କରୋନାର ଦ୍ବିତୀୟ ଲହର ମୁକାବିଲା ଲାଗି ରେଳ ଷ୍ଟେସନ ଉପରେ କଡ଼ା ନଜର

ଭୁବନେଶ୍ବର : କରୋନାର ଦ୍ବିତୀୟ ଲହର ମୁକାବିଲା ଲାଗି ଭୁବନେଶ୍ବର ରେଳ ଷ୍ଟେସନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରବେଶଠାରୁ ପ୍ରସ୍ଥାନ ପର୍ଯ୍ୟନ୍ତ ସବୁଠି କଡ଼ାକଡ଼ି ଯାଞ୍ଚ ସହ ଆଜିଠାରୁ ନୂଆ କଟକଣା ଲାଗୁ ହୋଇଛି। ଯାତ୍ରୀ ଭିଡ଼ର ପ୍ରଭାବଶାଳୀ ପରିଚାଳନା ଓ ସାମାଜିକ ଦୂରତାକୁ ସୁନିଶ୍ଚିତ କରିବା ପାଇଁ କେବଳ ଏକ ନମ୍ବର ପ୍ଲାଟଫର୍ମ ମାଧ୍ୟମରେ ଷ୍ଟେସନକୁ ପ୍ରବେଶ ଲାଗି ଅନୁମତି ଦିଆଯାଇଛି। ପୂର୍ବରୁ କାର୍ଯ୍ୟକାରୀ କରାଯାଉଥିବା ପ୍ରବେଶ ପଥକୁ ଏବେ ପ୍ରସ୍ଥାନ ପାଇଁ ଏବଂ ପ୍ରସ୍ଥାନ ଲାଗି ବ୍ୟବହାର ହେଉଥିବା ରାସ୍ତାକୁ ଏବେ ପ୍ରବେଶ ପଥ କରାଯାଇଛି। ପ୍ଲାଟଫର୍ମଗୁଡିକୁ କେବଳ ଡାହାଣ ପାର୍ଶ୍ୱ ଯଥା ସରକାରୀ କାର୍ ପାର୍କିଂ ପାର୍ଶ୍ୱ/ବସ୍‌ଷ୍ଟାଣ୍ଡ ପାର୍ଶ୍ୱ/ଆରଏମ୍ଏସ୍ ପାର୍ଶ୍ୱରୁ ଅନୁମତି ଦିଆଯାଇଛି। ସେହିପରି ପ୍ଲାଟଫର୍ମରୁ ବାହାରକୁ ଯିବାପାଇଁ କେବଳ ବାମ ପାର୍ଶ୍ୱ ଯଥା ଏଟିଏମ୍ ପାର୍ଶ୍ୱ/ରିଲାଏନ୍ସ ପାର୍ଶ୍ୱ ରାସ୍ତା ଅନୁମତି ଦିଆଯାଇଛି। ଏଟିଏମ୍ ପାର୍ଶ୍ୱରେ ଆର୍‌ଟିପିସିଆର୍‌ ରିପୋର୍ଟ ଓ ଗେଟ୍ ପାସ୍ ଯାଞ୍ଚ ହେଉଛି। ଏଟିଏମ୍ ପାର୍ଶ୍ୱରୁ ରେଳ ଷ୍ଟେସନକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଉ ନାହିଁ।

ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ କୋଭିଡ ନେଗେଟିଭ୍ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି। ଏଥିସହ କରୋନା ଟିକାର ଦ୍ବିତୀୟ ଡୋଜ ନେଇଥିବା ସାର୍ଟିଫିକେଟକୁ ମଧ୍ୟ ବାଧ୍ୟତାମୂଳକ ହୋଇଛି। ଯେଉଁ ଯାତ୍ରୀଙ୍କ ପାଖରେ ଏସବୁର ପ୍ରମାଣପତ୍ର ନ ଥିବ ସେମାନଙ୍କ ପାଇଁ ବିଏମସି ପକ୍ଷରୁ ୮ଟି ପଞ୍ଜୀକରଣ କାଉଣ୍ଟର ହୋଇଛି। ଯେଉଁଠାରେ ଏହି ବର୍ଗର ଯାତ୍ରୀମାନେ ନିଜର ନା୍ଁ ସହ ଠିକଣା ଦେଇ ପଞ୍ଜୀକରଣ କରୁଛନ୍ତି ଏବଂ ପ୍ରସ୍ଥାନ ଟିକେଟ ନେଇ ବାହାରକୁ ବାହାରୁଛନ୍ତି। ଏହି ୮ଟି କାଉଣ୍ଟରରେ ତିନିଟି ସିଫ୍ଟରେ ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିୟୋଜିତ କରାଯାଇଛି। ସକାଳ ୬ଟାରୁ ଅପରାହ୍ଣ ୨ଟା ଯାଏ ପ୍ରଥମ ସିଫ୍ଟରେ ରହୁଥିବା ବେଳେ ଅପରାହ୍ଣ ୨ଟାରୁ ରାତି ୧୦ଟା ଓ ରାତି ୧୦ଟାରୁ ସକାଳ ୬ ଯାଏ ତିନିଟି ସିଫ୍ଟରେ ସେମାନେ କାର୍ଯ୍ୟ କରୁଛନ୍ତି।

