ଭୁବନେଶ୍ବର: ରାଜଧାନୀରୁ ଜଣେ ବିଶିଷ୍ଟ ବ୍ୟବସାୟୀଙ୍କ ପୁଅ ତଥା ବିବିଏ ଛାତ୍ର ଇଶାନ ଅଗ୍ରୱାଲ୍‌ଙ୍କୁ ଅପହରଣ କରିଥିବା ଗ୍ୟାଙ୍ଗ୍‌କୁ ଧରିବା ସହ ଅପହୃତ ଛାତ୍ରଙ୍କୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଛି କମିସନରେଟ୍‌ ପୁଲିସ। ୩୬ ଘଣ୍ଟାର ଅପରେସନ୍‌ ପରେ ପୁଲିସକୁ ଏହି ସଫଳତା ମିଳିଛି। ଭୁବନେଶ୍ବରରୁ ଦଶପଲ୍ଲା ଦେଇ ବ୍ରହ୍ମପୁର ପର୍ଯ୍ୟନ୍ତ ପୁଲିସକୁ ବୁଲାଇ ବୁଲାଇ ଶେଷରେ ଦୁର୍ବୃତ୍ତମାନେ ନୟାଗଡ଼ ନିକଟ ବୋଲଗଡ଼ ଚୂଡ଼ା ଅଞ୍ଚଳରେ ପୁଲିସ ହାତରେ ଧରାପଡ଼ିଛନ୍ତି। ଦୁର୍ବୃତ୍ତମାନେ ଯେମିତି ଫିଲ୍ମ୍‌ ଷ୍ଟାଇଲ୍‌ରେ ଅପହରଣ କରିଥିଲେ, ପୁଲିସ ମଧ୍ୟ ସମାନ ଢ଼ଙ୍ଗରେ ଦୁର୍ବୃତ୍ତମାନଙ୍କୁ ଚକ୍‌ମା ଦେଇ କାବୁ କରିଛି। ତେବେ ଗ୍ୟାଙ୍ଗ୍‌ର ୨ ସହଯୋଗୀ ଚମ୍ପଟ ମାରିବାରେ ସଫଳ ହୋଇଛନ୍ତି। ଗିରଫ ହୋଇଥିବା ଦୁର୍ବୃତ୍ତମାନେ ହେଲେ ବ୍ରହ୍ମପୁର ବିଜିପୁର ଅଞ୍ଚଳର ରାମ କ୍ରିଷ୍ଣା (୨୭), ସମ୍ବଲପୁର ରେଢ଼ାଖୋଲ ଅଞ୍ଚଳର ସନ୍ତୋଷ କୁମାର ରାଉତ (୨୨), ନୟାଗଡ଼ ଗୌଡ଼ପୁଟ ଅଞ୍ଚଳର ଧନେଶ୍ବର ପାତ୍ର ଓ ଖଣ୍ଡଗିରି ଡୁମୁଡୁମା ରଘୁନାଥନଗର ଅଞ୍ଚଳର ମହମ୍ମଦ ମୁସ୍ତାକ୍‌ ଅଲ୍ଲୀ। ସେମାନଙ୍କଠାରୁ ଅପହରଣରେ ବ୍ୟବହୃତ କାର୍, ୨ଟି ଛୁରି, ୫ଟି ମୋବାଇଲ ଫୋନ୍ ଜବତ କରାଯାଇଛି। ଯେଉଁ ୨ ଅଭିଯୁକ୍ତ ଖସି ପଳାଇଛନ୍ତି, ସେମାନଙ୍କ ନିକଟରେ ଅପହରଣରେ ବ୍ୟବହୃତ ବନ୍ଧୁକ ଥିବା ଜଣାପଡ଼ିଛି। ତେବେ ଖୁବ୍‌ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି। ଆସନ୍ତାକାଲି ଏହି ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ଓ ପରେ ରିମାଣ୍ଡରେ ଆଣି ଅଧିକ ଛାନ୍‌ଭିନ୍ କରାଯିବ। ଏମିତିକି ଏମାନଙ୍କର ଟିଆଇ ପରେଡ୍‌ ହେବ ବୋଲି ଜଣାପଡ଼ିଛି।

