ଭୁବନେଶ୍ୱର: ଗାନ୍ଧୀଜୀଙ୍କ ଐତିହାସିକ ସାବରମତୀ ଆଶ୍ରମ ସରଳ ଜୀବନଯାପନ ଓ ଉଚ୍ଚ ବୌଦ୍ଧିକ ଚିନ୍ତା ସହ ଦେଶ ପ୍ରତି ତ୍ୟାଗ ଓ ବଳିଦାନର ଗୌରବଗାଥା ବହନ କରେ। କିନ୍ତୁ ଉଭୟ କେନ୍ଦ୍ର ଓ ଗୁଜରାଟ ସରକାର ଏହି ଆଶ୍ରମକୁ ଭାଙ୍ଗି ପୁନଃନିର୍ମାଣ ଏବଂ ଏଠାରେ ଏକ ୭ ତାରକା ହୋଟେଲ, ସପିଂ ମଲ, ପାର୍କିଂ ଓ ଫୁଡ୍କୋର୍ଟ କରିବା ପାଇଁ ଯେଉଁ ଯୋଜନା କରୁଛନ୍ତି, ତାହା ଗାନ୍ଧୀଜୀଙ୍କ ଚିନ୍ତାଧାରାର ପରିପନ୍ଥୀ। ‘ସେବାଗ୍ରାମ-ସାବରମତୀ ସନ୍ଦେଶଯାତ୍ରା’କୁ ସମର୍ଥନ କରି ଆଜି ସମାଜବାଦୀ ପାର୍ଟି ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ବିଶିଷ୍ଟ ଗାନ୍ଧୀବାଦୀ ଭଗବାନ ପ୍ରକାଶ ଏପରି ମତବ୍ୟକ୍ତ କରିଛନ୍ତି। ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶାରେ ବୁଦ୍ଧିଜୀବୀ ଓ ରାଜନେତାମାନେ ଏକାଠି ହୋଇ କେନ୍ଦ୍ର ସରକାରଙ୍କ ୧୨୪୬କୋଟି ଟଙ୍କାର ସାବରମତୀ ପ୍ରକଳ୍ପକୁ ବିରୋଧ କରିଛନ୍ତି। ସର୍ବସେବା ସଂଘ ଓ ଭୂଦାନ ଯଜ୍ଞ ସମିତିର ରାଜ୍ୟ ସାଧାରଣ ସମ୍ପାଦକ ଗୌରାଙ୍ଗ ମହାପାତ୍ର କେନ୍ଦ୍ର ଓ ଗୁଜରାଟ ସରକାରଙ୍କ ପଦକ୍ଷେପକୁ ତୀବ୍ର ନିନ୍ଦା କରିବା ସହ ଏହି ୧୨୪୬କୋଟି ଟଙ୍କାରେ କୁଟୀର ଶିଳ୍ପ ସ୍ଥାପନ କରି ବେକାର ଯୁବକ ଯୁବତୀମାନଙ୍କୁ ରୋଜଗାର ଦେବା ପାଇଁ ସରକାରଙ୍କୁ ପରାମର୍ଶ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ତଥା ଗାନ୍ଧୀବାଦୀ ସୁଧାଂଶୁ ଶେଖର ମହାପାତ୍ର, କରୁଣାକର ହୋତା, ଆନନ୍ଦ ଚନ୍ଦ୍ର ପଟ୍ଟନାୟକ, ସମାଜବାଦୀ ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ଅଭୟ ବଡ଼ଜେନା ଓ ଯୁବନେତା ଦେବାଶିଷ ମହାପାତ୍ର ପ୍ରମୁଖ ଏହି ପ୍ରକଳ୍ପର ତୀବ୍ର ନିନ୍ଦା କରିବା ସହିତ ଏହାକୁ ବିରୋଧ କରିବା ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ।
ଆଗାମୀ ଦିନରେ ମୌଳବାଦୀ ଶକ୍ତିର ଷଡ଼ଯନ୍ତ୍ର ବିରୁଦ୍ଧରେ ସାବରମତୀ ଆଶ୍ରମ ଓ ଗାନ୍ଧୀବାଦକୁ ସୁରକ୍ଷା ଦେବା ପାଇଁ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟର ଯୁବକଯୁବତୀମାନଙ୍କୁ ଏକତ୍ରିତ କରାଯାଇ ବିକ୍ଷୋଭ ପ୍ରତିବାଦ କରାଯିବା ସହ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ପ୍ରକଳ୍ପକୁ ବାତିଲ୍ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରଖିବାକୁ ସର୍ବସମ୍ମତକ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ ପାଇଁ ପଦକ୍ଷେପ ନିଆଯିବ ବୋଲି ସ୍ଥିର ହୋଇଥିଲା। ଡ. ଭଗବାନ ପ୍ରକାଶଙ୍କୁ ଏହି କାର୍ଯ୍ୟକ୍ରମର ଆବାହକ ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି।
