ବାଲିପାଟଣା: ଖୋର୍ଦ୍ଧା ଜିଲ୍ଲା ୧୯ ନମ୍ବର ଜିଲ୍ଲା ପରିଷଦ ଜୋନ୍ରେ ଏଥର କଡ଼ା ଟକ୍କର ଦେଖିବାକୁ ମିଳିଛି। କାରଣ ଏଠାରେ କଂଗ୍ରେସ, ବିଜେପି, ବିଏସ୍ପି, ଆପ୍ ଭଳି ଜାତୀୟ ଦଳ ପ୍ରାର୍ଥୀ ଦେଇଥିବା ବେଳେ ଆଞ୍ଚଳିକ ଦଳ ବିଜେଡି ଜଣକୁ ପ୍ରାର୍ଥୀ କରିଛି। ସେହିଭଳି ଅସନ୍ତୁଷ୍ଟ ବିଜେଡିରୁ ଜଣେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି। ତେବେ ଶାସକ ବିଜେଡି ଦଳ ପ୍ରଚାର ଦୌଡ଼ରେ ଆଗରେ ଥିବାବେଳେ ବିଜେପି ମଧ୍ୟ ଜୋର୍ଦାର କସରତ ଚଳାଇଛି। ଜଟଣୀ ବିଧାୟକ ସୁର ରାଉତରାୟ ମଧ୍ୟ କଂଗ୍ରେସ ପ୍ରାର୍ଥୀଙ୍କ ଏଠାରେ କାନ୍ଧ ଲଗାଇଥିବା କୁହାଯାଉଛି। ଆପ୍ ପ୍ରଥମ ଥର ପାଇଁ ପ୍ରାର୍ଥୀ ଦେଇଥିବାରୁ ପ୍ରଚାର ଜମୁଛି।
ଦୀର୍ଘ ଦୁଇ ଦଶନ୍ଧି ପରେ ଏହି ଜୋନ୍ଟି ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରହିଛି। ଏହି ଜୋନ୍ରେ ୬ ଜଣ ପ୍ରାର୍ଥୀ ଅଛନ୍ତି। ବିଜେଡିରୁ ଗଙ୍ଗାଧର ମଲ୍ଲିକ, ବିଜେପିରୁ ପ୍ରସନ୍ନ ଭୋଇ, କଂଗ୍ରେସରୁ ତ୍ରିନାଥ ମଲ୍ଲିକ, ବିଏସ୍ପିରୁ ଅମର ଷ୍ଟେଫିନ୍ ମୌର୍ଯ୍ୟା, ଆମ୍ ଆଦମୀ ପାର୍ଟିରୁ ପ୍ରତାପ ମଲ୍ଲିକ ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ବିପ୍ଳବ ମଲ୍ଲିକ ଲଢ଼ୁଛନ୍ତି। ୧୯୯୭ ମସିହାରେ ଏହି ଜୋନ୍ ବିଜେପି ଦଖଲରେ ଥିଲା। ଜୟନ୍ତ ଭୋଇ ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ ଏହା ପରଠାରୁ ବିଜେଡି କବ୍ଜାରେ ଏହି ଜୋନ୍ ରହିଆସିଛି। ଗାରେଡିପାଞ୍ଚଣ, ଅଠାନ୍ତର, ପମ୍ପାଲୋ, ମଝିହରା ଓ ଭାକରସାହି ଏହି ୫ ପଞ୍ଚାୟତକୁ ନେଇ ଏହି ଜୋନ୍ ଗଠିତ। ବିଜେଡିର ଗଡ଼ ଭାବେ ଜଣାଶୁଣା ଏହି ଜୋନ୍କୁ କୌଣସି ହାଲ୍ରେ ବି ହାତଛଡ଼ା କରିବାକୁ ଦଳ ଚାହୁନାହିଁ। ତେଣୁ ନିଜେ କମଳ ପାତ୍ର ଏଠାରେ ସବୁ କଳବଳ କୌଶଳ ଲଗାଇଛନ୍ତି ଓ ପ୍ରାର୍ଥୀ ଗଙ୍ଗାଧର ଘର ଘର ବୁଲି ପ୍ରଚାର ଜାରି ରଖିଛନ୍ତି। ବିଜେଡି ଫାଟରୁ ଫାଇଦା ନେବାକୁ ବିଜେପି ଟାକି ବସିଛି। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜେ ପ୍ରସନ୍ନଙ୍କ ପାଇଁ କ୍ୟାମ୍ପେନିଂ କରିଛନ୍ତି। କିନ୍ତୁ ବିଜେଡି ଭଳି ଏଠାରେ ମଧ୍ୟ ବିଜେପିରେ ଫାଟ ସୃଷ୍ଟି ହୋଇଛି। ତେଣୁ ବିଜେଡି ଫାଟରୁ ବିଜେପି ଫାଇଦା ନେବା ସହଜ ନୁହେଁ ବୋଲି ଚର୍ଚ୍ଚା ହେଉଛି। କଂଗ୍ରେସ ପ୍ରାର୍ଥୀ ତ୍ରିନାଥଙ୍କ ଲାଗି ଜଟଣୀ ବିଧାୟକ ସୁର ରାଉତରାୟ ପ୍ରଚାର କରିଛନ୍ତି।