ଭୁବନେଶ୍ବରରେ ବନ୍ଦ ପ୍ରଭାବଶୂନ୍ୟ: କାଁ ଭାଁ ଉତ୍ତେଜନା

ରେଳ, ମୋ ବସ୍ ଚଳାଚଳ ବାଧାପ୍ରାପ୍ତ

ଭୁବନେଶ୍ବର: କେନ୍ଦ୍ରୀୟ ଟ୍ରେଡ ୟୁନିୟନ ପକ୍ଷରୁ ୨ଦିନିଆ ଭାରତ ବନ୍ଦ ଡାକରା ଭୁବନେଶ୍ବରରେ ପ୍ରଭାବଶୂନ୍ୟ ହୋଇଛି। ସକାଳେ କିଛି ସମୟ ପାଇଁ ରେଳ, ମୋ’ ବସ୍‌ ଓ ଅନ୍ୟ ଘରୋଇ ବସ୍‌ ପ୍ରଭାବିତ ହୋଇଥିବା ବେଳେ ଅନ୍ୟ ସବୁ ଖୋଲାମେଲା ରହିଥିଲା। ସକାଳେ ବନ୍ଦ ଥିବା ପେଟ୍ରୋଲ ଟାଙ୍କି ଅପରାହ୍‌ଣରେ ଖୋଲି ଯାଇଥିବା ବେଳେ ଅନ୍ୟ ସମସ୍ତ ସରକାରୀ କାର୍ଯ୍ୟାଳୟ ଦିନ ସାରା ‌ଖୋଲା ରହିଥିବା ଦେଖାଯାଇଥିଲା। ବିକ୍ଷୋଭକାରୀମାନେ କେତେକ ଘରୋଇ ବସ୍‌କୁ ଅଧାବାଟରେ ଅଟକାଇଥିଲେ। କିନ୍ତୁ କିଛି ସମୟ ପରେ ବସ୍‌ଗୁଡ଼ିକ ନିଜ ଗନ୍ତବ୍ୟସ୍ଥଳକୁ ଯାଇଥିଲେ।

ମିଳିଥିବା ସୂଚନାନୁଯାୟୀ ଆଜି ସକାଳ ପ୍ରାୟ ୬ଟା ବେଳେ ୫୦ରୁ ଊର୍ଦ୍ଧ୍ବ ବିକ୍ଷୋଭକାରୀ ଭୁବନେଶ୍ବର ରେଳ ଷ୍ଟେସନ୍‌ରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳରେ ରେଳଗୁଡ଼ିକ ଅଟକି ରହିଥିଲେ। ୬ଟା ବେଳେ ଛାଡ଼ିବାକୁ ଥିବା ଜନଶତାବ୍ଦୀ ଏକ୍ସପ୍ରେସ୍‌ ୬ଟା ୫୫ରେ, ୬ଟା ୩୫ରେ ଛାଡ଼ିବାକୁ ଥିବା ବଲାଙ୍ଗୀର ଇଣ୍ଟରସିଟି ୬ଟା ୫୫ରେ ଓ ଲୋକମାନ୍ୟ ତିଲକ ଏକ୍ସପ୍ରେସ ମଧ୍ୟ ଅଧଘଣ୍ଟାଏ ବିଳମ୍ବ ଅର୍ଥ‌ାତ୍‌ ୬ଟା ୫୫ରେ ଛାଡ଼ିଥିଲା। ଏଥିରେ ଅଖିଳ ଭାରତ କୃଷକ ସଭାର ରାଜ୍ୟ ସଂପାଦକ କ୍ଷୀରୋଦ ପ୍ରସାଦ ସିଂହଦେଓ, ବିକେଏମୟୁର ରାଜ୍ୟ ସଂପାଦକ ସୁର ଜେନା, ଏଆଇଟିୟୁସିର ରାଜ୍ୟ ଉପସାଧାରଣ ସଂପାଦକ ବିଜୟ ଜେନା ପ୍ରମୁଖ ନେତୃତ୍ବର ନେଇଥିଲେ।
ମାଷ୍ଟରକ୍ୟାଣ୍ଟିନରେ ମୋ ବସ୍‌ ସାମ୍ନାରେ ବିକ୍ଷୋଭ ହେବାରୁ ମୋ ବସ୍‌ଡ଼ଗୁଡ଼ିକ ଷ୍ଟାଣ୍ଡ୍‌ରୁ ବାହାରି ପାରିନଥିଲା।