ଦଳମତ ନିର୍ବିଶେଷରେ ‘ସାବରମତୀ ଆଶ୍ରମ’ର ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସନ୍ତୁ
ଚନ୍ଦ୍ରଶେଖରପୁର: ଗାନ୍ଧୀଜୀଙ୍କ ସାବରମତୀ ଆଶ୍ରମ ଏବେ ବି ଦେଶ ବିଦେଶର ଗବେଷକଙ୍କ ସମେତ କ୍ରାନ୍ତିକାରୀମାନଙ୍କ ଲାଗି ବତିଘର ହୋଇ ରହିଛି। ଏହି ଆଶ୍ରମରୁ ସତ୍ୟାଗ୍ରହର ପଞ୍ଚଜନ୍ୟ ବାଜୁଥିଲା। ଅସହଯୋଗ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ ସମେତ ବହୁ ସଂଗ୍ରାମର ସାକ୍ଷୀ ଏହି ଆଶ୍ରମରୁ ଗ୍ରାମ ସ୍ବରାଜ ଓ ରାମରାଜ୍ୟର ନକ୍ସା ଆଙ୍କିଥିଲେ ଗାନ୍ଧୀଜୀ। ସରଳ ଜୀବନ ଓ ଉଚ୍ଚ ଚିନ୍ତନର ପ୍ରତୀକ ଏହି ଆଶ୍ରମରେ ବ୍ୟକ୍ତି ଚରିତ୍ରର ସଂସ୍କାର ସହ ସମୃଦ୍ଧ ରାଷ୍ଟ୍ର ଗଠନ ପାଇଁ ଅନେକ ପ୍ରୟୋଗ ହୋଇଥିଲା। ସାବରମତୀ କେବଳ ଏକ ସାଧାରଣ ଆଶ୍ରମ ନୁହେଁ, ଏହାସହ ଭାରତର ସ୍ବାଧୀନତା ସଂଗ୍ରାମର ଇତିହାସ ଯୋଡ଼ି ହୋଇ ରହିଛି। କିନ୍ତୁ ଏହି ଆଶ୍ରମକୁ ମାଟିରେ ମିଶାଇବା ପାଇଁ କେନ୍ଦ୍ର ଓ ଗୁଜରାଟ ସରକାର ହୀନ ପ୍ରୟାସ ଚଳାଇଛନ୍ତି। ତେଣୁ ଏହାର ଦଳମତ ନିର୍ବିଶେଷରେ ଏହାର ସୁରକ୍ଷା ଆମ ସମସ୍ତଙ୍କର କାମ। ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ, ଗାନ୍ଧୀ ବିଚାର ପ୍ରତିଷ୍ଠାନ ଭଳି ଗାନ୍ଧୀବାଦୀ ଅନୁଷ୍ଠାନ ପକ୍ଷରୁ ଆଜି ଲୋହିଆ ଏକାଡେମିରେ ଆୟୋଜିତ ସଭାରେ ଯୋଗଦେଇ ବହୁ ବିଶିଷ୍ଟ ଗାନ୍ଧୀବାଦୀମାନେ ଏପରି ମତପୋଷଣ କରିଥିଲେ। କାର୍ଯ୍ୟକ୍ରମକୁ ଦେବପ୍ରସାଦ ଦଳାଇ ସଂଯୋଜନା କରିଥିବା ବେଳେ ପ୍ରଫୁଲ୍ଲ ସାମନ୍ତରାୟ, ଇମ୍ରାନ୍ ଅଲ୍ଲୀ, ବିଜୟ ସ୍ବାଇଁ, ମଧୁସୂଦନ ଦାସ, କବିତାରାଣୀ ପରିଡ଼ା, ଅପର୍ଣ୍ଣା ନାୟକ, ମନସ୍ବିନୀ ପରିଡ଼ା, ସୁମନ୍ତିନୀ ଜେନା, ପ୍ରଦୀପ୍ତ ନାୟକ, ଅମିୟ ପାଣ୍ଡବ, ଅରୁଣ ଜେନା ପ୍ରମୁଖ ସାମିଲ ଥିଲେ।
ଏହି ଅବସରରେ ସକାଳେ ସାବରମତୀ ଆଶ୍ରମର ସୁରକ୍ଷା ଲାଗି ଆଜି ରାଜଧାନୀରେ ଏକ ଗଣସତ୍ୟାଗ୍ରହ ଅନୁଷ୍ଠିତ ହୋଇଥିଲା। ‘ସେବାଗ୍ରାମ-ସାବରମତୀ ସନ୍ଦେଶଯାତ୍ରା’କୁ ସମର୍ଥନ ଜଣାଇବା ଉଦ୍ଦେଶ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ଗାନ୍ଧୀବାଦୀମାନେ ଜନତା ମଇଦାନ ନିକଟ ମହାତ୍ମା ଗାନ୍ଧୀ ପାର୍କରେ ଏକତ୍ରିତ ହୋଇଥିଲେ। ପରେ ସେମାନେ ଲୋହିଆ ଏକାଡେମି ପର୍ଯ୍ୟନ୍ତ ଶୋଭାଯାତ୍ରାରେ କରି ରାଜଧାନୀବାସୀଙ୍କୁ ସଚେତନ କରାଇଥିଲେ। ସୂଚନାଯୋଗ୍ୟ, ଭୁବନେଶ୍ବର ସମେତ ରାଜ୍ୟର ୬୦ଟି ସ୍ଥାନରେ ଏହି ସତ୍ୟାଗ୍ରହ ଆୟୋଜିତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/f654h56sf4h65sf4h65sf465hfhsfhsfshsfhfh.jpg)