ଭୁବନେଶ୍ବର: ଦୁଃଖ ଦେଇଛି କୋଭିଡ୍ କଟକଣା। ଲକ୍ଡାଉନ୍ରେ ବଢ଼ିଛି ମାନସିକ ଯନ୍ତ୍ରଣା। କାହାର ଚାକିରି ଚାଲି ଯାଇଛି ତ’ କାହାକୁ ଦୁଇ ବେଳା ଖାଦ୍ୟ ମିଳିନି। ଆଉ ଭଡ଼ା ଦେଇ ନପାରିବାରୁ କାହାକୁ ମାଲିକ ଘରୁ ତଡ଼ି ଦେଇଛି। ଏଭଳି ସ୍ଥିତିରେ ଅନେକଙ୍କର ମାନସିକ ସନ୍ତୁଳନ ବିଗିଡ଼ିଛି। ଏହା ଲୋକଙ୍କୁ ଆତ୍ମହତ୍ୟା ଆଡ଼କୁ ବାଟ କଢ଼ାଇଛି। ସୂଚନା ଅନୁଯାୟୀ, ଏହି କଟକଣା ସମୟରେ ‘ଆତ୍ମହତ୍ୟା’ ରାଜଧାନୀରେ ସର୍ବକାଳୀନ ରେକର୍ଡ କରିଛି। ୩ ମାସର କଟକଣା ଭିତରେ ସ୍ମାର୍ଟସିଟିରେ ୮୭ଜଣ ଆତ୍ମହତ୍ୟା କରିଛନ୍ତି। ପୂର୍ବରୁ ତିନି ମାସରେ ଏତେ ସଂଖ୍ୟାରେ ଆତ୍ମହତ୍ୟା ହୋଇ ନଥିବା କୁହାଯାଉଛି। ୨୦୧୯ମସିହାରେ ଭୁବନେଶ୍ବରରେ ଏହି ତିନି ମାସ (ଏପ୍ରିଲ, ମେ ଓ ଜୁନ୍)ରେ ୫୭ଟି ଆତ୍ମହତ୍ୟା ମାମଲା ବିଭିନ୍ନ ଥାନାରେ ପଞ୍ଜୀକୃତ ହୋଇଥିଲା। ଆତ୍ମହତ୍ୟାର ଏହି ଉଦ୍ବେଗଜନକ ସଂଖ୍ୟା ଏବେ ଅନେକ ଅଭିଭାବକ ଓ ପରିବାରବର୍ଗଙ୍କୁ ଚିନ୍ତାରେ ପକାଇଛି। କଟକଣା ସମୟରେ ମାନବପ୍ରେମୀ ଆଦିତ୍ୟ ମୃତ୍ୟୁ ମାମଲା ସବୁଠାରୁ ଚର୍ଚ୍ଚିତ ତଥା ରହସ୍ୟମୟ ହୋଇ ରହିଛି। ଯଦିଓ ମାମଲାର ତଦନ୍ତ ଚାଲିଛି, ଆତ୍ମହତ୍ୟା କିମ୍ବା ହତ୍ୟା ବୋଲି ପ୍ରମାଣିତ ହୋଇ ନାହିଁ, ଆଦିତ୍ୟଙ୍କ ସୁଇସାଇଡାଲ୍ ନୋଟ୍, ଫେସ୍ବୁକ୍ ପୋଷ୍ଟ ପ୍ରଭୃତିକୁ ବିଚାରକୁ ନେଲେ ସେ ଗଭୀର ମାନସିକ ଚାପରେ ଥିବା ସ୍ପଷ୍ଟ ହେଉଛି।
ଶ୍ରୀଲିଙ୍ଗରାଜ ଥାନା କୁମ୍ଭାରସାହି କେନାଲ ରୋଡ୍ରେ ନବବିବାହିତା ଗର୍ଭବତୀ ପତ୍ନୀ ମୀନାକ୍ଷୀ ରାଉତଙ୍କୁ ସ୍ବାମୀ ରାକେଶ ରାଉତ ହତ୍ୟା କରି ନିଜେ ଆତ୍ମହତ୍ୟା କରିଥିଲେ। ଗତ ମେ’ ମାସରେ ଏହି ଘଟଣା ଘଟିଥିଲା। ପ୍ରବଳ ମାନସିକ ଚାପ ଯୋଗୁଁ ଲକ୍ଡାଉନ୍ରେ ଏଭଳି ଦୁଇଟି ଜୀବନ ଚାଲି ଯାଇଥିଲା। ନହରକଣ୍ଟାର ସସ୍ମିତା ନନ୍ଦ ଗତ ମାସରେ ଆତ୍ମହତ୍ୟା କରିଥିଲେ। ଦୁଇ ବର୍ଷ ତଳେ ତାଙ୍କ ସ୍ବାମୀଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ଲକ୍ଡାଉନ୍ରେ ସେ ଘରେ ବସି ବସି ତାଙ୍କୁ ଅବସାଦ ଗ୍ରାସ କରିଥିଲା ବୋଲି କୁହାଯାଉଛି। ଏହି ସବୁ ଚର୍ଚ୍ଚିତ ଘଟଣା ବ୍ୟତୀତ ଅନେକ ଶ୍ରମିକ ଆତ୍ମହତ୍ୟା କରିଛନ୍ତି, ଯେଉଁମାନେ କି ଦିନକୁ ଦୁଇ ଓଳି ପରିବାର ପେଟକୁ ଦାନା ଦେଇ ପାରିବାକୁ ସକ୍ଷମ ହୋଇପାରିନାହାନ୍ତି। ଲକ୍ଡାଉନ୍ ସମୟରେ ପେଟପାଟଣା ଚିନ୍ତାରେ ମାନସିକ ଭାରସାମ୍ୟ ହରାଇ ସେମାନେ ଆତ୍ମହତ୍ୟା କରିଛନ୍ତି। ସମୁଦାୟ ଆତ୍ମହତ୍ୟାର ୭୦ ପ୍ରତିଶତ ଏଭଳି ରୋଜଗାର ଚାଲିଯିବାରୁ ହୋଇଛି। ବାକି ୩୦ ପ୍ରତିଶତ ଆତ୍ମହତ୍ୟା ଏକାଠି ରହିବା ଯୋଗୁଁ ମତାନ୍ତର ଓ ମନାନ୍ତରକୁ ନେଇ ହୋଇଛି ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/sfh857sfh987sf98s7fh98sfsfhsfhshsfhsfh.jpg)