ଆସ କିଏ ଖାଇବ ହୋ… ‘ବରାଚପ୍’ରେ ବରା ଓ ଆଳୁଚପ୍‌ର ମଜା

ବରା ଆଉ ଆଳୁଚପ୍‌, ଏହା ଅତି ସାଧାରଣ ଓ ଚିରାଚରିତ ହୋଇଥିବା ବେଳେ ବର୍ଷାରେ, ଶୀତରେ, ଅତିଥି ଚର୍ଚ୍ଚାରେ ହେଉ କି ସକାଳ ଜଳଖିଆରେ, ଏହାର ସ୍ଥାନ ସ୍ବତନ୍ତ୍ର। ହେଲେ ଯଦି ଏହି ଦୁଇଟିକୁ ମିଶାଇ ଦିଆଯାଏ? ଯଦି ବରାରେ ଟିକେ ଆଳୁ ମସଲା ପୁର ଦିଆଯାଏ… ଟିକେ ଭାବନ୍ତୁ ତ’। ଜିଭ ଲାଳେଇ ଯାଉଛି ନା? ତେବେ ଏଭଳି ବରା ଓ ଆଳୁଚପ୍‌ର ମିଶ୍ରଣ ସ୍ବରୂପ ସୁଆଦିଆ ‘ବରାଚପ୍’ ପର‌ଷି ଦେଉଛନ୍ତି ୟୁନିଟ୍-୧ କଳିଙ୍ଗ କମ୍ପ୍ଲେକ୍ସରେ ଦୋକାନ ଦେଇଥିବା ପ୍ରକାଶ ଭାଇନା। ବାଲିଅନ୍ତା ବ୍ଲକ ବଇଁଚୁଆ ଗାଁ’ର ପ୍ରକାଶ ସାହୁ ଏହି ବରାଚପ୍‌ ପ୍ରସ୍ତୁତ କରି ଗତ ୧୫ ବର୍ଷ ଧରି ଗ୍ରାହକଙ୍କୁ ଆକୃଷ୍ଟ କରି ଆସୁଛନ୍ତି। ତାଙ୍କ ‘ବରାଚପ୍’ରେ ଲୋକେ ଉଭୟ ବରା ଓ ଆଳୁଚପ୍‌ର ମଜା ନେଉଛନ୍ତି। କାକରା ପିଠାରେ ପୁର ଦିଆଯିବା ଭଳି ବରା ଭିତରେ ଆଳୁ ମସଲା ଦେଇ ସେ ଏହା ପ୍ରସ୍ତୁତ କରିଥା’ନ୍ତି। ଅଧିକ ମୁସ୍‌ମୁସିଆ ହେବା ପାଇଁ ବରାଚପ୍‌କୁ ୨ଥର ଛଣା ଯାଇଥାଏ ବୋଲି ପ୍ରକାଶ କହିଛନ୍ତି। ଗୋଟିଏ ବରାଚପ୍‌ର ମୂଲ୍ୟ ୭ ଟଙ୍କା ଥିବା ବେଳେ ଏହାର ଚାହିଦା ବେଶ୍ ଅଧିକ ରହିଛି। ‘ବରାଚପ୍’ ଖାଇବା ଓ ପାର୍ସଲ ନେବା ପାଇଁ ପ୍ରତିଦିନ ସଂଧ୍ୟାରେ ତାଙ୍କ ଦୋକାନରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳୁଛି। ଅପରାହ୍‌ଣ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ତାଙ୍କ ଦୋକାନ ଖୋଲା ରୁହେ।

ପ୍ରକାଶ କୁହନ୍ତି, ପ୍ରାୟ ୪୦ ବର୍ଷ ତଳେ ତାଙ୍କ ବାପା ରାସ୍ତାକଡ଼ରେ ଜଳଖିଆ ଦୋକାନ ଆରମ୍ଭ କରିଥିଲେ। ପରେ ୟୁନିଟ୍-୧ କଳିଙ୍ଗ କମ୍ପ୍ଲେକ୍ସରେ ସ୍ଥାୟୀ ଭାବେ ଦୋକାନ ଦେଇଥିଲେ। ବାପାଙ୍କ ଏହି ବ୍ୟବସାୟରେ ପ୍ରକାଶ ନିଜକୁ ସାମିଲ କରିଥିଲେ। ପ୍ରାୟ ୧୫ବର୍ଷ ତଳେ କିଛି ଭିନ୍ନ କରିବାର ଲକ୍ଷ୍ୟ ନେଇ ସେ ‘ବରାଚପ୍’ ପ୍ରସ୍ତୁତି ଆରମ୍ଭ କରିଥିଲେ। ତାଙ୍କର ଏହି ଭିନ୍ନ ପ୍ରୟାସ ସମୟକ୍ରମେ ତାଙ୍କୁ ଓ ତାଙ୍କ ବ୍ୟବସାୟକୁ ସ୍ବତନ୍ତ୍ର ପରିଚୟ ଦେଇଛି।

ସମ୍ବନ୍ଧିତ ଖବର