ରାସ୍ତା କାମ ଶେଷ କରିବା ଦାବିରେ ରାସ୍ତା ଅବରୋଧ

ବାଲିଅନ୍ତା: ଭୁବନେଶ୍ବର-କଟକ ଜାତୀୟ ରାଜପଥକୁ ସଂଯୋଗ ହୋଇଥିବା ଜିରୋ ପଏଣ୍ଟ ହଂସପାଳ ଛକରୁ ଅଭୟମୁଖୀ ପର୍ଯ୍ୟନ୍ତ ୨୨କି.ମି ପର୍ଯ୍ୟନ୍ତ ଡିଭିଜନ୍‌-୪ ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାର ଅନେକ ସ୍ଥାନରେ ରାସ୍ତା ନିର୍ମାଣ କାର୍ଯ୍ୟ ଅସଂପୂର୍ଣ୍ଣ ଅବସ୍ଥାରେ ପଡ଼ିଛି। ରାସ୍ତା ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ି ରହିବା ଫଳରେ ବାରମ୍ବାର ଛୋଟ ବଡ଼ ଦୁଘର୍ଟଣା ଘଟି ଏକାଧିକ ଲୋକ ମୃତାହତ ହେଲେଣି। ନିକଟ ଅତୀତରେ ଏହି ରାସ୍ତାରେ ବାଇକ୍‌ରୁ ଖସି ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଏହାର ପ୍ରତିବାଦରେ ବାଲିଅନ୍ତା ୟୁଥ୍‌ କ୍ଲବ ତତ୍ତ୍ବାବଧାନରେ ଉତ୍‌କ୍ଷିପ୍ତ ସ୍ଥାନୀୟ ଅଞ୍ଚଳବାସୀ ଅଧାପନ୍ତରିଆ ହୋଇ ପଡ଼ିଥିବା ରାସ୍ତା ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବା ନେଇ ମହାତ୍ମା ସେତୁ ଉପରେ ବାଇକ ରଖି ଟାୟାର ଜାଳି ରାସ୍ତାରୋକ କରିଥିଲେ। ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ଉଭୟ ପାର୍ଶ୍ବରେ ଦୀର୍ଘ ସମୟ ଧରି ଗାଡ଼ିମଟର ଅଟକି ରହିଥିଲା। ଖବର ପାଇ ସହକାରୀ ଯନ୍ତ୍ରୀ ନିର୍ମଳ ଚନ୍ଦ୍ର ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜିତ ରାୟ ଓ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ନାୟକ ପ୍ରମୁଖ ସେଠାରେ ପହଞ୍ଚି ସପ୍ତାହକ ମଧ୍ୟରେ ବାକି ରାସ୍ତା ନିର୍ମାଣ କାର୍ଯ୍ୟ ଶେ‌ଷ କରିବା ନେଇ ପ୍ରତିଶ୍ରୁତି ଦେବାରୁ ରାସ୍ତାରୋକ ହଟିଥିଲା। ସୂଚନାଯୋଗ୍ୟ, ୨୦୧୫/୧୬ ଆର୍ଥିକ ବର୍ଷରେ ଉକ୍ତ ରାସ୍ତା ନିର୍ମାଣ ଲାଗି ସଂପୃକ୍ତ ବିଭାଗ ପକ୍ଷରୁ ୩୩ଲକ୍ଷ ଟଙ୍କା ମଂଜୁର ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ହେଲେ ଦାୟିତ୍ବରେ ଥିବା ଯନ୍ତ୍ରୀମାନେ ଠିକା ସଂସ୍ଥାର ୩କୋଟିରୁ ଅଧିକ ଟଙ୍କା ମଂଜୁର କରିବାରେ ଚରମ ଅବହେଳା ପ୍ରଦର୍ଶନ କରୁଥିବାରୁ ଉକ୍ତ ସଂସ୍ଥା କାମ ଶେଷ ନକରି ଫେରାର୍‌ ହୋଇଯାଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର