ବାଲିପାଟଣାରେ ବନ୍ଦ ଶାନ୍ତିପୂର୍ଣ୍ଣ

ବାଲିପାଟଣା : କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ତଥା ପ୍ରଶାସନର ଅବହେଳା ପ୍ରତିବାଦରେ ଓଡ଼ିଶାର ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ବାଲିପାଟଣାରେ ଆପାତତଃ ସଫଳ ହୋଇଛି। ଆଜି ସକାଳ ୮ଟାରୁ ବାଲିପାଟଣା ଛକରେ ବିଜେପି ପକ୍ଷରୁ ରାସ୍ତାରୋକ କରାଯାଇ ହରତାଳ କରାଯାଇଥିଲା। ଏଥିରେ ବିଜେପିର ବରିଷ୍ଠ ନେତା ବସନ୍ତ କୁମାର ନାୟକ,ନରେନ୍ଦ୍ର ନାଥ ନାୟକ,ଦିଲ୍ଲୀପ କୁମାର ସ୍ୱାଇଁ, କୃଷ୍ଣ ଚନ୍ଦ୍ର କାଳିଆ, ଜୟନ୍ତ କୁମାର ଶିଶୁଗୋସ୍ୱାମୀ ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଯୋଗ ଦେଇଥିଲେ। ସେହିପରି କଂଗ୍ରେସର ବରିଷ୍ଠ ନେତା ବେଣୁଧର ଭୋଇ, ଜୟନ୍ତ ଭୋଇ, ଗୁରୁ ନାରାୟଣ ମହାପାତ୍ର, ବଟକୃଷ୍ଣ ରାଉତରାୟଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ବିଶ୍ୱନାଥପୁର ଛକଠାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ପରେ ଉଭୟ ଦଳର ନେତା ଓ କର୍ମୀ ପୃଥକ ପୃଥକ ଭାବେ ସମସ୍ତ ଦୋକାନ,ବଜାର ଓ ସରକାରୀ କାର୍ଯ୍ୟାଳୟ ବୁଲି ପିକେଟିଂ କରିଥିଲେ। ବନ୍ଦ ପ୍ରଭାବରେ ସମସ୍ତ ସ୍କୁଲ,କଲେଜ ସଂପୂର୍ଣ୍ଣ ବନ୍ଦ ରହିବା ସହିତ ବ୍ୟବସାୟ ପ୍ରତିଷ୍ଠାନ ପ୍ରାୟତଃ ବନ୍ଦ ରହିଥିଲା।ସରକାରୀ ଅଫିସ୍‌ରେ ଉପସ୍ଥାନ ସଂଖ୍ୟା ଖୁବ୍‌ କମ୍‌ ଥିବାର ଦେଖିବାକୁ ମିଳିଥିଲା। ବନ୍ଦ ପ୍ରତି ଲୋକମାନଙ୍କ ସ୍ୱତଃ ସମର୍ଥନ ଥିବାର ଦେଖାଯାଇଥିଲା।

ବାଲିଅନ୍ତାରେ ବନ୍ଦ

ବାଲିଅନ୍ତା : କୁନ୍ଦୁଲି ପୀଡ଼ିତା ଆତ୍ମହତ୍ୟା ଘଟଣା ପ୍ରତିବାଦରେ ପ୍ରଦେଶ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନଙ୍କ ଆହ୍ଵାନ କ୍ରମେ ବାଲିଅନ୍ତା ବ୍ଲକ କଂଗ୍ରେସ ପକ୍ଷରୁ ଆଜି ବିଭିନ୍ନ ଛକବଜାରରେ ବନ୍ଦ ପାଳନ ହୋଇଥିଲା। ଶତାଧିକ କଂଗ୍ରେସ କର୍ମୀ ବାଳକାଟି ବଜାର ସମେତ ପୁରୀ ମୁଖ୍ୟ କେନାଲ ବନ୍ଧ , ରଙ୍ଗବଜାର ଓ ଡେଲଟାବଜାରରେ ଟାୟାର ଜାଳି ସରକାର ବିରୋଧୀ ସ୍ଲୋଗାନମାନ ଦେଇଥିଲେ। ବେଣୁଧର ଭୋଇଙ୍କ ନେତୃତ୍ୱରେ ଅନ୍ୟମାନଙ୍କ ମଧ୍ୟରେ କାହ୍ନଚରଣ ଦାସ, ମକରଧ୍ୱଜ ସାହୁ, ପ୍ରଭାସ କୁମାର ବାରିକ୍‌ , ନାରାୟଣ ସାହୁ , ସୁଦର୍ଶନ ମହାପାତ୍ର , ଜଗତ୍‌ଜୀବନ ମହାନ୍ତି, ପ୍ରମୋଦ କୁମାର ସାହୁ ଓ ବିହାରୀ ସାମଲ ପ୍ରମୁଖ ସାମିଲ ଥିଲେ ।