ଏଠାରୁ ଏଆଇସିସିଟିୟୁର ମହେନ୍ଦ୍ର ପରିଡ଼ା ଓ ଜ୍ୟୋତିରଞ୍ଜନ ମହାପାତ୍ରଙ୍କ ସମେତ ଅନ୍ୟ ବିକ୍ଷୋଭକାରୀଙ୍କୁ ପୁଲିସ ଉଠାଇ ନେଇଥିଲା। ରାଜମହଲ ଛକରେ ମଧ୍ୟ ବିକ୍ଷୋଭକାରୀ ବସ୍‌ ଅଟକାଇଥିଲେ। ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ବ୍ୟାଙ୍କ କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଆଇଟିୟୁସିର ଜାତୀୟ ସଂପାଦକ ରାମକୃଷ୍ଣ ପଣ୍ଡା, ଅଲ୍ ଓଡ଼ିଶା ବ୍ୟାଙ୍କ କର୍ମଚାରୀ ଆସୋସିଏସନ୍‌ର ରାଜ୍ୟ ସଂପାଦକ ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନେତୃତ୍ବରେ ସେଣ୍ଟ୍ରାଲ୍ ବ୍ୟାଙ୍କ ସମ୍ମୁଖରେ ପିକେଟିଂ କରାଯାଇଥିଲା। ବିଭିନ୍ନ ସ୍ଥାନରେ ହୋଇଥିବା ବିକ୍ଷୋଭରେ ବିପ୍ଳବ ମହାପାତ୍ର, ନମିତା ସାହୁ, ଡାକ ହେମ୍ବ୍ରମ୍, ମମତା ରାଉତ, ପାର୍ବତୀ ଲାଗୁରି, କିଶୋର ଜେନା, ପ୍ରଣତି ମିଶ୍ର, ରାଜନ ରେଡ୍ଡି, ଲିଙ୍ଗରାଜ ଚୌଧୁରୀ, ରାଧାକାନ୍ତ ସେଠୀ, ଜନାର୍ଦ୍ଦନ ପତି, ରମେଶ ବେହେରା, ପୁଷ୍ପା ଦାସ, ବୀରେନ୍ଦ୍ର ଦାସ, ପରିଲତା ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ବେହେରା, ନିରଞ୍ଜନ ମହାନ୍ତି ପ୍ରମୁଖ ନେତୃତ୍ବ ନେଇଥିଲେ।

ଫସିଲା ଆମ୍ବୁଲାନ୍ସ

ଧର୍ମଘଟକୁ ହାଲୁକା ଭାବି ବସ୍‌, କାର୍‌, ବାଇକ୍‌ ଓ ଅନ୍ୟାନ୍ୟ ଯାନବାହନ ଧରି ଯେ ଯାହା କର୍ମସ୍ଥଳକୁ ବାହାରି ଯାଇଥି‌ଲେ। ହେଲେ ରାସ୍ତା ଉପରେ ଜଗିଥିଲେ ବିକ୍ଷୋଭକାରୀ। ବାଟ ଛାଡ଼ିନଥିଲେ। ଏଣୁ ବିଭିନ୍ନ ଛକରେ ବିଶେଷକରି ରାଜପଥ‌ରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଆଚାର୍ଯ୍ୟବିହାର ଛକରେ ବିକ୍ଷୋଭକାରୀ ୪ ପଟୁ ସବୁ ରାସ୍ତାକୁ ଜଗି ଦେବାରୁ ଗାଡ଼ିମୋଟର ଚଳାଚଳ କିଛି ସମୟ ପାଇଁ ବନ୍ଦ ହୋଇ ଯାଇଥିଲା। ଫଳରେ ରାସ୍ତା ଉପରେ ଗାଡ଼ିର ଧାଡ଼ି ଲମ୍ବି ଯାଇଥିଲା। ଏତିକିବେଳେ କୋଲକାତାରୁ ଆସୁଥିବା ଦୁଇଟି ଆମ୍ବୁଲାନ୍ସ ବାଣୀବିହାର ପଟୁ ସର୍ଭିସ୍‌ରୋଡ୍‌ରେ ଆସି ଆଚାର୍ଯ୍ୟବିହାର ଛକରେ ଫସି ଯାଇଥିଲେ। ଏତେ ସଂଖ୍ୟାରେ ଗାଡ଼ି ଗଦା ହୋଇଥିଲା ଯେ ଏସବୁକୁ ହଟାଇ ଆମ୍ବୁଲାନ୍ସକୁ ଛାଡ଼ିବା ସମ୍ଭବ ନଥିଲା। ଏଣୁ ଆମ୍ବୁଲାନ୍ସ ରଙ୍ଗ୍‌ରୁଟ୍‌ରେ ଫେରି ଫ୍ଲାଏ ଓଭର ଉପରେ ଯାଇଥିଲା।

