ପୁରୁଣା ଭୁବନେଶ୍ୱର : ହାଇକୋର୍ଟ ନିର୍ଦ୍ଦେଶକୁ ବେଖାତିର୍ ଓ ଏକ ନିର୍ଦ୍ଦିଷ୍ଟ ବିଲଡର୍ ସଂସ୍ଥା ଉପରେ ବଡ଼ଗଡ଼ ଥାନା ପୁଲିସ ଜାଣିଶୁଣି କାର୍ଯ୍ୟାନୁଷ୍ଠାନ ନେଉନଥିବା ପ୍ରତିବାଦରେ ଆଜି ସଂଧ୍ୟାରେ କଳ୍ପନା ଛକରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା। ପୁଲିସର ଏପରି ମନମୁଖୀ କାର୍ଯ୍ୟକଳାପ ପ୍ରତିବାଦରେ ଏହି ଛକରେ ଦୋକାନ କରିଥିବା ପାଖାପାଖି ୧୯ଜଣ ଦୋକାନୀ କଳ୍ପନା ଛକ ରାସ୍ତାକୁ ଅବରୋଧ କରିଥିଲେ। ଉତ୍ତ୍ୟକ୍ତ ଦୋକାନୀମାନେ ରାସ୍ତା ଉପରେ ବସି ରହି ପ୍ରତିବାଦ କରିବାରୁ ଏହି ରାସ୍ତାରେ କିଛି ସମୟ ଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ତେବେ ପରିସ୍ଥିତି ଜଟିଳ ହେବା ଆଶଙ୍କା କରି ବଡ଼ଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ମ୍ୟୁଜିୟମ୍ ନିକଟରେ ୧୯ଜଣ ବ୍ୟବସାୟୀ ଦୀର୍ଘ ଦିନ ହେଲା ବ୍ୟବସାୟ କରି ଆସୁଛନ୍ତି। ସେମାନଙ୍କୁ ସେଠାରୁ ଉଚ୍ଛେଦ କରିବାକୁ ପୂର୍ବରୁ ଚେଷ୍ଟା କରାଯାଇଥିଲେ ହେଁ ହାଇକୋର୍ଟର ସ୍ଥଗିତାଦେଶ ଥିବାରୁ, ତାହା କରାଯାଇପାରୁନାହିଁ। କିନ୍ତୁ ଏକ ନିର୍ଦ୍ଦିଷ୍ଟ ବିଲଡର୍ ସଂସ୍ଥା ପକ୍ଷରୁ ଏବେ ସେମାନଙ୍କ ଦୋକାନ ଚାରିକଡ଼େ ବଡ଼ ବଡ଼ ଗାତ ଖୋଳା ଯାଇଛି। ସେମାନଙ୍କ ଅଭିଯୋଗ ହେଲା ଏହି ବିଲଡର୍ ସଂସ୍ଥା ଗୁଣ୍ଡାମାନଙ୍କୁ ଠିଆ କରାଇ ଜେସିବି ସହାୟତାରେ ସେମାନଙ୍କ ଦୋକାନ ଚାରି ପଟେ ବଡ଼ ବଡ଼ ଗାତ ଖୋଳାଇଛି। ଏନେଇ ସେମାନେ ବଡଗଡ଼ ଥାନାରେ ଅଭିଯୋଗ କରିଥିଲେ ହେଁ ପୁଲିସ ଏପର୍ଯ୍ୟନ୍ତ ସଂପୃକ୍ତ ବିଲଡର୍ ସଂସ୍ଥା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ତେଣୁ ଏହାର ପ୍ରତିବାଦରେ ଆଜି ଦୋକାନୀମାନେ ସେଠାରେ ରାସ୍ତାରୋକ କରିଥିଲେ। ଖବର ପାଇ ଜିଲ୍ଲା କଂଗ୍ରେସ ସଭାପତି ମାନସ ରଞ୍ଜନ ଚୌଧୁରୀ, କାର୍ଯ୍ୟକାରୀ ସଭାପତି ରଶ୍ମି ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ବ୍ୟବସାୟୀଙ୍କୁ ସମର୍ଥନ ଜଣାଇବା ସହ ବଡଗଡ଼ ଥାନ ଅଧିକାରୀ ଦିଲ୍ଲିପ ସ୍ୱାଇଁ, ଏସିପି ଅମରେନ୍ଦ୍ର ପଣ୍ଡାଙ୍କ ସହ ଆଲୋଚନା କରିଥିଲେ। ଘଟଣାର ସମାଧାନ କରିବାକୁ ଏସିପି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲ। ତେବେ ପ୍ରଶାସନ ସେମାନଙ୍କ ଦୁଃଖ ନଶୁନିଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି କଳ୍ପନା ଛକ ବ୍ୟବସାୟୀ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।