ବାରଙ୍ଗରେ ବନ୍ଦ ପ୍ରଭାବ

ବାରଙ୍ଗ : କୁନ୍ଦୁଲି ଗଣବଳାତ୍କାରର ଶିକାର ପୀଡିତାକୁ ନ୍ୟାୟ ପ୍ରଦାନ ଦାବିରେ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ବାରଙ୍ଗରେ ପରିଲକ୍ଷିତ ହୋଇଛି। ଅଜି ଦିନ ସାରା ବାରଙ୍ଗ ମୁଖ୍ୟ ରାସ୍ତାରେ କାଁ ଭାଁ ଯାନବାହନ ଚଳାଚଳ କରୁଥିବା ଦେଖା ଯାଇଥିଲା।

ତ୍ରିଶୁଳିଆ ଛକଠାରେ ବାରଙ୍ଗ ବ୍ଲକ ବିଜେପି କାର୍ଯ୍ୟକାରିଣୀ ସଭାପତି କିଶନ କୁମାର ଜେନା, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଅଜୟ କୁମାର ମୁଦୁଲି, ଆଦିତ୍ୟ ପାଳ, ସନ୍ତୋଷ କୁମାର ଷଡଙ୍ଗୀ ଓ ସୁଭୟ କୁମାର ସାହୁଙ୍କ ସମେତ ବିଜେପି କର୍ମୀମାନେ ଟାୟାର ଜାଳି ରାସ୍ତାରୋକ କରିଥିଲେ ଓ ଗୋଡିସାହି ଛକରେ ନିରଞନ ବେହେରାଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ ରାସ୍ତା ରୋକ କରିଥିଲେ। ବାରଙ୍ଗ ଡାକ୍ତରଖାନା ଛକଠାରେ ବ୍ଲକ କଂଗ୍ରେସ ସଭାପତି ପ୍ରଫୁଲ୍ଲ କୁମାର ସାହୁଙ୍କ ନେତୃତ୍ୱରେ ସଞ୍ଜୟ କୁମାର ବିଶୋଇ, ଅମୂଲ୍ୟ ସିଲ୍‌, ବିଶ୍ୱମ୍ବର ସାହୁ ଓ ପୂର୍ବତନ ସମିତି ସଭ୍ୟ ମଂଟୁ ମାଝୀଙ୍କ ସମେତ କଂଗ୍ରେସ କର୍ମୀମାନେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ଫଳରେ ବାରଙ୍ଗ ଦେଇ କଟକ, ଭୁବନେଶ୍ୱର, ନନ୍ଦନକାନନ ଓ ଖୋର୍ଧାକୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ବାରଙ୍ଗ ଅଞ୍ଚଳର ସୁବୁଠି ଏହି ଘଟଣାକୁ ନେଇ ଚର୍ଚା ଲାଗି ରହିଥିବା ସାଧାରଣ ଜନତା ମଧ୍ୟ ଏହି ବନ୍ଦକୁ ସମର୍ଥନ କରିଥିବା ପରିଲକ୍ଷିତ ହୋଇଥିଲା।

ସମ୍ବନ୍ଧିତ ଖବର