ବାଧିଲା ଅଟୋ ଭଡ଼ା, ପେଟ୍ରୋଲ

ମୋ ବସ୍ ଚଳାଚଳ କିଛି ସମୟ ପାଇଁ ବାଧାପ୍ରାପ୍ତ ହେବାରୁ ସାଧାରଣ ଲୋକ ପ୍ରଭାବିତ ହୋଇଥିଲେ। ଟ୍ରେନ୍‌ରୁ ଓହ୍ଲାଇଥିବା ଯାତ୍ରୀମାନେ ମୋ ବସ୍‌ ନ ପାଇ ଅଟୋରେ ଯାଇଥିଲେ। ୨୦ଟଙ୍କା ଜାଗାରେ ସେମାନେ ଅଟୋରେ ୧୫୦ ଟଙ୍କା ଖର୍ଚ୍ଚ କରିବାକୁ ବାଧ୍ୟ ହୋଇଥିଲେ। ସେହିଭଳି ଯେଉଁ ପାଣି ବୋତଲର ଦର ୨୦ଟଙ୍କା, ତାହା ଆଜି ଷ୍ଟେସନ ବାହାରେ ୩୦ରୁ ୩୫ଟଙ୍କାରେ ବିକ୍ରି ହୋଇଥିଲା। ଷ୍ଟେସନ୍‌ ପାଖରେ ଦୋକାନ ବନ୍ଦ ଥିବାରୁ କେତେକ ଅସାଧୁ ବ୍ୟବସାୟୀ ଏଭଳି ଫାଇଦା ଉଠାଇଥିବା ଆଗନ୍ତୁକମାନେ ଅଭିଯୋଗ କରିଥିଲେ। ଠିକ୍‌ ସେହିଭଳି ସକାଳେ ପେଟ୍ରୋଲ ପମ୍ପ ବନ୍ଦ ରହିବାରୁ କିଛି ଅସାଧୁ ବ୍ୟବସାୟୀ ଏହାର ଫାଇଦା ଉଠାଇଥିଲେ। ଟାଙ୍କି ସାମ୍ନା ଓ ଟାଙ୍କି ପାଖ ଦୋକାନରେ ଲିଟର ପିଛା ୧୬୦ ଟଙ୍କାରେ ପେଟ୍ରୋଲ ବିକ୍ରି କରିଥିଲେ।

ଧର୍ମଘଟରେ ଆୟକର ବିଭାଗ କର୍ମଚାରୀ ସାମିଲ

କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ପକ୍ଷରୁ ୨ଦିନିଆ ଭାରତ ବନ୍ଦ ଡାକରାକୁ ସମର୍ଥନ କରି ଆୟକର କର୍ମଚାରୀ ସଂଘ ଆନ୍ଦୋଳନରେ ସାମିଲ ହୋଇଛି। ଆୟକର ବିଭାଗ କର୍ମଚାରୀମାନେ କଳାବ୍ୟାଜ୍‌ ପିନ୍ଧି ଅଫିସ୍‌ ସାମ୍ନାରେ ପ୍ରତିବାଦ କରିଛନ୍ତି। ବର୍ଷାଧିକ କାଳ ବାକି ପଡ଼ିଥିବା ମହଙ୍ଗା ଭତ୍ତା ପ୍ରଦାନ, ପୁରୁଣା ପେନସନ ସ୍କିମ ପୁନଃ ପ୍ରଚଳନ, ସେବାନିବୃତ୍ତ ସମୟରେ ୫୦ ପ୍ରତିଶତ ହାରରେ ସର୍ବନିମ୍ନ ପେନସନ୍‌, କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ବିରୋଧରେ ମୌଳିକ ନିୟମର ଧାରା ୫୬(ଜେ) ଓ (ଆଇ) ସହିତ କେନ୍ଦ୍ରୀୟ ଲୋକ ସେବା (ପେନସନ) ନିୟମ ଧାରା ୪୮ର ବ୍ୟବହାର ବନ୍ଦ, ନୂତନ ଭାବେ ପ୍ରଣୀତ କର୍ମଚାରୀ ଓ ଶ୍ରମିକ ବିରୋଧୀ ଆଇନ ପ୍ରତ୍ୟାହାର, ଅଷ୍ଟମ ବେତନ ଆୟୋଗ ସ୍ଥାପନ, ନୂତନ ପଦ ସୃଷ୍ଟି ଉପରେ ଥିବା ରୋକ ଉଠାଇବା, ଖାଲି ପଡ଼ିଥିବା ପଦ ପୂରଣ କରିବା, ରେଳବାଇ, ଡାକ ବିଭାଗ, ପ୍ରତିରକ୍ଷା ବିଭାଗରେ ସାର୍ବଜନୀନ ସଂସ୍ଥାଗୁଡ଼ିକର ଘରୋଇକରଣ ବନ୍ଦ, ଦେଶର ସୁରକ୍ଷାରେ ବିଦେଶୀ କମ୍ପାନିମାନଙ୍କ ପୁଞ୍ଜି ନିବେଶ ବନ୍ଦ କରିବା, ଠିକା କର୍ମଚାରୀଙ୍କୁ ନିୟମିତ କରିବା, କରୋନାରେ ମୃତ କର୍ମଚାରୀଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ ପ୍ରଭୃତି ଦାବିରେ ସାରା ଦେଶରେ ଆୟକର ବିଭାଗର ୬ହଜାରରୁ ଊର୍ଦ୍ଧ୍ବ କର୍ମଚାରୀ ଏହି ଦୁଇଦିନିଆ ଧର୍ମଘଟରେ ସାମିଲ ହୋଇଛନ୍ତି। ସଂଘର ଓଡ଼ିଶା ସର୍କଲ ସାଧାରଣ ସଚିବ ଚିତ୍ତ ରଂଜନ ପଟ୍ଟନାୟକ ଏକ ପ୍ରେସ୍‌ ବିବୃତିରେ ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର