା ଦାୟିତ୍ବ ଦିଆଯାଇଛି। କିନ୍ତୁ କିଛି ଅଧିକାରୀ ଏକାଧିକ ପଦ ମାଡ଼ି ବସିଛନ୍ତି। ଏହାକୁ ନେଇ ବ୍ୟବସ୍ଥା‌ ଭିତରେ ଅସନ୍ତୋଷ ଦେଖାଦେଇଛି। ଏହି ଅସନ୍ତୋଷ ଏବେ ଖୋଲାଖୋଲି ପଦାକୁ ଆସିଲାଣି। ପୁଲିସର ଆଭ୍ୟନ୍ତରୀଣ ମହଲରୁ ମିଳିଥିବା ସୂଚନା ଅନୁଯାୟୀ କ୍ଷମତା ଲଢ଼େଇ ଏବେ ଜୋର୍‌ ଚାଲିଛି। ପଦବି ପାଇଁ ପରସ୍ପର ଭିତରେ ଟଣାଓଟରା ଚାଲିଛି। କେହି କାହା ମୁହଁ ଚାହିଁବା ସ୍ଥିତିରେ ନାହାନ୍ତି।

ଭୁବନେଶ୍ବରରେ ନୂଆ ଡିସିପି କାର୍ଯ୍ୟରେ ଯୋଗ ଦେଲା ପରେ ତାଙ୍କର ଖାସ୍ ଅଫିସର ହେବା ପାଇଁ ଲବି ଆରମ୍ଭ ହୋଇଗଲାଣି। ସବୁ କାମ ଛାଡ଼ି ଏବେ ଡିସିପିଙ୍କ ପାଖରେ କିଛି ଅଧିକାରୀ ଡେରା ପକାଇଛନ୍ତି। ପୂର୍ବ ଡିସିପିଙ୍କ ଖାସ୍ ଅଧିକାରୀମାନେ ନିଜର ଦବ୍‌ଦବା ଜାରି ରଖିବା ପାଇଁ ବି ଉଦ୍ୟମ ଚଳାଇଛନ୍ତି। ଖୁବ୍ ଶୀଘ୍ର ନୂଆ ଡିସିପି ତାଙ୍କ ଟିମ୍‌ ଗଠନ କରିବେ। ଏହି ଟିମ୍‌ରେ କିଏ କିଏ ରହିବେ, ତାହା ଉପରେ ପୂରା ପୁଲିସ ବିଭାଗର ନଜର ରହିଛି। ଆଉ ଏକ ଅଭାବନୀୟ ଘଟଣା ହେଲା ଦୁଇଟି ଥାନାରେ ଏ ଯାଏ ଆଇଆଇସି ନିଯୁକ୍ତି ହୋଇନାହାନ୍ତି। ତାହା ହେଲା ଇନ୍‌ଫୋଭ୍ୟାଲି ଓ ପାହାଳ। ଏଠାରେ ଏସ୍‌ଆଇ କାମ ଚଳାଉଛନ୍ତି। ଏହା ଦ୍ବାରା କମିସନରେଟ୍‌ ପୁଲିସ୍‌ ବ୍ୟବସ୍ଥା ଦୁର୍ବଳ ହେଉଛି ବୋଲି ମତପ୍ରକାଶ ପାଉଛି।

ଗତ କିଛି ଦିନ ହେଲା ରାଜଧାନୀରେ ଅପରାଧ ବଢ଼ିଚାଲିଛି। ଦିନ ଓ ରାତିରେ ହଣାକଟା କରି ସାଧାରଣ ଲୋକଙ୍କୁ ଲୁଟୁଛନ୍ତି ଅପରାଧୀ। ତାହା ପୁଣି କେତେବେଳେ ଡିସିପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତ ଥାନା ସମ୍ମୁଖ ରାଜପଥରେ। ହତ୍ୟା, ଗୁଳିକାଣ୍ଡ ବି ପୁଲିସ ନିଦ ହଜାଇ ଦେଇଛି। ଏଭଳି ପୁଳାପୁଳା ଘଟଣା ଘଟୁଥିଲେ ବି ଅପରାଧୀଙ୍କ ପତ୍ତା ମିଳୁନାହିଁ। ସାରା ସହରରେ ସିସିଟିଭି ରହିଛି। ସ୍ପେସାଲ୍‌ ସ୍କ୍ବାଡ୍‌କୁ ସବୁଠୁ ଶକ୍ତିଶାଳୀ କରାଯାଇଛି। ଅପରାଧୀଙ୍କ ଗତିବିଧିକୁ ଟ୍ରାକିଂ କରିବା ପାଇଁ ଅତ୍ୟା‌ଧୁନିକ ଜ୍ଞାନକୌଶଳ ଯୋଗାଇଦିଆଯଇଛି। ଜେଲ୍‌ ଫେରନ୍ତାଙ୍କ ଉପରେ ନଜର ରଖିବାକୁ ସ୍ବତନ୍ତ୍ର ଆପ୍‌ କରାଯାଇଛି। ଏହା ସତ୍ତ୍ବେ ଅପରାଧୀଙ୍କ ଟେର୍‌ ମିଳୁନି। ଏହା ସ୍ପଷ୍ଟଭାବେ ବୟାନ କରୁଛି ଯେ, କମିସନରେଟ୍‌ ପୁଲିସ ବ୍ୟବସ୍ଥା ଠିକ୍‌ ଚାଲୁନାହିଁ। ଦାୟିତ୍ବରେ ଥିବା ଅଧିକାରୀଙ୍କ ମଧ୍ୟରେ ସମନ୍ବୟର ଅଭାବ, ପରସ୍ପର ପ୍ରତି ଅବିଶ୍ବାସ, ପଦପଦବି ପାଇଁ ଗୋଡ଼ ଟଣା ନୀତି ଅପରାଧୀଙ୍କୁ ବେଶ୍‌ ସୁହାଉଛି। ପୁଲିସ ବ୍ୟବସ୍ଥାରେ ଫାଟ ପାଇଁ ବଳିପଡ଼ୁଛନ୍ତି ସାଧାରଣ ଜନତା। ସହରବାସୀଙ୍କ ପାଇଁ ଏହା ଏବେ ଚିନ୍ତାର କାରଣ ପାଲଟିଛି।

ସମ୍ବନ୍ଧିତ ଖବର