Advertisment

publive-image

୩୬ ଘଣ୍ଟାର ଅପରେସନ୍

ଇଶାନଙ୍କ ବାପା ରାମରୂପ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିବା ପରେ ତୁରନ୍ତ ଡିସିପି ଉମାଶଙ୍କର ଦାଶ ଏଥିରେ ହସ୍ତକ୍ଷେପ କରିଥିଲେ। ସ୍ପେସାଲ ସ୍କ୍ବାଡ୍ ଏସିପି ସଞ୍ଜୀବ ଶତପଥୀ, ସହିଦନଗର ଥାନା ଆଇଆଇସି ହିମାଂଶୁ ଭୂଷଣ ସ୍ବାଇଁ, ଲକ୍ଷ୍ମୀସାଗର ଥାନା ଅଧିକାରୀ ଓମ୍ ପ୍ରକାଶ ମହାନ୍ତି ଓ ମହିଳା ଥାନାଧିକାରୀ ସନ୍ତୋଷିନୀ ବେହେରାଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍‌ ଗଠନ ହୋଇଥିଲା। ଅପହୃତ ଇଶାନକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିବାକୁ ଗୁରୁତ୍ବ ଦିଆଯାଇଥିଲା। ଅପହରଣକାରୀମାନଙ୍କୁ ଚକ୍‌ମା‌ ଦେବା ପାଇଁ ଯୋଜନା ପ୍ରସ୍ତୁତ ହେଲା। ଦୁଇଟି ଘରୋଇ ଗାଡ଼ିରେ ଏହି ଟିମ୍‌ ପୃଥକ ପୃଥକ ଭାବେ ଅଭିଯାନରେ ବାହାରି ପଡ଼ିଥିଲେ। ଟିମ୍‌ ଯେମିତି ଇଶାନ୍‌ର ପରିବାର ଲୋକ ଭଳି ଜଣାପଡ଼ିବେ, ସେଥିପାଇଁ ମହିଳା ଆଇଆଇସି ସନ୍ତୋଷିନୀଙ୍କୁ ସାମିଲ୍‌ କରାଯାଇଥିଲା।

