ଏମିତି ଥିଲା ଭୁବନେଶ୍ବରରେ ଭାରତ ବନ୍ଦ

‌‌ମୋଦୀ ହଟାଓ, ଶ୍ରମିକ ବଞ୍ଚାଓ ଓ ଦେଶ ବଞ୍ଚାଓ ଦାବିରେ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ, ସ୍ବାଧୀନ ଫେଡେରେସନ୍‌ ଓ ଆସୋସିଏସନ୍‌ଗୁଡ଼ିକ ପକ୍ଷରୁ ୧୨ଦଫା ଦାବି ନେଇ ଡକାଯାଇଥିବା ଦୁଇ ଦିନିଆ ଦେଶବ୍ୟାପୀ ଧର୍ମଘଟର ପ୍ରଭାବ ଆଜି ରାଜଧାନୀବାସୀ ଅନୁଭବ କରିଛନ୍ତି। ରାଜଧାନୀରେ ବିଭିନ୍ନ ସ୍କୁଲ କଲେଜକୁ ଛାଡ଼ିଦେଲେ ପ୍ରାୟ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଖୋଲା ଥିଲା। ସମସ୍ତ ମୁଖ୍ୟ ରାସ୍ତାରେ ଦୋକାନ ବଜାର ଦିନବେଳା ବନ୍ଦ ଥିଲେ ହେଁ ଅପରାହ୍‌ଣରୁ ଖୋଲିଥିଲା। ଅପରାହ୍‌ଣ ଦୁଇଟା ପର୍ଯ୍ୟନ୍ତ ବସ୍‌, କାର୍‌ ଅଟୋ ଚଳାଚଳ ପ୍ରାୟ ବନ୍ଦ ରହିଥିଲା। ବି‌େଜପି କୃଷକ ମୋର୍ଚ୍ଚାର ସଚିବାଳୟ ଘେରାଉ ପାଇଁ ସଚିବାଳୟ ମାର୍ଗରେ ଆଜି କିଛି ସମୟ ପାଇଁ ଅଖ ଚକ ପୂରା ବନ୍ଦ ହୋଇଯାଇଥିଲା। ଏହି ଧର୍ମଘଟ ଦୁଇଦିନିଆ ଡକା ଯାଇଥିବାରୁ ବୁଧବାର କ’ଣ ହେବ, ତାହା ଦେଖିବାକୁ ବାକି ରହିଲା।

ମୋ ବସ୍‌ ଗଡ଼ିଲାନି, ଆଜି ବି ଗଡ଼ିବନି
ଧର୍ମଘଟ ପାଇଁ ଆଜି ରାଜଧାନୀରେ ମୋ ବସ୍‌ ଗଡ଼ିନି। ଅପରାହ୍‌ଣ ୧ଟା ୩୦ ପର୍ଯ୍ୟନ୍ତ ମୋ ବସ୍ ଚଳାଚଳ ବନ୍ଦ ରଖିବାକୁ କ୍ରୁଟ୍ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ ହେଁ ସ୍ଥିତି ନ ସୁଧୁରିବାରୁ ଆଜି ବସ୍‌ ଚାଳଚଳ ସଂପୂର୍ଣ୍ଣ ବନ୍ଦ ରହିଥିଲା। ଅପରପକ୍ଷେ ଏହି ଧର୍ମଘଟ ଆଉ ୨୪ ଘଣ୍ଟା ପର୍ଯ୍ୟନ୍ତ ହେବାକୁ ଥିବାରୁ ବୁଧବାର ସକାଳ ୫ଟାରୁ ଅପରାହ୍‌ଣ ୧ଟା ୩୦ ପର୍ଯ୍ୟନ୍ତ ବି ‘ମୋ ବସ୍‌’ ଚଳାଚଳ ବନ୍ଦ ରହିବ ବୋଲି ନିଷ୍ପତ୍ତି ହୋଇଛି। ଯଦି ଏହାପରେ ସ୍ଥିତି ସ୍ବାଭାବିକ ହୁଏ, ତେବେ ମୋ ବସ୍‌ ଚଳାଚଳ କରିବ। ନଚେତ୍‌ ବୁଧବାର ବି ‘ମୋ ବସ୍‌’ ସଂପୂର୍ଣ୍ଣ ବନ୍ଦ ରହିବ ‌େବାଲି କ୍ରୁଟ୍‌ କର୍ତ୍ତୃପକ୍ଷ କହିଛନ୍ତି।

