ବୁଲା ଗୋରୁ, ଷଣ୍ଢଙ୍କ କବ୍‌ଜାରେ ଜାତୀୟ ରାଜପଥ, ବଢ଼ୁଛି ଦୁର୍ଘଟଣା

ବ୍ଲାକ ସ୍ପଟ୍‌ ଚିହ୍ନଟ କରି ପୁଲିସ ଚୁପ୍‌

କଟକ ମହାନଦୀ ଓଭରବ୍ରିଜ ଦୁର୍ଘଟଣା ପରେ ମଧ୍ୟ ଚେତି ନାହିଁ ପରିବହନ ବିଭାଗ, ରେଡିଅମ ଲଗାଇବାକୁ କାହାର ନିଘା ନାହିଁ, ବିଏମସି ଉପରେ ଦୋଷ ଲଦି ଚୁପ ହୋଇ ବସିଛି

ଭୁବନେଶ୍ବର : ୨୦୧୮ ନଭେମ୍ବର ୨୦ ତାରିଖ ସଂଧ୍ୟା। କଟକ ମହାନଦୀ ଓଭରବ୍ରିଜ ଉପରେ ଏକ ମଇଁଷିକୁ ଧକ୍କା ଦେଲା ଯାତ୍ରୀବାହୀ ବସ। ଭାରସାମ୍ୟ ହରାଇ ବସଟି ସିଧା ମହାନଦୀକୁ ଖସି ପଡ଼ିଥିଲା। ଏଥିରେ ୧୨ ଜଣଙ୍କ ମୃତ୍ୟୁ ଘଟିବା ସହିତ ୪୯ ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ଏହାକୁ ନେଇ ଜାତୀୟ ରାଜପଥ କର୍ତୃପକ୍ଷ,ପରିବହନ ବିଭାଗ ଓ କମିସନରେଟ ପୁଲିସ ପକ୍ଷରୁ ତୁମ୍ବି ତୁଫାନ କରାଯାଇଥିଲା। ଦୁର୍ଘଟଣାର କାରଣ ଖୋଜିବା ନେଇ ପରିବହନ ବିଭାଗର ଏକ ଉଚ୍ଚସ୍ତରୀୟ ଟିମ୍‌ ଗଠନ ହୋଇଥିଲା। ଜଣେ ଏମ୍‌ଭିଆଇ ଏ ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ କମିସନରେଟ ପୁଲିସ ଓ ପରିବହନ ବିଭାଗକୁ ଦେଇଥିଲେ। ଯେଉଁଥିରେ କୁହାଯାଇଥିଲା କି ମଇଁଷିକୁ ଅନ୍ଧାର ରାତିରେ ଦେଖି ନ ପାରି ବସ ଚାଳକ ଦୁର୍ଘଟଣା ଘଟାଇଥିଲେ। କେବଳ ମଇଁଷି କାହିଁକି, ଜାତୀୟ ରାଜପଥ ଉପରେ ମାଳମାଳ ବୁଲା ଗାଈଗୋରୁ ଓ ଷଣ୍ଢ ଅବାଧରେ ବୁଲୁଛନ୍ତି। ଏଥିପାଇଁ ପ୍ରଥମ ପଦକ୍ଷେପ ସ୍ବରୂପ ବୁଲା ଗାଈଗୋରୁ ଓ ଷଣ୍ଢମାନଙ୍କ ବେକରେ ରେଡିଅମ ଲଗାଯିବ। ଫଳରେ ଦୂରରୁ ସେମାନଙ୍କୁ ଚାଳକମାନେ ଦେଖି ପାରିବେ। ପରିବହନ ବିଭାଗ ପକ୍ଷରୁ ଜାତୀୟ ରାଜପଥ‌ ଉପରେ ବୁଲୁଥିବା ବୁଲା ଗାଈଗୋରୁ ଓ ଷଣ୍ଢମାନଙ୍କ ବେକ ଓ ଶିଙ୍ଗରେ ରେଡିଅମ୍‌ ଲଗା ଯାଇଥିଲା। ଏଭଳି କିଛି ଦିନ କରାଯିବା ପରେ ପରିବହନ ବିଭାଗ ଏବେ ଚୁପ ହୋଇ ବସି ପଡ଼ିଛି। ତେବେ ଏବେ ବି ଜାତୀୟ ରାଜପଥ ଉପରେ ମାଳମାଳ ଗୋରୁ, ଷଣ୍ଢ ବୁଲୁଛନ୍ତି। ଯେଉଁ କାରଣରୁ ଜାତୀୟ ରାଜପଥ ଉପରେ ଦୁର୍ଘଟଣା ବଢ଼ି ବଢ଼ି ଚାଲିଛି।