 ନୟାଗଡ଼ ବୋଲଗଡ଼ ଜଙ୍ଗଲିଆ ରାସ୍ତାରୁ ଧରିଲା ପୁଲିସ

କାର୍‌, ଛୁରି, ୫ ମୋବାଇଲ ଫୋନ୍ ଜବତ

ପୁଅ ବେକରେ ଛୁରି ଲଗାଇ ଛାଡ଼ିଥିଲେ ଫଟୋ

କ୍ରାଇମ୍‌ ପାଟ୍ରୋଲ୍‌ ଧାରାବାହିକ ଷ୍ଟାଇଲ୍‌
ଅନୁସରଣ କରୁଥିଲେ ଦୁର୍ବୃତ୍ତ

ଆଜି କୋର୍ଟଚାଲାଣ, ରିମାଣ୍ଡରେ ଆଣିବ ପୁଲିସ

ଦାବି ମୁତାବକ ୩୦ ଲକ୍ଷ ଟଙ୍କା ଧରି ସେମାନେ ଯାଉଛନ୍ତି ବୋଲି ଦୁର୍ବୃତ୍ତମାନଙ୍କୁ ଫୋନ୍‌ କରି କହିଥିଲେ। ତେଣୁ ଦୁର୍ବୃତ୍ତମାନଙ୍କ ମୋବାଇଲ୍‌ କଲ୍‌କୁ ଅନୁସରଣ କରି କରି ପୁଲିସ ବାଘମାରୀରୁ ଧଳାପଥର ଓ ସେଠାରୁ ଦଶପଲ୍ଲା ଯାଏଁ ଯାଇଥିଲା। ଦୁର୍ବୃତ୍ତମାନେ ବାରମ୍ବାର ସ୍ଥାନ ବଦଳାଉଥିଲେ ଓ ନୂଆ ଜାଗାରୁ ଫୋନ୍ କରିଥିଲେ। ତେଣୁ ପରିବାର ଲୋକଙ୍କ ବେଶରେ ଥିବା ପୁଲିସ ମଧ୍ୟ ସେଠାରେ ପହଞ୍ଚିଥିଲା। ଏମିତି ବୁଲାଇ ବୁଲାଇ ଦୁର୍ବୃତ୍ତମାନେ ଦଶପଲ୍ଲାରୁ ଭଞ୍ଜନଗର, ହିଞ୍ଜିଳିକାଟୁ ଓ ବ୍ରହ୍ମପୁରରେ ପହଞ୍ଚିଥିଲେ। ପୁଣି ସେଠାରୁ ଫେରି ନୟାଗଡ଼ ସୁନାଖଳାଠାରୁ ୧୦ କିଲୋମିଟର ଦୂର ଚୂଡ଼ା ଅଞ୍ଚଳର ଏକ ଜଙ୍ଗଲିଆ ରାସ୍ତାରେ ଅଟକିଥିଲେ। ବଡ଼ କଥା ହେଉଛି ଇଶାନ୍‌ ଥିବା କାର୍‌କୁ ଦୁଇଟି ବାଇକ୍‌ରେ ଥିବା ଗ୍ୟାଙ୍ଗର ୪ ଜଣ ସଦସ୍ୟ ପିଛା କରୁଥିଲେ। ସେମାନେ ପୁଲିସ ଗାଡ଼ି ଉପରେ ନଜର ରଖୁଥିଲେ। ପିଛା କରୁଥିବା କାର୍‌ରେ ପୁଲିସ ଅଛି କି ନାହିଁ, ସେମାନେ ଫୋନ୍‌ କରି ଜଣାଉଥିଲେ। ମାତ୍ର ସାଦା ପୋଷାକରେ ଇଶାନଙ୍କ ପରିବାର ଲୋକଙ୍କ ଭଳି ଦେଖାଯାଉଥିବା ପୁଲିସ ଟିମ୍‌କୁ ସେମାନେ ବୁଝି ପାରିନଥିଲେ। ବୋଲଗଡ଼ ଚୂଡ଼ା ନିକଟ ରାସ୍ତାରେ ଏକ ନମ୍ବର ବିହୀନ ସ୍ବିଫ୍ଟ କାର୍‌ ଦେଖିବାକୁ ମିଳିଥିଲା। ସେଥିରେ ୩ ଜଣ ଥିଲେ ଓ ଡ୍ରାଇଭର ମୁଖା ପିନ୍ଧିଥିଲା। ତେଣୁ ପୁଲିସ ଟିମ୍‌ ନିଶ୍ଚିତ ହୋଇଯାଇଥିଲା ଯେ ତାହା ଅପହରଣକାରୀଙ୍କ କାର୍‌। ତେଣୁ କାଳ ବିଳମ୍ବ ନକରି ପୁଲିସ କା‌ର୍‌ଟି ଉକ୍ତ କାର୍‌କୁ ଧକ୍କା ଦେଇଥିଲା ଓ ଗାଡ଼ିରୁ ଓହ୍ଲାଇ ପୁଲିସ ଟିମ୍‌ ଅପହର୍ତ୍ତାମାନଙ୍କୁ ବନ୍ଧୁକ ଦେଖାଇ ଘେରି ଯାଇଥିଲେ। କାର୍‌ ଭିତରୁ ୨ ଦୁର୍ବୃତ୍ତଙ୍କ କାବୁ କରିବା ସହ ଇଶାନକୁ ଉଦ୍ଧାର କରାଯାଇଥିଲା।

