‘ରାସ୍ତା’ ପାଇଁ ରାସ୍ତାକୁ ଓହ୍ଲାଇଲେ

ବାଲିଅନ୍ତା: ଲୋକଙ୍କ ବିବାହ, ବ୍ରତ, ପୂଜା, ଉତ୍ସବ ତଥା ଅନ୍ୟାନ୍ୟ ମାଙ୍ଗଳିକ କାର୍ଯ୍ୟ ବେଳେ ଝୁମୁକା, ମହୁରୀ, ଡେମ୍ଫ ନାଗରା, ସମ୍ବଲପୁରୀ, ଢୋଲ ଭଳି ବାଜା ବଜାଇ ମଜ୍ଜି ଯାଆନ୍ତି। ଅନ୍ୟର ମାଙ୍ଗଳିକ କାର୍ଯ୍ୟ ସମୟରେ ବାଜା ବଜାଇ ଖୁସି ହେଉଥିବା ନାଏକ ସାହି ବାସିନ୍ଦାଙ୍କ ମାଙ୍ଗଳିକ କାର୍ଯ୍ୟ ପାଇଁ ରାସ୍ତା ନାହିଁ। ସାହିର ଝିଅ ବାହାହେଲେ ଉଭୟ ବରକନ୍ୟା ମୁଖ୍ୟରାସ୍ତା ପର୍ଯ୍ୟନ୍ତ ଚାଲି ଚାଲି ଆସିବାକୁ ବାଧ୍ୟ ହୋଇଥାଆନ୍ତି। ସେହିପରି ମୁଖ୍ୟ ରାସ୍ତାରୁ ବରକୁ ଚାଲିଚାଲି ଯିବାକୁ ପଡ଼ିଥାଏ।

ସ୍ବାଧୀନତାର ୭୩ ବର୍ଷ ପରେ ମଧ୍ୟ ପକ୍କା ରାସ୍ତା ହୋଇପାରିନଥିବା ସାହି ହେଉଛି ସ୍ଥାନୀୟ ଉମାଦେଇ ବ୍ରହ୍ମପୁର ପଞ୍ଚାୟତ ଅଧୀନ ଗଡ଼ କଣ୍ଟୁଣିଆ ନାଏକ ସାହି। ରାସ୍ତା ନିର୍ମାଣ ସଂପର୍କରେ ସ୍ଥାନୀୟ ଲୋକ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡିଓ ଓ ବିଧାୟକଙ୍କୁ ବାରମ୍ବାର ଜଣାଇଛନ୍ତି। ହେଲେ ଏଦିଗରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଲଗାଣ ବର୍ଷା ଯୋଗୁଁ ଅଧିକାଂଶ ସମୟରେ ପାଣି ଘେରରେ ରହୁଥିବାରୁ ଲୋକମାନେ ଯାତାୟାତରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥା’ନ୍ତି। ଏବେ ରାସ୍ତା ସମସ୍ୟାଠୁ ବଳିପଡ଼ିଛି, ବର୍ଷାପାଣି ନିଷ୍କାସନ ସମସ୍ୟା। ସାହିର ୩ଟି ପରିବାର ଘରେ ପାଣି ପଶିଯାଇଥିବା ଅଭିଯୋଗ ହୋଇଛି।

ଗ୍ରାମର ବଂଶୀଧର ନାଏକ, ଲକ୍ଷ୍ମଣ ନାଏକ, ଭରତ ନାଏକ, ମିଟୁ ନାଏକ ଓ ବାବୁଲି ନାଏକଙ୍କ ଅଭିଯୋଗ ଅନୁଯାୟୀ ଗ୍ରାମର ୨୦୦ ଫୁଟ କଚ୍ଚା ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ରାସ୍ତାରେ ମାଟି ମୁଠେ ପଡ଼ିନି। ସାହିର ସବୁ ପରିବାର ବାଜା ବଜାଇ, ଛେଳି ପାଳିବା ସହ ପର ଘରେ ମୂଲମଜୁରି କରି ପରିବାର ଚଳାଇବା କଷ୍ଟକର ହୋଇପଡ଼େ। ଆମେ ଦଳିତ ବର୍ଗର ହୋଇଥିବାରୁ ରାସ୍ତା ସମସ୍ୟା କଥା କେହି ଶୁଣୁ ନାହାନ୍ତି। ସାହିକୁ କଂକ୍ରିଟ ରାସ୍ତା ନିର୍ମାଣ ଦିଗରେ ସରପଞ୍ଚ ଓ ବ୍ଲକ କର୍ତୃପକ୍ଷ ଦୃଷ୍ଟି ଦେବାକୁ ସେମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର