ରାଜଧାନୀରେ କାଳବୈଶାଖୀ: ସକାଳୁ ତତେଇଲା, ଅପରାହ୍ନରେ ଉଡ଼େଇଲା

ଭୁବନେଶ୍ୱର: କମୁନି ଭୁବନେଶ୍ୱର ତାତି। ଲଗାତାର ତୃତୀୟ ଦିନ ପାଇଁ ଏଠାରେ ରାଜ୍ୟର ସର୍ବୋଚ୍ଚ ତାତି ରହିଛି। ପଶ୍ଚିମ ଓଡ଼ିଶାର ବିଭିନ୍ନ ସହରକୁ ପଛରେ ପକାଇ ରାଜଧାନୀର ତାପମାତ୍ରା ଲଗାତାର ଭାବେ ୪୨ ଡିଗ୍ରି ଉପରେ ରହୁଛି। ଗତକାଲି ୪୨.୨ ଡିଗ୍ର୍ରି କମିଥିବା ବେଳେ ଆଜି ପୁଣିଥରେ୪୨.୩ ଡିଗ୍ରିରେ ପହଞ୍ଚିଛି। ସକାଳ ୯ଟାରୁ ଅପରାହ୍ନ ସାଢ଼େ ୩ଟା ଯାଏ ତାତିରେ ଆଉଟୁପାଉଟୁ ହୋଇଥିଲେ ସହରବାସୀ। ଆକାଶରେ ଟିକିଏ ବି ବାଦଲର ଦେଖା ନ ଥିଲା। ସବୁଠି ଖାଲି ତାତି ହିଁ ତାତି। ତା’ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ ସାଧାରଣ ଲୋକେ। ରାସ୍ତାରେ ଚାଲିଚାଲି ଯିବାକୁ ନାକେଦମ ହୋଇପଡ଼ିଥିଲେ। ଗତ ଦୁଇ ଦିନ ପରି ଆଜି ମଧ୍ୟାହ୍ନରେ ବି ରାସ୍ତାଘାଟ ଶୂନଶାନ ହୋଇଥିଲା। ତାତି ଜାରି ରହିଥିବା ବେଳେ ଅପରାହ୍ନରେ ରାଜଧାନୀ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ବାଦଲ। କେହି କିଛି ବୁଝିବା ପୂର୍ବରୁ ଝିପିଝିପି ବର୍ଷା ହୋଇଥିଲା। କିନ୍ତୁ ପବନ ବାଡ଼େଇଥିଲା। ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ପବନ ହେବା ଦ୍ୱାରା ଜନଜୀବନ ପ୍ରଭାବିତ ହୋଇଥିଲା। ରାଜଧାନୀର ଅଧିକାଂଶ ଅଞ୍ଚଳରେ ଏଭଳି ତାଣ୍ଡବ ଦେଖିବାକୁ ମିଳିଥିଲା। ପବନ ହେବା ଦ୍ୱାରା ବଡ଼ ବଡ଼ ଗଛ ଉପୁଡି ପଡ଼ିଥିଲା। ସବୁଠାରୁ ଅଧିକ କ୍ଷତି ହୋଇଥିଲା ଭୁବନେଶ୍ୱର ମଧ୍ୟ ଅଞ୍ଚଳରେ। ସହରର ୟୁନିଟ୍‌-୨, ଖାରବେଳ ନଗର, ମାଷ୍ଟରକ୍ୟାଣ୍ଟିନ୍‌, ସଚିବାଳୟ ମାର୍ଗ, ଏଜି ଛକ, ରାଜଭବନ, ରାଜମହଲ, ୟୁନିଟ୍‌-୯, ବୁଦ୍ଧନଗରରେ ପ୍ରବଳ କ୍ଷତିଗସ୍ତ ହୋଇଛି। ୫୦ରୁ ଅଧିକ ଗଛ ଭାଙ୍ଗିପଡ଼ିଛି। ଯେଉଁଥିପାଇଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା। ଲୋକେ ରାସ୍ତାରେ ଗାଡ଼ି ନେଇ ଯାଇପାରି ନ ଥିଲେ। ଅଗ୍ନିଶମ ଓ ଓଡ୍ରାଫ୍‌ର ମିଳିତ ସହଯୋଗରେ ରାସ୍ତାରେ ପଡ଼ିଥିବା ଗଛଗୁଡ଼ିକୁ କାଟାଯିବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା। ବାରଙ୍ଗରେ ବି ଝଡ଼ବର୍ଷା ଯୋଗୁଁ ବହୁ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ବଜ୍ରପାତ ଯୋଗୁଁ ଅଧିକାଂଶ ସ୍ଥାନରେ ଲୋକେ ଭୟଭୀତ ହୋଇପଡ଼ିଥିଲେ।

ଅଧା ରାଜଧାନୀ ଅନ୍ଧାର
ଝଡ଼ବର୍ଷା ଯୋଗୁଁ ଅଧା ରାଜଧାନୀ ଅନ୍ଧାର ହୋଇଯାଇଛି। ସହରର ଅଧିକାଂଶ ସ୍ଥାନରେ ବିଦ୍ୟୁତ୍‌ ସରବରାହ ବ୍ୟାହତ ହୋଇଛି। ରାଜଭବନ, ବମିଖାଲ, ସିଆର୍‌ପି ଛକ, ଭୌମ୍ୟନଗର, ୟୁନିଟ୍‌-୨, ଖାରବେଳନ ନଗର ଅଞ୍ଚଳରେ ରାତି ପର୍ଯ୍ୟନ୍ତ ବି ସ୍ଥିତି ସ୍ୱାଭାବିକ ହୋଇପାରିନି। ବିଦ୍ୟୁତ ତାର ଉପରେ ଗଛ ପଡ଼ିବା ଯୋଗୁଁ ତାହା ଛିଣ୍ଡିପଡ଼ିଛି। ମରାମତି ହୋଇପାରି ନାହିଁ। ରାତିରେ ବିଜୁଳି ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ସହର ଉପକଣ୍ଠରେ ବି ସମାନ ଅବସ୍ଥା ଉପୁଜିଛି। ଓଡ୍ରାଫ୍‌ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଗଛ କାଟା ଜାରି ରହିଛି।

୧୦ ଗାଡ଼ି ଚୂରମାର
ଝଡ଼ବର୍ଷାରେ ୧୦ରୁ ଅଧିକ ଗାଡ଼ି ଭାଙ୍ଗି ଚୂରମାର ହୋଇଛି। ଏଜି କାର୍ଯ୍ୟାଳୟ ପରିସରରେ ଥିବା ଏକାଧିକ ଗଛ ଉପୁଡ଼ି ୨ଟି ଗାଡ଼ି ଉପରେ ପଡ଼ିବାରୁ ସେଗୁଡ଼ିକ ଭାଙ୍ଗିଯାଇଛି। ସେହିପରି ରାଜ୍ୟ ସଚିବାଳୟ ପଛପାର୍ଶ୍ୱରେ ପାର୍କିଂ ହୋଇଥିବା କିଛି ଗାଡ଼ି ଉପରେ ଗଛ ଡାଳ ପଡ଼ିବା ଦ୍ୱାରା ତାହା ବି କ୍ଷତିଗସ୍ତ ହୋଇଛି। ଲୋୟର ପିଏମ୍‌ଜି, ୟୁନିଟ୍‌-୬ ଅଞ୍ଚଳରେ ବି ଗଛ ପଡ଼ି ଗାଡ଼ି ଭାଙ୍ଗିଯାଇଥିବା ଜଣାପଡ଼ିଛି।

