ସାହସିନୀ ମଧୁମିତା: ଛାତ ଉପରେଲୁଟେରା ସହ ଏକୁଟିଆ ଲଢ଼ିଲେ

ଚନ୍ଦ୍ରଶେଖରପୁର: ଗୁୁରୁବାର ଭୋର୍‌ ପ୍ରାୟ ପାଞ୍ଚଟା। ସେତେବେଳ ଯାଏ ପୂରା ଫର୍ଚ୍ଚା ହୋଇନଥାଏ। ଛାଇ ଅନ୍ଧାର ଭିତରେ ସବୁଦିନ ଭଳି ସେଦିନ ବି ଫୁଲ ତୋଳିବାକୁ ଛାତ ଉପରକୁ ଯାଇଥାଆନ୍ତି ନବବିବାହିତା ମଧୁମିତା। ଫୁଲ ତୋଳୁଥିବା ସମୟରେ ହଠାତ୍‌ କେହି ଜଣେ ତାଙ୍କ ପଛରେ ଠିଆ ହୋଇଥିବା ଅନୁଭବ କଲେ ସେ। ପଛକୁ ବୁଲି ଚାହାଁନ୍ତେ ଜଣେ ମୁଖାପିନ୍ଧା ଦୁର୍ବୃତ୍ତ ତାଙ୍କ ହାତକୁ ଜୋର୍‌ରେ ମାଡ଼ି ବସି ବେକରେ ପିନ୍ଧିଥିବା ସୁନା ଚେନ୍‌, କାନଫୁଲ, ହାତର ସୁନା ଚୁଡ଼ିକୁ ଜୋରଜବରଦସ୍ତ ଝାମ୍ପି ନେବାକୁ ଚେଷ୍ଟା କଲା। ଛାତ ଉପରେ ଏକୁଟିଆ ୨୨ ବର୍ଷୀୟା ନବବିବାହିତା ମଧୁମିତା। ଆଉ ସାମ୍ନାରେ ମୁଖାପିନ୍ଧା ବପୁବନ୍ତ ଦୁର୍ବୃତ୍ତ। ସେ ଭଲ ଭାବେ ଜାଣିଥିଲେ ଯେ ପାଟି କଲେ ମଧ୍ୟ ଏତେ ବଡ଼ି ଭୋର୍‌ କେହି ବିଛଣା ଛାଡ଼ି ଉଠି ଆସିବେନି। ମାତ୍ର ହାର୍‌ ମାନିନଥିଲେ ସେ। ଉପସ୍ଥିତ ବୁଦ୍ଧି ଖଟାଇ ଲୁଟେରାର ଆଖିକୁ ଲକ୍ଷ୍ୟ କରି ପକାଇଥିଲେ ଲଣ୍ଡାଏ ଛେପ। ଆଖିିରେ ଛେପ ପଡ଼ିବା ଫଳରେ ଦୁର୍ବୃତ୍ତ ଜଣକ କିଛି ଦେଖିପାରିନଥିଲା। କିନ୍ତୁ ସେ ମଧୁଙ୍କ ହାତରୁ ସୁନା ଚୁଡ଼ି କାଢ଼ି ନେଇ ଯିବାର ଚେଷ୍ଟା ଛାଡ଼ୁ ନଥାଏ। ମଧୁ କିନ୍ତୁ ଯେମିତି ପଣ କରିଥିଲେ ତା’କୁ ଏକ ଉଚିତ୍‌ ଶିକ୍ଷା ଦେବାକୁ। ଦୁର୍ବୃତ୍ତ ଜଣକ ସାମାନ୍ୟ ଅପ୍ରସ୍ତୁତ ହେବା କ୍ଷଣି ତା’ର ଡାହାଣ ହାତକୁ କସି କରି ଧରି ନେଇଥିଲେ ମଧୁ। ଆଉ ପାଖରେ ଖୋଲାଥିବା ଲୁହା କବାଟରେ ବାଡ଼େଇ ଦେଇଥିଲେ। ଏହି କ୍ରମରେ ମଧୁଙ୍କ ହାତ ମଧ୍ୟ ଆଘାତପ୍ରାପ୍ତ ହୋଇଥିଲା। ମାତ୍ର ନିଜର ଅଦମ୍ୟ ସାହସ ଆଉ ଉପସ୍ଥିତ ବୁଦ୍ଧିର ପ୍ରଦର୍ଶନ କରିଥିଲେ ସେ। ଦୁର୍ବୃତ୍ତର ହାତ ଲୁହା ଗେଟ୍‌ରେ ମାଡ଼ ହୋଇ ଆଘାତପ୍ରାପ୍ତ ହେବାକ୍ଷଣି ସେ ଖସି ପଳାଇବାକୁ ଉଦ୍ୟମ କରିଥିଲା। ମାତ୍ର ମଧୁ ନଛୋଡ଼ବନ୍ଧା। ଠାକୁରଙ୍କ ପାଇଁ ଫୁଲ ଆଣିବାକୁ ଯାଇଥିବା ମଧୁ ସତେ ଯେପରି ମା’ ଦୁର୍ଗାଙ୍କଠାରୁ ଶକ୍ତି ପାଇ ଯାଇଥିଲେ। ଲୁଟେରାର ହାତକୁ ନିଜ ଦୁଇ ହାତରେ ଜୋର୍‌ରେ ଧରି କାବୁ କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ। ଆଉ ତା’ ମୁହଁରେ ଥିବା ମୁଖାକୁ ମଧ୍ୟ ଖୋଲିବାକୁ ଚେଷ୍ଟା କରିଥିଲେ। ଏହା ସହିତ ଚିତ୍କାର କରି ଅନ୍ୟମାନଙ୍କୁ ଉଠାଇବାକୁ ମଧ୍ୟ ଚେଷ୍ଟା କରିଥିଲେ। ଏହିଭଳି ଭାବରେ ପ୍ରାୟ ୧୫ମିନିଟ୍‌ କାଳ ଧସ୍ତାଧସ୍ତି ଭିତରେ ଶେଷରେ ଲୁଟେରା ହାର୍‌ ମାନିଥିଲା। ସେଇ ଛାତରୁ ପାଖରେ ଥିବା ଆଉ ଗୋଟେ ଛାତକୁ ଡେଇଁ ପଳେଇଥିଲା। ଗଲାବେଳେ ମୁହଁରେ ବାନ୍ଧିଥିବା କପଡ଼ା କିନ୍ତୁ ଗଳିପଡ଼ିଥିଲା ଆର ଛାତ ଉପରେ।

