ଭୁବନେଶ୍ବର: ରାଜଧାନୀର ବିଭିନ୍ନ ବାର୍କୁ ନିୟମିତ ଡ୍ୟାନ୍ସର ଯୋଗାଉଥିବା ଜଣେ ଅଣଓଡ଼ିଆ ଦଲାଲକୁ କିଛି ଯୁବକ ନିର୍ଘାତ୍ ମାଡ଼ ମାରୁଥିବାର ଭିଡିଓ ଭାଇରାଲ୍ ହେଉଛି। ଦଲାଲକୁ ଉଲଗ୍ନ କରି ମାଡ଼ ମାରୁଥିବା ଦୃଶ୍ୟକୁ ଭିଡିଓ କରିଥିବା ଯୁବକମାନେ ଏକ ବାର୍ର କର୍ମଚାରୀ ବୋଲି କୁହାଯାଉଛି। ସେମାନଙ୍କ ପଛରେ ଆଉ ଜଣେ ଦଲାଲର ହାତ ଥିବା ଜଣାପଡ଼ିଛି। ତେବେ ଏନେଇ କୌଣସି ଅଭିଯୋଗ ହୋଇ ନଥିବାରୁ କମିସନରେଟ୍ ପୁଲିସ ମାମଲା ରୁଜୁ କରିନାହିଁ। ଦୁଇ ଦଲାଲଙ୍କ କଳିରୁ ଧଉଳି ଥାନା ଅଞ୍ଚଳରେ ଘଟିଥିବା ଏହି କାଣ୍ଡ ଆଜି ରାଜଧାନୀର ଏକ ଚର୍ଚ୍ଚିତ ଘଟଣା ପାଲଟିଛି।
ସୂଚନାନୁସାରେ, ଅଣଓଡ଼ିଆ ଦଲାଲଜଣକ ରାଜଧାନୀର ବିଭିନ୍ନ ବାର୍କୁ ନିୟମିତ ଡ୍ୟାନ୍ସର ଯୋଗାଇଥାଏ। ଧଉଳି ଥାନା ଲିଙ୍ଗିପୁର ଅଞ୍ଚଳରେ ଏକ ଭଡ଼ା ଘରେ ଦଲାଲର ହେପଜତରେ ଏହି ଡ୍ୟାନ୍ସର ଯୁବତୀମାନେ ପେଇଂ ଗେଷ୍ଟ ଭାବେ ରହନ୍ତି। ଉକ୍ତ ଅଞ୍ଚଳରେ ଏମିତି ଆଉ ଏକ ଭଡ଼ା ଘରେ ଅନ୍ୟ ଜଣେ ଦଲାଲ ବି କିଛି ଯୁବତୀଙ୍କୁ ରଖି ବାର୍କୁ ଚାଲାଣ କରିଥାଏ। ଦୁଇ ଦଲାଲଙ୍କ ମଧ୍ୟରେ ଉପରକୁ ଭଲ ସମ୍ପର୍କ ଥିଲେ ବି ଭିତରେ ଭିତରେ ପ୍ରତିଦ୍ବନ୍ଦ୍ବିତା ଲାଗି ରହିଥିଲା। ଗତ କିଛି ଦିନ ହେଲା ଅଣଓଡ଼ିଆ ଦଲାଲର ପଡ଼ୋଶୀ ଦଲାଲ୍ଜଣକ ପ୍ରାୟ ୧୫ ନୂଆ ଡ୍ୟାନ୍ସରଙ୍କୁ ଆଣିଥିଲା। ତେଣୁ ନୂଆ ଡ୍ୟାନ୍ସରଙ୍କୁ ନେବା ପାଇଁ ପୁରୀ ରୋଡ୍ର ଏକ ବାର୍ ପକ୍ଷରୁ ଉକ୍ତ ଦଲାଲକୁ ଯୋଗାଯୋଗ କରାଯାଇଥିଲା।
ମାତ୍ର ନୂଆ ଡ୍ୟାନ୍ସରମାନଙ୍କୁ ଅନ୍ୟ ବାର୍ ସବୁ ଆଗୁଆ ବୁକ୍ କରିଥିବାରୁ ସେହି ଦଲାଲ ମନା କରିଦେଇଥିଲା। ତେଣୁ ଉକ୍ତ ବାର୍ ମାଲିକ ଏହି ନୂଆ ଡ୍ୟାନ୍ସରମାନଙ୍କୁ ନେବା ପାଇଁ ଅଣଓଡ଼ିଆ ଦଲାଲର ସହାୟତା ନେଇଥିଲେ। ଅଣଓଡ଼ିଆ ଦଲାଲଜଣକ ଅଧିକ ପଇସାର ପ୍ରଲୋଭନ ଦେଖାଇ ଉକ୍ତ ଡ୍ୟାନ୍ସରମାନଙ୍କୁ ନିଜ ପାଖକୁ ନେଇଯାଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଦଲାଲଜଣକ ପ୍ରତିଶୋଧ ନେବାକୁ ଯୋଜନା କରିଥିଲା। ଯେଉଁ ବାର୍ ମାଲିକମାନେ ନୂଆ ଡ୍ୟାନ୍ସରମାନଙ୍କୁ ନେବାକୁ ବୁକ୍ କରିଥିଲେ, ସେମାନେ ତା’ ସହ ହାତ ମିଳାଇଥିଲେ। ଗତକାଲି ରାତି ପ୍ରାୟ ୧୨ଟା ପରେ ସେମାନେ ମିଳିତ ଭାବେ ଅଣଓଡ଼ିଆ ଦଲାଲର ଭଡ଼ା ଘରକୁ ଯାଇ ଆକ୍ରମଣ କରିଥିଲେ। ଭଡ଼ା ଘରର ହାତଗଣତି ସୁରକ୍ଷାକର୍ମୀମାନେ ସୁରକ୍ଷା ଦେବା ପାଇଁ ସକ୍ଷମ ହୋଇନଥିଲେ। ଆକ୍ରମଣକାରୀମାନେ ଅଣଓଡ଼ିଆ ଦଲାଲକୁ ଉଲଗ୍ନ ମାଡ଼ ମାରିବା ସହ ଉକ୍ତ ଦୃଶ୍ୟକୁ ମୋବାଇଲ୍ରେ ରେକର୍ଡିଂ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/35-13.jpg)