publive-image

ଅପହରଣ ଥିଲା ଏମିତି

ମେଡିକାଲ ସାମଗ୍ରୀ ଯୋଗାଣ କରୁଥିବା ବ୍ୟବସାୟୀ ରାମରୂପ ଅଗ୍ରଓ୍ଵାଲ୍‌ଙ୍କ ପୁଅ ହେଉଛନ୍ତି ଇଶାନ ଅଗ୍ରଓ୍ଵାଲ। ସେ ଝାରପଡ଼ାସ୍ଥିତ ଏକ ଆପାର୍ଟମେଣ୍ଟରେ ରୁହନ୍ତି। ଇଶାନ ବେଙ୍ଗାଲୁରୁରେ ବିବିଏ ପଢ଼ୁଛନ୍ତି। କିନ୍ତୁ କୋଭିଡ୍ ପାଇଁ ଏବେ ସେ ଘରେ ରହି ଅନ୍‌ଲାଇନ୍ ଜରିଆରେ ପଢ଼ୁଛନ୍ତି। ସବୁଦିନ ପରି ଇଶାନ ୩୧ ତାରିଖ ଅପରାହ୍ଣରେ ନିକଟସ୍ଥ ଓମ୍‌ଫେଡ୍‌ ବୁ୍ଥ୍‌କୁ ଚା ପିଇବାକୁ ଯାଇଥିଲେ। ସେଠାରୁ ତାଙ୍କୁ ଅପହରଣ କରାଯାଇଥିଲା। ସୂଚନାନୁସାରେ ଅଭିଯୁକ୍ତ ଧନେଶ୍ବର ପାତ୍ର ସେହି ଓମ୍‌ଫେଡ୍‌ ବୁଥ୍‌କୁ ଆସେ ଓ ଇଶାନକୁ ଜାଣିଥିଲା। ବଡ଼ ବ୍ୟବସାୟୀଙ୍କ ପୁଅ ହୋଇଥିବାରୁ ଧନେଶ୍ବର ହିଁ ଏହି ଅପହରଣର ବ୍ଲୁ-ପ୍ରିଣ୍ଟ ତିଆରି କରିଥିଲା। ଘଟଣା ଦିନ ଓମ୍‌ଫେଡ୍‌ ବୁଥ୍‌ ନିକଟରୁ ଧନେଶ୍ବର ବଡ଼ ଚତୁରତାର ସହ ଇଶାନଙ୍କୁ ଫସାଇଥିଲା। ଏକ ସ୍ବିଫ୍ଟ କାର୍‌ ଧରି ଆସିଥିବା ସାଙ୍ଗ ସହ ଭୁବନେଶ୍ବର ବୁଲିବାକୁ କହି ସେ ଇଶାନକୁ ଫସାଇଥିଲା। ସେମାନେ କାର୍‌ରେ ବସି କିଛି ବାଟ ଯିବା ପରେ ଧନେଶ୍ବରର ଅସଲ ଚେହେରା ଜଣାପଡ଼ିଥିଲା। କାର୍‌ ଭିତରେ ଇଶାନଙ୍କ ମୁଣ୍ଡରେ ବନ୍ଧୁକ ଲାଗିଥିଲା ଓ ଚୁପ୍‌ଚାପ ବସିବାକୁ କୁହାଯାଇଥିଲା। ଏହା ପରେ ଦୁର୍ବୃତ୍ତମାନେ ତାଙ୍କ ହାତକୁ ବାନ୍ଧି ଦେବା ମୁହଁକୁ କପଡ଼ାରେ ଢାଙ୍କି ଦେଇଥିଲେ। ଅନ୍ଧାର ହୋଇ ସାରିଥିବାରୁ ସେମାନଙ୍କୁ କେହି ଜାଣିବା ସମ୍ଭବ ହୋଇନଥିଲା। ପ୍ରଥମେ ସେମାନେ ଖୋର୍ଦ୍ଧା ଦେଇ ବାଘମାରୀ ଯାଇଥିଲେ। ସେଠାରୁ ରାତି ପ୍ରାୟ ୧୦ଟାରେ ଇଶାନଙ୍କ ବାପା ରାମରୂପଙ୍କୁ ଫୋନ୍ କରି ଅପହରଣ ସମ୍ପର୍କରେ ଜଣାଇଥିଲେ ଓ ମୁଣ୍ଡ ଜାମିନ ବାବଦରେ ୩୦ ଲକ୍ଷ ଟଙ୍କା ଦାବି କରିଥିଲେ। ଏମିତିକି ପରିବାର ଲୋକଙ୍କୁ ଡରାଇବାକୁ ସେମାନେ ଇଶାନଙ୍କ ବେକରେ ଛୁରି ଲଗାଯାଇଥିବା ଫଟୋ ହ୍ବାଟ୍‌ସଆପ୍‌ରେ ଛାଡ଼ିଥିଲେ।