ଗତ ଦୁଇ ସପ୍ତାହ ମଧ୍ୟରେ ଭୁବନେଶ୍ବର ଦେଇ ଯାଇଥିବା ଜାତୀୟ ରାଜପଥ ଉପରେ ଦୁର୍ଘଟଣା ଘଟି ୧୩ ଜଣଙ୍କ ମୃତ୍ୟୁ ଘଟି ସାରିଲାଣି। ପରିବହନ ବିଭାଗ ଓ କମିସନରେଟ ପୁଲିସର ଅବହେଳା କାରଣରୁ ଏଭଳି ଦୁର୍ଘଟଣା ବଢ଼ି ଚାଲୁଥିବା ଅଭିଯୋଗ ହୋଇ ଆସୁଛି। ଗତ ସପ୍ତାହକ ତଳେ କମିସନରେଟ ପୁଲିସ ପକ୍ଷରୁ ଉଭୟ କଟକ ଓ ଭୁବନେଶ୍ବର ଡିସିପିଙ୍କୁ ପୁଲିସ କମିସନର ସତ୍ୟଜିତ ମହାନ୍ତି ନିର୍ଦେଶ ଦେଇଥିଲେ କି, ଜାତୀୟ ରାଜପଥରେ ଥିବା ବ୍ଲାକସ୍ପଟ ଚିହ୍ନଟ କରିବାକୁ। କମିସନେରଟ ପୁଲିସର ଟ୍ରାଫିକ ଡିସିପି ଯାଁଳାଠାରୁ ଆରମ୍ଭ କରି ପାହାଳ ପର୍ଯ୍ୟନ୍ତ ୫ଟି ସ୍ଥାନକୁ ବ୍ଲାକସ୍ପଟ ଚିହ୍ନଟ କରିଥିଲେ। ଏହି ସବୁ ସ୍ଥାନଗୁଡ଼ିକରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ରିପୋର୍ଟ ମଧ୍ୟ ପ୍ରଦାନ କରାଯାଇଥିଲା। ଜୟଦେହ ବିହାର ଛକରୁ ପାହାଳ ପର୍ଯ୍ୟନ୍ତ ଜାତୀୟ ରାଜପଥରେ ସ୍ଥିତି ସମୀକ୍ଷା କଲାବେଳେ ଆଉ ଏକ ଘଟଣା ପଦାକୁ ଆସିଥିଲା। ଯେଉଁଥିରେ ଦେଖିବାକୁ ମିଳିଥିଲା କି ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ମାଳମାଳ ଗାଈ ଗୋରୁ ଓ ଷଣ୍ଢ ବୁଲୁଛନ୍ତି। ଜୟଦେବ ବିହାର ଛକଠାରୁ ଆରମ୍ଭ କରି ହଂସାପଳ ଛକ ପର୍ଯ୍ୟନ୍ତ ଏମାନେ ବୁଲାବୁଲି କରିବା ସହିତ ରାସ୍ତା ପାର ହେଉଛନ୍ତି। ଅନେକ ସ୍ଥାନରେ ଜାତୀୟ ରାଜପଥ ଉପରେ ଶୋଇ ପଡ଼ୁଛନ୍ତି। ସେମାନଙ୍କ ବେକ କିମ୍ବା ଶିଙ୍ଗରେ ରେଡିଅମ ଲଗାଇବାକୁ କାହାର ମଧ୍ୟ ନିଘା ନାହିଁ। ଫଳରେ ଭାରୀଯାନ ଚାଳକମାନେ ଏମାନଙ୍କୁ ଦେଖି ନ ପାରି ଦୁର୍ଘଟଣା ଘଟାଉଛନ୍ତି।

ଏ ସମ୍ପର୍କରେ ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ପଚାରିବାରୁ ସେ କୁହନ୍ତି ସହର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥରୁ ବୁଲା ଗୋରୁ ଓ ଷଣ୍ଢଙ୍କୁ ବିଦା କରିବା କାମ ବିଏମ୍‌ସିର। କିନ୍ତୁ ବିଏମ୍‌ସି ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ। ଆର୍‌ଟିଓ ପିକେ ମହାନ୍ତି କୁହାନ୍ତି, ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ଆମ ବିଭାଗ ବ୍ୟସ୍ତ ରହୁଛି। ତେବେ ଆମେ ପୁଣି ଥରେ ଜାତୀୟ ରାଜପଥରେ ବୁଲା ଗୋରୁ ଓ ଷଣ୍ଢଙ୍କ ବେକ ଓ ଶିଙ୍ଗରେ ରେଡିଅମ ଲଗାଇବା କାମ ଆରମ୍ଭ କରିବୁ।