ବୁଧବାର ସକାଳୁ ସକାଳୁ ଏପରି ଘଟଣା ଘଟିଛି ନୀଳାଦି୍ରବିହାର ସେକ୍ଟର-୨ ଅନ୍ତର୍ଗତ ପ୍ଲଟ୍‌ ନଂ-୫୭୨/୫୭୩ରେ। ଏକାକୀ ଲୁଟେରା ସହ ଲଢ଼େଇ କରି ନିଜ ମୂଲ୍ୟବାନ ଅଳଙ୍କାରକୁ ଲୁଟ୍‌ କରିବାରୁ ବିରତ କରିବା ସହ ଲୁଟେରାକୁ ଆଘାତ ଦେଇ ପାନେ ଚଖେଇଥିବା ସାହସିନୀ ମହିଳା ଜଣକ ହେଉଛନ୍ତି ମଧୁମିତା ଚାନ୍ଦ। ମାତ୍ର ୭ ମାସ ତଳେ ତାଙ୍କ ବାହାଘର ହୋଇଛି। ସ୍ୱାମୀ ବାଦଲ ବଳ ମର୍ଚ୍ଚାଣ୍ଟ୍‌ ନ୍ୟାଭିରେ କାର୍ଯ୍ୟ କରୁଥିବାରୁ ଘରେ ଶାଶୂ କୁମୁଦିନୀ ବଳ ଓ ଶ୍ୱଶୁର ବିଷ୍ଣୁ ଚରଣ ବଳଙ୍କ ସହିତ ରହନ୍ତି ମଧୁମିତା। ଓୟୁଏଟି ବେସିକ୍‌ ସାଇନ୍ସ୍‌ କଲେଜର ଯୁକ୍ତ ତିନି ପ୍ରଥମ ବର୍ଷରେ ଉଦ୍ଭିଦ ବିଜ୍ଞାନ ସମ୍ମାନରେ ଅଧ୍ୟୟନ କରୁଥିବା ମଧୁମିତାଙ୍କ ଏଭଳି ସାହସିକତାକୁ ନେଇ ଆଜି ଦିନତମାମ କଲୋନିରେ ଲାଗି ରହିଥିଲା ଚର୍ଚା। ଦୁର୍ବୃତ୍ତ ଜଣକ ଖସି ପଳାଇଲା ପରେ ତାଙ୍କ ପାଟି ଶୁଣି ଛାତ ଉପରେ ପହଞ୍ଚିଥିଲେ ତାଙ୍କ ଘର ଲୋକ ଓ ଆଖପାଖର ସାହି ପଡ଼ିଶା। ମଧୁଙ୍କର ଏପରି ସାହସିକତା ପାଇଁ ନିଜ ସ୍ୱାମୀଙ୍କ ସମେତ ସମସ୍ତେ ତାଙ୍କୁ ବାହାବା କରୁଛନ୍ତି। ଜଣେ ଦୁର୍ବୃତ୍ତ ସହ ଏକାକୀ ଲଢ଼ି ତା’କୁ ପାନେ ଚଖେଇଥିବାରୁ ଯୁବପିଢ଼ିଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ମଧୁମିତା।

ସମ୍ବନ୍ଧିତ ଖବର