ଭୁବନେଶ୍ବର: ରାଜଧାନୀରେ ବଢ଼ି ବଢ଼ି ଚାଲିଛି ଭାଇଗିରି। କେଉଁଠି ବଟି ପାଇଁ ତ କେଉଁଠି ଚାନ୍ଦା ପାଇଁ ଦେଖାଉଛନ୍ତି ଦାଦାଗିରି। ଦଳବଳ ହୋଇ ପହଞ୍ଚି ଯାଉଛନ୍ତି, ବଟି ନଦେଲେ ଧମକ ଚମକ ଦେଉଛନ୍ତି। ଆକ୍ରମଣ କରିବାକୁ ବି ପଛାଉ ନାହାନ୍ତି। ଖାଲି ଏତିକି ନୁହେଁ, ଅଭ୍ୟାସଗତ ଅପରାଧୀଙ୍କ ଦୌରାତ୍ମ ବି ବଢ଼ିଚାଲିଛି। ଏସବୁ ପୁଲିସ ପାଇଁ ଚିନ୍ତାର କାରଣ ପାଲଟିଛି। ଭାଇଗିରି ଓ ଅପରାଧୀଙ୍କ ଦୌରାତ୍ମକୁ ରୋକିବାଲାଗି କମିସନରେଟ୍ ପୁଲିସ ବିଭିନ୍ନ ଥାନା ଅଞ୍ଚଳରେ ଥିବା ୧୫୧ ଅପରାଧୀଙ୍କ ତାଲିକା କରିଛି। ଖୋଜି ଖୋଜି ସେହି ଅପରାଧୀଙ୍କୁ ବନ୍ଧାଯିବ। ସେମାନଙ୍କୁ ସମ୍ପୃକ୍ତ ଅଞ୍ଚଳରୁ ତଡ଼ିବାଲାଗି ଚିନ୍ତା ମଧ୍ୟ କରାଯାଇଛି। ଅଭ୍ୟାସଗତ ଅପରାଧୀଙ୍କ ବିରୋଧରେ ଦଫା ୧୧୦ ଲଗାଯିବା ସହ ଦରକାର ପଡ଼ିଲେ ଜାତୀୟ ସୁରକ୍ଷା ଆଇନ (ଏନ୍ଏସ୍ଏ) ବଳରେ ବାନ୍ଧିବା ପାଇଁ ସ୍ଥିର କରାଯାଇଛି। ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଅପରାଧୀଙ୍କୁ ସାବାଡ଼ ପାଇଁ କମିସନରେଟ୍ ପୁଲିସ ଏଭଳି ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି। ପୂଜା ସମୟରେ ଯେଭଳି କୌଣସି ପ୍ରକାର ଅପ୍ରୀତିକର ସ୍ଥିତି ସୃଷ୍ଟି ନହୁଏ, ଏଥିପାଇଁ ଡିସିପି ସମସ୍ତ ଥାନାକୁ ଆଲର୍ଟ ରହିବାକୁ ନିର୍ଦେଶ ଦେଇଛନ୍ତି। ଡିସିପିଙ୍କ ବ୍ଲୁ ପ୍ରିଣ୍ଟ ପରେ ଅଭ୍ୟାସଗତ ଅପରାଧୀ, ଚୋରି, ହତ୍ୟାକାଣ୍ଡ, ରାହାଜାନି ଓ ଗଣ୍ଡଗୋଳ କରି ପୁଲିସ ଫାଇଲରେ ନାଁ ଚଢ଼ିଥିବା ଅପରାଧୀଙ୍କ ଛାତି ଏବେ ଧଡ଼ଧଡ଼ ହେଉଛି।
ସେହିପରି ଦାଗୀ ଅପରାଧୀଙ୍କୁ ସପ୍ତାହକୁ ଥରେ ଥାନାରେ ହାଜିରା ଦେବାକୁ ବାଧ୍ୟ କରାଯିବ। ଏଥିପାଇଁ ଡିସିପିଙ୍କ ନେତୃତ୍ୱରେ ପ୍ରାଥମିକ ପର୍ଯ୍ୟାୟରେ ଅଭ୍ୟାସଗତ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ୧୨ଟି ଥାନାରେ ୬୨ଜଣଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ପାର୍ବଣକୁ ନେଇ ଉପରମୁହାଁ ହେଉଥିବା ଅପରାଧୀଙ୍କୁ ସାବାଡ଼ ପାଇଁ ଏହି ପ୍ରସ୍ତୁତି କରାଯାଇଛି। ମଞ୍ଚେଶ୍ୱର ଥାନା ଅଞ୍ଚଳରୁ ସର୍ବାଧିକ ୨୦ଜଣ ଦାଗୀଙ୍କ ତାଲିକା ପ୍ରସ୍ତୁତ କରାଯାଇଥିବା ବେଳେ ତା’ ପଛକୁ ଲକ୍ଷ୍ମୀସାଗରରୁ ୧୮, ଖଣ୍ଡଗିରିରୁ ୬, ନୂଆପଲ୍ଲୀରୁ ୫, ଇନଫୋସିଟି ଥାନାର ୩ଜଣ, ଏୟାରଫିଲ୍ଡ, ଚନ୍ଦକା ଓ ଚନ୍ଦ୍ରଶେଖରପୁର ଥାନାର ୨ଜଣ ଲେଖାଏଁ, ବଡ଼ଗଡ଼ର ଜଣେ, କ୍ୟାପିଟାଲ, ଧଉଳି ଓ ଜଟଣୀ ଥାନାର ମଧ୍ୟ ଜଣେ ଲେଖାଏଁ ଅପରାଧୀଙ୍କ ତାଲିକା ହୋଇଛି। କମିସନରେଟ ପୁଲିସ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅପରେସନ୍ କ୍ଲିନସୁଇପ୍ରେ ଆଗକୁ ଆହୁରି ଅପରାଧୀଙ୍କ ନାଁ ଯୋଡ଼ି ହେବ। ଅପରାଧ ଛାଡ଼ିପାରୁନଥିବା ଅଭ୍ୟାସଗତଙ୍କ ଉପରେ ସମ୍ପୂର୍ଣ୍ଣ ନଜର ରଖାଯାଇଛି। ପାର୍ବଣରେ ଜୋରଜବରଦସ୍ତି ଚାନ୍ଦା ମାଗୁଥିବା ଅସାମାଜିକଙ୍କ ରିପୋର୍ଟ କରିବା ପାଇଁ ଟୋଲ୍ ଫ୍ରି ନମ୍ବର (୭୦୭୭୭୯୮୧୧୧) ମଧ୍ୟ ଜାରି କରାଯାଇଛି।