ପ୍ରତି ଘଣ୍ଟାରେ ଷ୍ଟେସନ ବିଶୋଧନ
ଭୁବନେଶ୍ବରରୁ ଯାଉଥିବା ଯାତ୍ରୀଙ୍କ ପାଇଁ ରେଳବାଇ ପକ୍ଷରୁ ଟଚ୍‌ଲେସ୍‌ ତାପମାତ୍ରା ସ୍କ୍ରିନିଂର ବ୍ୟବସ୍ଥା କରାଯାଇଛି। ଷ୍ଟେସନରେ ଲାଗିଥିବା କ୍ୟାମେରା ସ୍କ୍ରିନିଂ ମେସିନ ଦ୍ବାରା ଏକକାଳୀନ ୨୫ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କର ତାପମାତ୍ରା ଯାଞ୍ଚ ହେଉଛି। ଏହାକୁ ଦେଖିବା ପାଇଁ ଜଣେ ରେଳ କର୍ମଚାରୀକୁ ନିୟୋଜିତ କରାଯାଇଛି। ଏହାସହ ପ୍ଲାଟଫର୍ମକୁ ପ୍ରତି ଘଣ୍ଟାରେ ବିଶୋଧନ କରାଯାଉଛି। ଅନ୍ୟପକ୍ଷରେ ସାମାଜିକ ଦୂରତା ରକ୍ଷାର ତଦାରଖ ଲାଗି ଏକାଧିକ କର୍ମଚାରୀ ନିୟୋଜିତ ହୋଇଛନ୍ତି। ତା’ପରେ ବି କେତେଜଣ ଅମାନିଆ କଟକଣା ମାନୁ ନ ଥିବା ଦେଖିବାକୁ ମିଳୁଛି।

ଅମାନିଆ ମାନୁନାହାନ୍ତି
ଷ୍ଟେସନରେ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି ହୋଇଥିଲେ ମଧ୍ୟ କିଛି ଅମାନିଆ ଏହାକୁ ମାନିବାକୁ ନାରାଜ। ଟ୍ରେନ ଟିକଟ ସଂରକ୍ଷଣ କାଉଣ୍ଟର ନିକଟରେ ଯାତ୍ରୀଙ୍କ ଏମିତି ଗହଳି ହେଉଛି ଯେ ନ କହିବା ଭଲ। ‌ଏଠାରେ କୋଭିଡ୍‌ କଟକଣା ଖୋଲାଖୋଲି ଭାବେ ଉଲ୍ଲଂଘନ ହେଉଛି। କିଛି ଯାତ୍ରୀ ମାସ୍କ ପିନ୍ଧୁ ନଥିବା ବେଳେ ସାମାଜିକ ଦୂରତାକୁ ମଧ୍ୟ ମାନୁନାହାନ୍ତି। ଟିକେଟ କାଉଣ୍ଟର ଗୃହକୁ କେବଳ ଟିକେଟ କରୁଥିବା ଯାତ୍ରୀ ହିଁ ଯିବା ପାଇଁ ଅନୁମତି ଥିବା ବେଳେ ଯାତ୍ରୀଙ୍କ ସାଥିରେ ଆସିଥିବା ଲୋକେ ସେଠାରେ ଭିଡ଼ ଜମାଉଛନ୍ତି। ଯେତେ ତାଗିଦ୍‌ କଲେ ମଧ୍ୟ ଶୁଣୁନାହାନ୍ତି। ସେହିପରି ଷ୍ଟେସନ ବାହାରରେ ଲୋକେ ବିନା ମାସ୍କରେ ପାଖାପାଖି ହୋଇ ବସୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର