ଭୁବନେଶ୍ବର: କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ପକ୍ଷରୁ ଭୁବନେଶ୍ବର-କଟକ- ଖୋର୍ଦ୍ଧାରେ ମୋ ବସ୍‌ ‌ଯାତାୟାତ କରୁଛି। ଏହି ବସ୍‌ ସେବା ଆରମ୍ଭ ହେବାର ୮ମାସ ପରେ ପ୍ରଥମ କରି କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ତାହା ପୁଣି ଦୁଇ ମାସ ହେଲା ଦରମା ନଦେବା ଏବଂ ଯେତିକି ଦରମା ଦେବେ ବୋଲି କହିଥିଲେ ସେତିକି ନଦେବା ଅଭିଯୋଗରେ।

Advertisment

ଆଜି ୧୦ଟି ରୁଟ୍‌ର ମୋ ବସ୍‌ର କଣ୍ଡକ୍ଟରମାନେ କଳିଙ୍ଗନଗରସ୍ଥିତ ବସ୍‌ ଡିପୋରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିଲେ। ସେମାନଙ୍କ ଅଭିଯୋଗ ଥିଲା ଯେ, ଗତ ଦୁଇ ମାସ ହେଲା ସେମାନଙ୍କୁ ବସ୍ ଚଳାଉଥିବା ସଂସ୍ଥା ଦରମା ଦେଉନାହିଁ। ଏପରିକି ନିଯୁକ୍ତି ଦେବାବେଳେ କାହାକୁ ମାସିକ ୧୨ହଜାର, କାହାକୁ ୧୩୫୦୦ ଟଙ୍କା ଦେବେ ବୋଲି କହିଥିଲେ ହେଁ ୮୫୦୦ଟଙ୍କା ଦରମା ଦେଉଛନ୍ତି। ଏନେଇ ଆମେ ବାରମ୍ବାର ଅଭିଯୋଗ କରିବା ପରେ ବି କିଛି ପଦ‌କ୍ଷେପ ନିଆଗଲାନି। ଏବେ ଦୁଇ ମାସ ହେଲା ଦରମା ‌ଦିଆଯାଇନଥିବାରୁ ଆମେ କାମ ନକରିବାକୁ ନିଷ୍ପତ୍ତି ନେଇଛୁ। ଆଜିର ଆନ୍ଦୋଳନରେ ୯୫ଟି ବସ୍‌ର କଣ୍ଡକ୍ଟରମାନେ ସାମିଲ୍‌ ହୋଇଥିଲେ।

ଏନେଇ କ୍ରୁଟ୍‌ର ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର କହିଛନ୍ତି, କଣ୍ଡକ୍ଟରମାନଙ୍କ ଆନ୍ଦୋଳନ ଯୋଗୁଁ ୧୦ଟି ରୁଟ୍‌ରେ ବସ୍‌ ଚଳାଚଳ ବନ୍ଦ ରହିଛି। ସେମାନଙ୍କର ଅଭିଯୋଗର ତୁରନ୍ତ ସମାଧାନ କରିବାକୁ ସେହି ପ୍ୟାକେଜ୍‌ ନେଇଥିବା ଘରୋଇ ସଂସ୍ଥାକୁ କୁହାଯାଇଛି। ମଙ୍ଗଳବାର ସ୍ଥିତି ସ୍ବାଭାବିକ କରି ଗାଡ଼ି ଚଳାଚଳ କରିବାକୁ କୁହାଯାଇଛି।