ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବଳଙ୍ଗା ଅଞ୍ଚଳର ଜଣେ ଥାଲାସେମିଆ ଆକ୍ରାନ୍ତ ୧୨ ବର୍ଷୀୟ ବାଳିକା ରକ୍ତ ନପାଇ ରକ୍ତଭଣ୍ଡାର ସମ୍ମୁଖରେ ଧାରଣା ଦେଇଥିବା ଜଣାଯାଇଛି। କୋଭିଡ୍ ସମୟରେ ରକ୍ତହୀନତାର ଶିକାର ରୋଗୀ ଯେପରି ଅବହେଳିତ ନ ହେବେ, ସେଥିପାଇଁ ସରକାର ଗୁରୁତ୍ବ ଦେଉଥିବା ବେଳେ ଏଭଳି ଘଟଣା ଯୋଗୁଁ ସ୍ବାସ୍ଥ୍ୟ ପ୍ରଶାସନକୁ ଅସ୍ବସ୍ତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଛି।
ବଳଙ୍ଗା ଅଞ୍ଚଳର ଜଣେ ଥାଲାସେମିଆରେ ଆକ୍ରାନ୍ତ ବାଳିକା ଗତକାଲି କ୍ୟାପିଟାଲ ହସ୍ପିଟାଲରେ ରକ୍ତ ନେବା ପାଇଁ ପହଞ୍ଚିଥିଲେ। ମାତ୍ର କୋଭିଡ୍ ସମୟ ଯୋଗୁଁ ଜଣେ ରକ୍ତଦାତା ଦେବା ଲାଗି ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା। ଏହି ସମୟରେ ବାଳିକାଙ୍କ ପରିବାର ଲୋକ ରକ୍ତଦାନ କରୁଥିବା ସ୍ବେଚ୍ଛାସେବୀ ସଂସ୍ଥାକୁ ଅନୁରୋଧ କରିଥିଲେ। ସଂପୃକ୍ତ ସଂସ୍ଥା ପକ୍ଷରୁ ରୋଗୀଙ୍କ ପରିବାରକୁ ଏକ କୁପନ୍ ଦିଆଯାଇଥିଲା। ଏହି କୁପନ୍ ବଦଳରେ ମଧ୍ୟ ତାଙ୍କୁ ରକ୍ତ ମିଳି ନ ଥିଲା। ଆଜି ତାଙ୍କୁ ଆସିବା ଲାଗି କୁହାଯାଇଥିଲା। ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ରୋଗୀଙ୍କ ସହିତ ପରିବାର ଲୋକ ହସ୍ପିଟାଲରେ ପହଞ୍ଚିଥିଲେ। ରୋଗୀଙ୍କ ଦେହରେ ଷ୍ଟାମ୍ପ୍ ଲଗାଯିବା ସହିତ ଆଡମିସନ୍ କରାଯାଇଥିଲା। ଦିନ ପ୍ରାୟ ସାଢ଼େ ୧୧ଟା ସମୟରେ ରକ୍ତ ଭଣ୍ଡାର ପକ୍ଷରୁ ତାଙ୍କୁ ୧୮ ତାରିଖ ଦିନ ଦିଆଯିବ ବୋଲି କୁହାଯାଇଥିଲା। ଏପରିକି ସଂପୃକ୍ତ ସ୍ବେଚ୍ଛାସେବୀ ସଂସ୍ଥା ପକ୍ଷରୁ ଜଣେ ରକ୍ତଦାତା ମଧ୍ୟ ରକ୍ତ ଦେବାକୁ ରାଜି ହୋଇଥିଲେ।
ଏହାସତ୍ବେ ମଧ୍ୟ ରୋଗୀକୁ ରକ୍ତ ଦେବା ପାଇଁ ରକ୍ତ ଭଣ୍ଡାର ପକ୍ଷରୁ ମନା କରାଯାଇଥିଲା। ବାଧ୍ୟ ହୋଇ ରୋଗୀ, ତାଙ୍କ ବାପା ଓ ସ୍ବେଚ୍ଛାସେବୀ ସଦାଶିବ ଜେନା ରକ୍ତଭଣ୍ଡାର ସମ୍ମୁଖରେ ଧାରଣା ଦେଇଥିଲେ। ଇ-ବ୍ଲଡ୍ ବ୍ୟାଙ୍କରେ ୫ଟି ରକ୍ତ ଷ୍ଟକ୍ ରହିଥିବା ସ୍ବେଚ୍ଛାସେବୀ ସଦାଶିବ କହିଛନ୍ତି। ତଥାପି କେହି ଶୁଣି ନଥିଲେ। ଫଳରେ ବାଧ୍ୟ ହୋଇ ରୋଗୀ ଘରକୁ ଫେରି ଯାଇଥିବା ସେ କହିଛନ୍ତି। କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡା.ଏଲ୍ଡି ସାହୁ କହିଛନ୍ତି, କୋଭିଡ୍ ସମୟରେ ରକ୍ତ ସଂଗ୍ରହ କରିବା ଏବେ କଷ୍ଟକର ହୋଇ ପଡ଼ିଛି। ପୂର୍ବରୁ ମାସକୁ ୫ଶହ ୟୁନିଟ୍ ରକ୍ତ ସଂଗ୍ରହ ହେଉଥିବା ବେଳେ ଏବେ ୭୦-୮୦ ୟୁନିଟ୍ ସଂଗ୍ରହ ହେଉଛି। ତେଣୁ କେବଳ ଅତି ଜରୁରୀ ଥିବା ରୋଗୀଙ୍କୁ ରକ୍ତ ଦେବା ଲାଗି ନିଷ୍ପତ୍ତି ହୋଇଛି। ସବୁ ଥାଲାସେମିଆ ରୋଗୀ ଗୁରୁତର ନୁହନ୍ତି। ସେମାନଙ୍କ ମଧ୍ୟରୁ ଅନେକ ନିର୍ଦ୍ଦିଷ୍ଟ ତାରିଖରେ ରକ୍ତ ନେଇଥାନ୍ତି। ତେଣୁ ଗୁରୁତର ଥିବା ଥାଲାସେମିଆ ରୋଗୀଙ୍କୁ ରକ୍ତ ଦିଆଯାଉଛି। ଏହାସହ ହସ୍ପିଟାଲରେ ଓଟି ଓ ପ୍ରସବ ପାଇଁ ରକ୍ତର ଆବଶ୍ୟକତା ପଡ଼ୁଥିବା ରୋଗୀଙ୍କୁ ରକ୍ତ ଯୋଗାଇ ଦିଆଯାଉଛି। ତେଣୁ କୋଭିଡ୍ ସମୟରେ ରକ୍ତ ଦେବା ଲାଗି ଲୋକମାନେ ଆଗେଇ ଆସିବା ଦରକାର। ଯାହାଫଳରେ ଅନେକ ମୂଲ୍ୟବାନ ଜୀବନ ରକ୍ଷା ହୋଇପାରିବ ବୋଲି ଡା.ସାହୁ କହିଛନ୍ତି।