କେ-୭ରେ ମନ୍ଦିର ଭଙ୍ଗାକୁ ପ୍ରବଳ ବିରୋଧ, ବିକ୍ଷୋଭ ପ୍ରଦର୍ଶନ କଲେ ସ୍ଥାନୀୟ ବାସିନ୍ଦା

ଖଣ୍ଡଗିରି: ବର୍ଷେ କି ଦୁଇ ବର୍ଷ ନୁହେଁ; ୨୦୦ବର୍ଷରୁ ଅଧିକ ସମୟ ହେଲା ତାଙ୍କୁ ଆମେ ପୂଜାର୍ଚ୍ଚନା କରୁଛୁ। ସୁଖରେ ହଉ ଅବା ଦୁଃଖରେ ସମସ୍ତେ ତାଙ୍କୁ ମୁଣ୍ଡିଆ ମାରୁଛୁ। ବାହାଘର ଦିଅଁ ମଙ୍ଗୁଳାଠାରୁ ଆରମ୍ଭ କରି ଯାବତୀୟ ଶୁଭ କାମରେ ମା’ଙ୍କ ପୂଜାର୍ଚନା କରାଯାଉଛି। ପୂରା ଘାଟିକିଆ ବାସିନ୍ଦା ସବୁବେଳେ ମା’ଙ୍କ ନିକଟରେ ସେମାନଙ୍କ ମଙ୍ଗଳ ମନାସିଥାନ୍ତି। ହେଲେ ଏବେ ଚକ୍ରାନ୍ତ କରି ମା’ଙ୍କ ମନ୍ଦିର ଭାଙ୍ଗିବାକୁ ଯୋଜନା କରାଯାଉଛି। ମରିଯିବୁ ପଛେ ମନ୍ଦିର ଭାଙ୍ଗିବାକୁ ଦେବୁନି। ଏପରି କହି କ୍ଷୋଭ ଏବଂ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଘାଟିକିଆ କେ-୭ର ବାସିନ୍ଦା। ବିଡିଏ ପକ୍ଷରୁ ମନ୍ଦିର ଭଙ୍ଗାକୁ ବିରୋଧ କରି ଗୁରୁବାର ସ୍ଥାନୀୟ ଅଧିବାସୀ ମନ୍ଦିର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଏହାକୁ ନେଇ ସ୍ଥାନୀୟ ଅଧିବାସୀ ହର୍ଷ ମାଝି କହିଛନ୍ତି, ମନ୍ଦିର ଜଙ୍ଗଲ ମଧ୍ୟରେ ଥିଲା। ସମୟକ୍ରମେ ସହର ବଢ଼ିଲା। ବିଡିଏ ଦ୍ବାରା ପ୍ଲଟ୍ କରି ଜାଗା ସବୁ ବିକ୍ରି କରାଗଲା। ମନ୍ଦିର ବି ସହର ମଧ୍ୟକୁ ଚାଲି ଆସିଲା। ସେତେବେଳେ ବିଡିଏର ମାପଚୁପରେ ମନ୍ଦିର ପାଇଁ ୫୦୩ ନମ୍ବର ପ୍ଲଟ୍‌ ସଂରକ୍ଷିତ ରଖାଯାଇଥିଲା। ବର୍ତ୍ତମାନ ବିଡିଏ ମନ୍ଦିର ଭାଙ୍ଗିବାକୁ କିଭଳି କହୁଛି, ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିବାସୀ ନାୟକ କହିଛନ୍ତି, ଠାକୁରାଣୀ ଆମ ଆରାଧ୍ୟ ଦେବୀ। ଏଠି ଅନେକ ବର୍ଷରୁ ଆମେ ପୂଜା କରୁଛୁ। ଏହାର କ୍ଷତି ହେବାକୁ ଦିଆଯିବ ନାହିଁ। କେ-୭ରେ ରେସିଡେନ୍ସ ଆସୋସିଏସନ୍‌ର ସମ୍ପାଦକ ଜଗମୋହନ ପଟ୍ଟନାୟକଙ୍କ କହିବା କଥା, ୫୦୩ ନମ୍ବର ପ୍ଲଟ୍‌ ନିଲାମ ହେବା କଥା ଜାଣିବା ପରେ ସେ ବିଡିଏ ସମ୍ପାଦକଙ୍କୁ ଭେଟି ମନ୍ଦିର ବିଷୟରେ ଜଣାଇଥିଲେ। ସେହି ସମୟରେ ମନ୍ଦିର ଭଙ୍ଗାଯିବା କିମ୍ବା ନିଲାମ ହେବ ନାହିଁ ବୋଲି କୁହାଯାଇଥିଲା। ବୁଧବାର ଏହାକୁ ଭାଙ୍ଗିବା ପାଇଁ ବିଡିଏ ତରଫରୁ ପ୍ରଚାର କରାଯାଇଛି। ବିକ୍ଷୋଭରେ ୨୩ ନମ୍ବର ୱାର୍ଡର ପୂର୍ବତନ କର୍ପୋ‌ରେଟର୍‌ ଦିଲ୍ଲୀପ ମାଝୀଙ୍କ ସମେତ କେ-୭ ଶ୍ରେୟା ମହିଳା ସଂଗଠନର ସମସ୍ତ ସଦସ୍ୟା ଓ ଘାଟିକିଆ ଗ୍ରାମବାସୀ ସାମିଲ ଥିଲେ।

ସମ୍ବନ୍ଧିତ ଖବର