ଟଙ୍କା ବ୍ୟାଗ୍ ଫିଙ୍ଗି ଜଣକୁ ଓ ଢାବାରୁ ଜଣକୁ ଗିରଫ

କାର୍‌ରୁ ଦୁଇ ଜଣଙ୍କୁ ଧରିବା ପରେ ବାଇକ୍‌ରେ ଥିବା ଦୁର୍ବୃତ୍ତମାନଙ୍କ ପାଇଁ ପୁଲିସ ଜାଲ ବିଛାଇଥିଲା। ଧରାପଡ଼ିଥିବା ଦୁଇ ସହଯୋଗୀଙ୍କ ଜରିଆରେ ପୁଲିସ ସେମାନଙ୍କୁ ଫୋନ୍ କରାଇଥିଲା। ଉକ୍ତ ଜଙ୍ଗଲିଆ ରାସ୍ତାର ଏକ ଚା’ ଦୋକାନ ନିକଟରେ ଥିବା ଡଷ୍ଟବିନ୍‌ରେ ଟଙ୍କା ବ୍ୟାଗ୍ ଫିଙ୍ଗିବା ପାଇଁ ସେମାନେ କହିଥିଲେ। ସେହି ଅନୁସାରେ ପୁଲିସ ଟିମ୍‌ ଉକ୍ତ ଡଷ୍ଟବିନ୍‌ରେ ଟଙ୍କା ବ୍ୟାଗ୍ ଫିଙ୍ଗିଥିଲା। ଟଙ୍କା ବ୍ୟାଗ୍ ନେବା ସମୟରେ ପୁଲିସ ଜଣଙ୍କୁ କାବୁ କରି ନେଲା। ଏହା ଦେଖି ଅନ୍ୟ ଦୁର୍ବୃତ୍ତ ବାଇକ୍ ଧରି ପଳାଉଥିବା ବେଳେ ପୁଲିସ ତାକୁ ପିଛା କରିଥିଲା। ଉକ୍ତ ଦୁର୍ବୃତ୍ତ ବିକଳରେ ଏକ ଢାବାରେ ପଶିଯାଇ କୋଲ୍ଡ ଡ୍ରିଙ୍କସ୍ ଫ୍ରିଜର୍‌ ପଛ ପଟେ ଲୁଚିଯାଇଥିଲା। କିନ୍ତୁ ପୁଲିସ ନଜରରୁ ବର୍ତ୍ତି ନଥିଲା। ତେବେ ଅନ୍ୟ ଏକ ବାଇକ୍‌ରେ ଥିବା ଦୁଇ ଦୁର୍ବୃତ୍ତଙ୍କୁ ଧରିବା ସମ୍ଭବ ହୋଇନଥିଲା। ସେମାନେ ପୁଲିସ ଅପରେସନ୍ ବାବଦରେ ଜାଣି ପାରିଥିଲେ।