ଠେଙ୍ଗା ଧରି ଅବରୋଧ
ଜୟଦେବ ବିହାର ଛକରେ ଆନ୍ଦୋଳନକାରୀଙ୍କ ହାତରେ ପ୍ଲାଷ୍ଟିକ୍‌ ପାଇପ୍‌ ଓ ‌େଠଙ୍ଗା ଦେଖିବାକୁ ମିଳିଥିଲା। ପାଇପ୍‌ ଉଠାଇ ପଥଚାରୀଙ୍କୁ ଫେରିଯିବା ପାଇଁ ଭୟଭୀତ କରାଯାଇଥିଲା। କେବଳ ଜୟଦେବ ବିହାର ଛକ ନୁହେଁ, ବିଭିନ୍ନ ସ୍ଥାନରେ ଏଭଳି ଉଗ୍ର ଆନ୍ଦୋଳନକାରୀଙ୍କୁ ଦେଖିବାକୁ ମିଳିଥିଲା।

୩୦୦ରୁ ଅଧିକ ଅଟକ
ଧର୍ମଘଟ ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ଧର୍ମଘଟ ସଫଳ ପାଇଁ ଆନ୍ଦୋଳନକାରୀ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ପିକେଟିଂ ମଧ୍ୟ କରିଥିଲେ। କିନ୍ତୁ ବିଜେପି କର୍ମୀମାନେ ବିଧାନସଭା ଆଡ଼କୁ ମାଡ଼ି ଆସିବା ବେଳେ ବାରିକେଡ୍‌ ଭାଙ୍ଗି ଆଇନକୁ ହାତକୁ ନେବାରୁ ୩୦୦ରୁ ଅଧିକ ନେତା ଓ କର୍ମୀଙ୍କୁ କିଛି ସମୟ ଅଟକ ରଖିବା ପରେ ଛାଡ଼ି ଦିଆଯାଇଥିଲା।

ଧର୍ମଘଟରେ ୮ ସଂଗଠନ ସାମିଲ୍‌
ଦୁଇଦିନିଆ ଧର୍ମଘଟରେ ଆଇଏନ୍‌ଟିୟୁସି, ଏଆଇଟିୟୁସି, ଏଚ୍‌ଏମ୍‌ଏମ୍‌, ସିଆଇଟିୟୁ, ଏଆଇୟୁଟିୟୁସି, ଟିୟୁସିସି, ଏଆଇସିସିଟିୟୁ, ସ୍ବାଧୀନ ଫେଡେରେସନ୍ ଶ୍ରମିକ ଓ କର୍ମଚାରୀ ଆସୋସିଏସନ୍। ଏହାସହ ବିଭିନ୍ନ ରାଜନୈତିକ ଦଳ ବି ଏଥିରେ ସାମିଲ୍‌ ହୋଇଥିଲେ।

