ପରକୀୟା ପ୍ରୀତି ସନ୍ଦେହ: ସ୍ତ୍ରୀ ଦେହରେ ନିଆଁ ଲଗାଇଦେଲା

୨ ଦିନ ପରେ ବନ୍ଦ ଘରୁ ଉଦ୍ଧାର କଲା ପୁଲିସ, ସ୍ବାମୀ ଗିରଫ

ଭୁବନେଶ୍ବର: ପରକୀୟା ପ୍ରୀତି ସନ୍ଦେହରେ ସବୁବେଳେ ସ୍ତ୍ରୀକୁ ପିଟୁଥିଲା। ପରଘରେ ପାଇଟି କରୁଥିବା ସ୍ତ୍ରୀର ରୋଜଗାରରେ ଚଳୁଥିଲେ ବି ତାକୁ ସନ୍ଦେହ ନଜରରେ ଦେଖୁଥିଲା। ଶେଷରେ ଜହ୍ଲାଦ ପାଲଟିଗଲା ଓ ସ୍ତ୍ରୀ ଦେହରେ କିରାସିନି ଢାଳି ନିଆଁ ଲଗାଇଦେଲା। ଏମିତିକି ଅର୍ଦ୍ଧଦଗ୍ଧ ଅବସ୍ଥାରେ ସ୍ତ୍ରୀକୁ ବନ୍ଦ ଘରେ ପକାଇ ନିର୍ଦ୍ଦୟ ସ୍ବାମୀ ଚାଲିଯାଇଥିଲା। ମାତ୍ର ସୌଭାଗ୍ୟକୁ ଦୁଇ ଦିନ ପରେ ପଡ଼ୋଶୀଙ୍କ ନଜର ପଡ଼ିଥିଲା ଓ ପୁଲିସ ମହିଳାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ଏବେ ମହିଳା ଜଣକ କଟକ ଏସ୍‌ସିବି ମେଡିକାଲରେ ଆଇସିୟୁରେ ମରଣ ସହ ଯୁଝୁଛନ୍ତି। ପୁଲିସ ଜହ୍ଲାଦ ସ୍ବାମୀକୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି। ଘଟଣାଟି ରାଜଧାନୀ ଉପକଣ୍ଠ ଇନ୍‌ଫୋଭ୍ୟାଲି ଥାନା ପିତାପଲ୍ଲୀ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ପୁଲିସ ସୂଚନାନୁସାରେ କେନ୍ଦୁଝର ସୋସୋ ଅଞ୍ଚଳର ମାର୍କଣ୍ଡ ହାଇବ୍ରୁ ଓ ତାଙ୍କ ସ୍ତ୍ରୀ ଭାରତୀ ଗତ ୪ ବର୍ଷ ହେବ ପିତାପଲ୍ଲୀ ଅଞ୍ଚଳରେ ରହୁଥିଲେ। ମାର୍କଣ୍ଡ କୌଣସି କାମଧନ୍ଦା କରୁନଥିଲା। କିନ୍ତୁ ସ୍ତ୍ରୀ ଭାରତୀ ପରଘରେ ପାଇଟି କରିବା ସହିତ ମୂଲମଜୁରି ଲାଗି ଘର ଚଳାଉଥିଲେ। ମାର୍କଣ୍ଡ କିନ୍ତୁ ଭାରତୀଙ୍କୁ ସନ୍ଦେହ ନଜରରେ ଦେଖୁଥିଲା। ପରକୀୟା ପ୍ରୀତି ଓ ଅନୈତିକ ସଂପର୍କ ରଖି ଟଙ୍କା ଉପାର୍ଜନ କରୁଛି ବୋଲି ଅଭିଯୋଗ କରି ଭାରତୀଙ୍କୁ ମାରଧର କରୁଥିଲା। ଗତ ୧୫ ତାରିଖ ବିଳମ୍ବିତ ରାତିରେ ମାର୍କଣ୍ଡ ମଦ ପିଇ ଘରକୁ ଆସିଥିଲା ଓ ସବୁଦିନ ଭଳି ପରକୀୟା ପ୍ରୀତି କଥା ଉଠାଇ ଭାରତୀଙ୍କୁ ପିଟିଥିଲା। ଶେଷରେ ତାଙ୍କ ଉପରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲା।