ବିମାନବନ୍ଦର କ୍ୟାଣ୍ଟିନ୍‌ ଭାଙ୍ଗିପଡ଼ିଲା
ପବନ ମାଡ଼ ଯୋଗୁଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର କ୍ୟାଣ୍ଟିନ୍‌ର କିଛି ଅଂଶ ଭାଙ୍ଗିପଡ଼ିଛି। ସେହିପରି ଏହାର ଉପରି ଭାଗରେ ଥିବା ଟାଇଲ୍‌ ମଧ୍ୟ ଖସି ପଡ଼ିଥିଲା। ଟିକେଟ୍‌ କାଉଣ୍ଟର୍‌ର ଏକ ଭାଗ ଗଳି ପଡ଼ିଥିଲା। ଏଥିରେ କାହାର କିଛି କ୍ଷତି ହୋଇ ନ ଥିବା ଜଣାପଡ଼ିଛି।

ଗଛ ପଡ଼ି ୫ ଆହତ
ଝଡ଼ବର୍ଷାରେ ଆଜି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ହୋଇଛି। ୪୦ରୁ ୫୦ କିମି ବେଗରେ ପବନ ହେବା ଯୋଗୁଁ ଲୋୟର ପିଏମ୍‌ଜିରେ ଥିବା ଏକ ବିଶାଳ ଗଛ ଉପୁଡି ପଡ଼ିଥିଲା। ଫଳରେ ଗଛ ଦୁଇ ପାର୍ଶ୍ୱରେ ଧାରଣାରେ ବସିଥିବା ଦୁଇଟି ସଙ୍ଗଠନର ୫ ଜଣ ଆନ୍ଦୋଳନକାରୀ ଆହତ ହୋଇଥିଲେ। ରାଜ୍ୟ ଜଳଯୋଗାଣ ଓ ପରିମଳ କର୍ମଚାରୀ ସମନ୍ଵୟ ସମିତିର ୩ ଜଣ ଓ ଆଇସିଟି ବିଦ୍ୟାଳୟ ସଂଯୋଜକ ସଂଘର ଦୁଇ ଜଣ ଆହତ ହୋଇଥିଲେ। ରାଜ୍ୟ ଜଳଯୋଗାଣ ଓ ପରିମଳ କର୍ମଚାରୀ ସମନ୍ଵୟ ସମିତିର ଧନେଶ୍ୱର ପ୍ରଧାନ ଗୁରୁତର ଆହତ ହେବାରୁ ତାଙ୍କୁ ପିସିଆର ଭ୍ୟାନ୍‌ରେ ମେଡିକାଲକୁ ନିଆଯାଇଥିଲା। ସୌଭାଗ୍ୟବଶତଃ ଗଛମୂଳରେ ଥିବା ଆଉ ଏକ ସଙ୍ଗଠନର ଟେଣ୍ଡ ବନ୍ଧାଯାଇଥିଲେ ମଧ୍ୟ ସେଥିରେ କେହି ନ ଥିଲେ। ତେଣୁ କୌଣସି କ୍ଷୟକ୍ଷତି ହୋଇନି। ଆଇସିଟି ବିଦ୍ୟାଳୟ ସଂଯୋଜକ ସଂଘର ଟେଣ୍ଡ ଭାଙ୍ଗିଯିବା ପରେ ସେମାନେ ରାସ୍ତା ଉପରେ ଧାରଣାରେ ବସିଥିଲେ। ଫଳରେ ସନ୍ଧ୍ୟା ପର୍ଯ୍ୟନ୍ତ ଲୋୟର ପିଏମ୍‌ଜି ରାସ୍ତାରେ ଯିବା ଆସିବା ହୋଇପାରି ନ ଥିଲା। ଏଜି ଛକରୁ ରାଜଭବନ ଛକ ରାସ୍ତା ଉପରେ ଗଛ ଡାଳ ଭାଙ୍ଗି ପଡ଼ିଥିବାରୁ କିଛି ସମୟ ଲାଗି ଯାତାୟାତ ବ୍ୟହତ ହୋଇଥିଲା।

ସମ୍ବନ୍ଧିତ ଖବର