ରାଜଧାନୀରେ ବିଚିତ୍ର ପାଗ : ଦିନରେ ପ୍ରଚଣ୍ଡ ତାତି; ରାତିରେ କାକର ବର୍ଷା

୪ ଡିଗ୍ରି କମିଲା ତାତି, ଆଜିଠୁ ଆହୁରି କମିବ, କାଳବୈଶାଖୀ ସମ୍ଭାବନା

ଭୁବନେଶ୍ବର : ଦିନ ବେଳା ଆକାଶରୁ ନିଆଁ ବର୍ଷା ହେଉଛି। ରାଜଧାନୀ ଭୁବନେଶ୍ବର ବିଶ୍ବର ଉତ୍ତପ୍ତ ସହର ଭାବେ ରେକର୍ଡ କରୁଛି। ସଂଧ୍ୟା ୫ଟା ଯାଏ ତାତି ଏମିତି ରହୁଛି ଯେ ଦେହମୁଣ୍ଡ ସିଝିଯାଉଛି। କିନ୍ତୁ ରାତି ହେଲେ ପାଗ ବଦଳି ଯାଉଛି। ଥଣ୍ଡା ପବନ ବହିବା ସହ ଘନ କୁହୁଡ଼ି ଯୋଗୁଁ ରାସ୍ତା ଦେଖାଯାଉନି। ମଧ୍ୟରାତ୍ରି ବେଳକୁ ବାହାରେ ଥିବା ଗାଡ଼ି କାକରରେ ସମ୍ପୂର୍ଣ୍ଣ ଓଦା ହୋଇଯାଉଛି। ଦିନର ତାପମାତ୍ରା ଲଗାତାର କିଛି ଦିନ ହେବ ୪୦ ଡିଗ୍ରି ଉପରେ ରହୁଥିବା ବେଳେ ରାତିର ପାରଦ ୨୫/୨୬ ଡିଗ୍ରିକୁ ଖସିଯାଉଛି।ଗତ କିଛି ଦିନ ହେଲା ଏଭଳି ବିଚିତ୍ର ପାଗ ରାଜଧାନୀବାସୀଙ୍କୁ ଆଶ୍ଚର୍ଯ୍ୟ କରୁଛି।

ଦିନ ଓ ରାତିର ତାପମାତ୍ରାରେ ଏଭଳି ତାରତମ୍ୟକୁ ନେଇ ‌ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି, ଏବେ ରାଜ୍ୟରେ ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା ମଧ୍ୟରେ ଏକ ବଡ଼ ବ୍ୟବଧାନ ସୃଷ୍ଟି ହୋଇଛି। ଏଣୁ ଦିନରେ ଅତ୍ୟଧିକ ଗରମ ଅନୁଭୂତ ହେଉଥିବା ବେଳେ ରାତିରେ ଥଣ୍ଡା ବା ନାତିଶୀତୋଷ୍ଣ ପରିବେଶ ରହୁଛି। ନିୟମ ଅନୁସାରେ ତାପମାତ୍ରା ଅଧିକ ରହିଲେ ବାୟୁର ଆର୍ଦ୍ରତା ଧାରଣ‌ ଶକ୍ତି ବଢ଼ିଯାଏ। ଏଣୁ ଦିନରେ ଖରା ଯୋଗୁଁ ମାଟିରୁ ଓ ଗଛରୁ ବାଷ୍ପୀକରଣ ଘଟେ। ତାପମାତ୍ରା ଅଧିକ ଯୋଗୁଁ ବାୟୁ ଏହି ଜଳୀୟବାଷ୍ପ ଧାରଣ କରି ରଖେ। କିନ୍ତୁ ରାତ୍ରିର ତାପମାତ୍ରା କମ୍‌ ଯୋଗୁଁ ବାୟୁର ଆର୍ଦ୍ରତା ଧାରଣ ଶକ୍ତି କମିଯାଏ। ଫଳରେ ବାୟୁରେ ଥିବା ଜଳୀୟବାଷ୍ପ, ଜଳୀୟକଣାରେ ପରିଣତ ହୋଇ କୁହୁଡ଼ି ବା କାକର କଣା ରୂପେ ଏବେ ଦେଖାଯାଉଛି। ଏଥିସହ ଏବେ ଉପକୂଳକୁ ଦିନରେ ପଶ୍ଚିମା ପବନ ଓ ରାତିରେ ସାମୁଦ୍ରିକ ପବନ ପ୍ରବାହିତ ହେଉଛି। ପଶ୍ଚିମା ପବନ ଶୁଷ୍କ ଓ ଗରମ ହୋଇଥିବା ବେଳେ ସାମୁଦ୍ରିକ ପବନ ଥଣ୍ଡା ଓ ଆର୍ଦ୍ର। ରାତିରେ କାକର ଓ କୁହୁଡ଼ି ଦେଖାଯିବାର ଏହା ମଧ୍ୟ ଏକ କାରଣ। କିନ୍ତୁ ରାତ୍ରି ତାପମାତ୍ରାରେ ବୃଦ୍ଧି ଘଟିଲେ ଏଭଳି ଅବସ୍ଥା ଆଉ ଦେଖାଯିବ ନାହିଁ। ଏବେ ରାତ୍ରି ତାପମାତ୍ରା ସମଗ୍ର ରାଜ୍ୟରେ କମ୍‌ ରହିଛି। ଅନୁମାନ କରାଯାଉଛି ଆସନ୍ତା ୫ରୁ ୮ ତାରିଖ ମଧ୍ୟରେ ରାଜ୍ୟରେ ରାତ୍ରି ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ଫଳରେ ସର୍ବନିମ୍ନ ତାପମାତ୍ରା‌ ୨୮ ଡିଗ୍ରିକୁ ବୃଦ୍ଧି ପାଇବ। ତାପମାତ୍ରା ବଢ଼ିଲେ ବାୟୁରେ ଆର୍ଦ୍ରତା ଧାରଣ ଶକ୍ତି ବଢ଼ିଯିବ। ଫଳରେ କାକର ଓ କୁହୁଡ଼ିର ମାତ୍ରା କମିଯିବ ବୋଲି ‌ଡ. ପଶୁପାଳକ କହିଛନ୍ତି।

ସମ୍ବନ୍ଧିତ ଖବର