ବ୍ଲାକ ସ୍ପଟ୍‌ ଚିହ୍ନଟ କରି ପୁଲିସ ଚୁପ୍‌

ଗତ ସପ୍ତାହରେ ଜାତୀୟ ରାଜପଥ ଉପରେ ଦୁର୍ଘଟଣା ଘଟି ୯ ଜଣଙ୍କ ମୃତ୍ୟୁ ଘଟିବା ପରେ କମିସନରେଟ ପୁଲିସ ପକ୍ଷରୁ ଜାତୀୟ ରାଜପଥ ଉପରେ ବ୍ଲାକ ସ୍ପଟ୍ ଚିହ୍ନଟ କରିବାକୁ ଉଭୟ କଟକ ଓ ଭୁବନେଶ୍ବର ଡିସିପିଙ୍କୁ ନିର୍ଦେଶ ଦେଇଥିଲେ ପୁଲିସ କମିସନର। ଜାତୀୟ ରାଜପଥର ବାଟ ଭୁଆସୁଣୀ ମନ୍ଦିର ସମ୍ମୁଖ, ଆଇଗିଣିଆ ଛକ, ଆଚାର୍ଯ୍ୟ ବିହାର ଛକ, ହୋ‌ଟେଲ ସିଦ୍ଧାର୍ଥ ସମ୍ମୁଖ ଛକ, ପାହାଳ ଭଳି ୫ଟି ଛକକୁ ବ୍ଲାକସ୍ପଟ‌୍ ଘୋଷଣା କରିଥିଲା କମିସନରେଟ ପୁଲିସ। ଏହି ସବୁ ଛକଗୁଡ଼ିକରେ ମାସରେ ୫ରୁ ଅଧିକ ବଡ଼ ଧରଣର ଦୁର୍ଘଟଣା ଘଟୁଛି। କମିସନରେଟ ପୁଲିସ ପକ୍ଷରୁ ଏହା ପରେ ସ୍ଥିର କରାଯାଇଥିଲା ଯେ ଏହି ସବୁ ଛକରେ ସକାଳ ୯ରୁ ରାତି ୯ଟା ପର୍ଯ୍ୟନ୍ତ ବ୍ୟାରିକେଡ୍‌ ଲାଗିବ। ତେବେ ଦୁଇ ସହରର ଡିସିପି ରିପୋର୍ଟ ଦେବାର ୫ ଦିନ ବିତି ଗଲାଣି। କିନ୍ତୁ ଏଯାଏ କୌଣସି ବି ଗୋଟିଏ ଛକରେ ବ୍ୟାରିକେଡ୍‌ ଲାଗିନାହିଁ। ଜାତୀୟ ରାଜପଥ ଉପରେ ଭାରୀଯାନ ଚାଳକମାନେ ଯେମିତି ଦ୍ରୁତ ବେଗରେ ବାଇକ ଚଳାଇବା କଥା ଚଳାଉଛନ୍ତି। ପୁଲିସ କମିସନରଙ୍କ ଏହି ନି‌ର୍ଦେଶ ପରେ ମଧ୍ୟ ଖଣ୍ଡଗିରି ଓ ମଞ୍ଚେଶ୍ବର ଥାନା ଅଞ୍ଚଳରେ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ଘଟି ସାରିଲାଣି। ତେଣୁ ଏହି ସବୁ ଛକରେ କେବେ ବ୍ୟାରିକେଡ୍‌ ଲାଗିବ ତାକୁ ନେଇ ସହରବାସୀ ପ୍ରଶ୍ନ ଉଠାଇଲେଣି। ତେବେ ଏ ସମ୍ପର୍କରେ ପୁଲିସ କମିସନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି କି, ଜାତୀୟ ରାଜପଥ ଉପରେ ବ୍ୟାରିକେଡ୍‌ ଲଗାଇବା କଷ୍ଟକର ବ୍ୟାପାର। ବରଂ ଏଥିପାଇଁ ଆହୁରି ଦୁର୍ଘଟଣା ବଢ଼ିଯିବ। ତେବେ ଜାତୀୟ ରାଜପଥ ଉପରେ ସାଇନଏଜ୍‌ ଲଗାଯିବ। ଏହା ଦ୍ବାରା ଭାରୀଯାନ ଚାଳକମାନେ ପୂର୍ବରୁ ଜାଣି ପାରିବେ ଏହା ଏକ ଦୁର୍ଘଟଣା ପ୍ରବଣ ଛକ ବୋଲି। ସେହିପରି ଇଣ୍ଟରସେପ୍ଟର ମାଧ୍ୟମରେ ମଧ୍ୟ ସେମାନଙ୍କ ଉପରେ ନଜର ରଖାଯିବ।

ସମ୍ବନ୍ଧିତ ଖବର