ପେଟ୍ରୋଲ୍‌ ଲିଟର @ ୧୨୦
ଧର୍ମଘଟକୁ ସମର୍ଥନ କରି ଅଧିକାଂଶ ସ୍ଥାନରେ ପେଟ୍ରୋଲ୍‌ ପମ୍ପ ବନ୍ଦ ଥିଲା। ଏହାର ସୁଯୋଗ ନେଇଥିଲେ କେତେକ ଖୁଚୁରା ବ୍ୟବସାୟୀ। ପେଟ୍ରୋଲ୍ ପମ୍ପ ବନ୍ଦ ରହିବ ବୋଲି ଜାଣିନଥିବା କିଛି ଲୋକ ଘରୁ ଗାଡ଼ି ବାହାର କରିଦେଇଥିଲେ ହେଁ ଗାଡ଼ିରେ ତେଲ ନଥିବାରୁ ଖୁଚୁରା ବ୍ୟବସାୟୀଙ୍କଠାରୁ ତେଲ ପକାଇଥିଲେ। ପେଟ୍ରୋଲ ପମ୍ପ ବନ୍ଦର ଫାଇଦା ନେଇ ଆଜି ରାଜଧାନୀରେ ପେଟ୍ରୋଲ ଲିଟର ୧୨୦ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଥିଲା।

୨୫ ପ୍ଲାଟୁନ୍‌ ଫୋର୍ସ ମୁତୟନ
ରାଜଧାନୀର ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ଆଜି ୨୫ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଥିଲେ। ଏହାସହ ସ୍ବତନ୍ତ୍ର ପାଟ୍ରୋଲିଂ ବ୍ୟବସ୍ଥା ବି ହୋଇଥିଲା। ଶ୍ରମିକଙ୍କ ଧର୍ମଘଟ ସହ ବିଜେପିର ବିକ୍ଷୋଭ ଗୋଟିଏ ଦିନରେ ଥିବାରୁ ହିଂସାକାଣ୍ଡ ବା ଆଇନ ଶୃଙ୍ଖଳା ଉଜୁଡ଼ିବା ଆଶଙ୍କା କରି କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥିଲା। ଏହି ଧର୍ମଘଟ ଗୁରୁବାର ସକାଳ ୬ଟା ପର୍ଯ୍ୟନ୍ତ ଥିବାରୁ ବୁଧବାର ବି ୨୫ ପ୍ଲାଟୁନ୍ ଫୋର୍ସ ବିଭିନ୍ନ ସ୍ଥାନରେ ମୁତୟନ ହେବେ ବୋଲି ଡିସିପି ଅନୁପ କୁମାର ସାହୁ କହିଛନ୍ତି।

ପର୍ଯ୍ୟଟକ କମିଲେ
ପୁରୁଣା ଭୁବନେଶ୍ବରରେ ଶ୍ରମିକ ଧର୍ମଘଟ ଜନିତ ବନ୍ଦର ପ୍ରଭାବ ଦେଖିବାକୁ ମିଳିନଥିଲା। ସବୁ ଦୋକାନ ବଜାର ଖୋଲା ଥିବା ବେଳେ ରବି ଟକିଜ୍‌ ନିକଟରେ ପେଟ୍ରୋଲ ପମ୍ପ ମଧ୍ୟ ଖୋଲାଥିଲା। ତେବେ ଅନ୍ୟଦିନ ଅପେକ୍ଷା ଆଜି ବହୁ୍ କମ୍‌ ପର୍ଯ୍ୟଟକ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଆସିଥିଲେ। ଧର୍ମଘଟ ପାଇଁ ରାଜ୍ୟ ସରକାର ଶିକ୍ଷାନୁଷ୍ଠାନ ଛୁଟି କରିଥିବାରୁ ଏହି ଅଞ୍ଚଳରେ ସ୍କୁଲ, କଲେଜ ଯାହା ବନ୍ଦ ଥିଲା। ସାମନ୍ତରାପୁର, ନୂଆଗାଁ, ରବି ଟକିଜ୍‌ ଛକ, ମାଉସୀମା’ ଛକ, ଓଲ୍ଡଟାଉନ୍, ପୋଖରୀପୁଟ୍ ଆଦି ସ୍ଥାନରେ ଦୋକାନ ବଜାର ଖୋଲାଥିଲା।

ସମ୍ବନ୍ଧିତ ଖବର