ଭାରତୀ ଚଟାଣରେ ପଡ଼ି ଛଟପଟ ହେଉଥିବା ବେଳେ ମାର୍କଣ୍ଡ ବାହାରୁ କବାଟ କିଳି ସେଠାରୁ ପଳାଇଥିଲା। ବେଶ୍ କିଛି ସମୟ ଛଟପଟ ହେବା ପରେ ଅର୍ଦ୍ଧଦଗ୍‌ଧ ଅବସ୍ଥାରେ ଭାରତୀ ସଂଜ୍ଞାହୀନ ହୋଇ ସେମିତି ଚଟାଣରେ ପଡ଼ି ରହିଥିଲେ। ଦୁଇ ଦିନ ଯାଏ ସ୍ବାମୀ-ସ୍ତ୍ରୀଙ୍କୁ ନଦେଖିବା ଓ କବାଟରେ ତାଲା ପଡ଼ିନଥିବାରୁ ପଡ଼ୋଶୀ ଆନନ୍ଦ ସ୍ବାଇଁଙ୍କର ସନ୍ଦେହ ହୋଇଥିଲା। କବାଟରେ ତାଲା ନପକାଇ ସେମାନେ କୁଆଡ଼େ ଗଲେ ବୋଲି ଆନନ୍ଦ କବାଟ ଖୋଲି ଦେଇଥିଲେ। ମାତ୍ର ଅର୍ଦ୍ଧଦଗ୍‌ଧ ଅବସ୍ଥାରେ ଭାରତୀଙ୍କ ଶରୀର ଚଟାଣରେ ପଡ଼ିଥିବା ଦେଖି ସେ ତୁରନ୍ତ ପୁଲିସକୁ ଖବର ଜଣାଇଥିଲେ। ଇନ୍‌ଫୋଭ୍ୟାଲି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ଭାରତୀ ବଞ୍ଚିଥିବା ଭାବି ତୁରନ୍ତ ଭୁବନେଶ୍ବର ଏମ୍‌ସ ନେଇଥିଲା। ଭାରତୀ ବଞ୍ଚିଥିବା ଜଣାପଡ଼ିବା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ସଂଜ୍ଞା ଫେରିବା ପରେ ପୁଲିସ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ତାଙ୍କ ବୟାନ୍‌ ରେକର୍ଡ କରିଥିଲା ଓ ସ୍ବାମୀ ମାର୍କଣ୍ଡର କାଣ୍ଡ ଜଣାପଡ଼ିଥିଲା। ଖୋଜାଖୋ‌ଜି କରି ପୁଲିସ ଗତ ରାତିରେ ମାର୍କଣ୍ଡକୁ ଚନ୍ଦକା ଅଞ୍ଚଳରୁ ଗିରଫ କରିଥିଲା।

ରଖେ ହରି ତ ମାରେ କିଏ…

ଜହ୍ଲାଦ ସ୍ବାମୀ ମାର୍କଣ୍ଡ ଗତ ୧୫ ତାରିଖରେ ଭାରତୀଙ୍କ ଦେହରେ ନିଆଁ ଲଗାଇ ଫେରାର୍ ହୋଇଯାଇଥିଲା। ସେ ମରି ଯାଇଥିବା ଭାବି ମାର୍କଣ୍ଡ କବାଟ କିଳି ପଳାଇଥିଲା। ଅର୍ଦ୍ଧଦଗ୍‌ଧ ଓ ସଂଜ୍ଞାହୀନ ଅବସ୍ଥାରେ ଭାରତୀ ସେମିତି ନିର୍ଜୀବ ଭଳି ଚଟାଣରେ ପଡ଼ି ରହିଥିଲେ। କିନ୍ତୁ ବିଧିର ବିଧାନ ଥିଲା ଭିନ୍ନ। ଦୁଇ ଦିନ କାଳ ଅଖିଆଅପିଆ ଅବସ୍ଥାରେ ଅର୍ଦ୍ଧଦଗ୍‌ଧ ଯନ୍ତ୍ରଣାରେ ବି ଭାରତୀ ବଞ୍ଚି ରହିଥିଲେ। ବଡ଼ କଥା ହେଉଛି ମୃତବତ୍‌ ପଡ଼ି ରହିଥିବା ଭାରତୀ ସାହାଯ୍ୟ ପାଇଁ ପାଟି କରି କାହାକୁ ଡାକି ପାରିନଥିଲେ। ହୁଏତ ଆଉ କିଛି ସମୟ ପରେ ତାଙ୍କ ମୃତ୍ୟୁ ଘଟିଥାଆନ୍ତା। ମାତ୍ର ଦେବଦୂତ ଭଳି ପହଞ୍ଚି ଯାଇଥିଲେ ପଡ଼ୋଶୀ ଆନନ୍ଦ।

ସମ୍ବନ୍ଧିତ ଖବର