ସ୍କୁଲ ପାଚେରି ଭଙ୍ଗା ନେଇ ଉତ୍ତେଜନା: ଧାରଣାରେ ବସିଲେ ଛାତ୍ରଛାତ୍ରୀ, ଅଭିଭାବକ

ବାରଙ୍ଗ: ଗ୍ରାମବାସୀଙ୍କ ବିରୋଧ, ଗୁହାରି, ନେହୁରା କିଛି କାମ ଦେଲାନି। ଛାତ୍ରଛାତ୍ର ଓ ଅଭିଭାବକମାନେ ଧାରଣ‌ା ଦେଲେ। ହେଲେ କିଛି ଶୁଣିଲାନି ପ୍ରଶାସନ। ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିଲା ଉଚ୍ଛେଦ କାମ। ଶେଷରେ ଭଙ୍ଗା ଯାଇଥିଲା ଭୁବନେଶ୍ବର ଉପକଣ୍ଠ ମରିଚିଆ ଗ୍ରାମ ସ୍ଥିତ ମରିଚିଆ ଉ.ପ୍ରା ବିଦ୍ୟାଳୟର ପାଚେରି। ଯାତାୟାତ ରାସ୍ତାକୁ ଅବରୋଧ କରାଯାଇ ସ୍କୁଲ ପାଚେରି ନିର୍ମାଣ ହୋଇଥିବା ଦିଲ୍ଲୀପ କୁମାର ରାଉତ ନାମକ ବ୍ୟକ୍ତି ଉଚ୍ଚ ନ୍ୟାୟାଳୟରେ ଅଭିଯୋଗ କରିଥିଲେ। ମାମଲାର ବିଚାର କରି ଅଦାଲତ ପାଚେରି ଥିବା ଜାଗାକୁ ଅନୁଧ୍ୟାନ କରି ଭାଙ୍ଗିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇଥିଲେ। ଜିଲ୍ଲାପାଳ ତହସିଲ ଓ ପୁଲିସ ପ୍ରଶାସନକୁ ନିର୍ଦେଶ ଦେଇଥିଲେ। ନିର୍ଦେଶ ପାଇ ଭୁବନେଶ୍ବର ଅତିରିକ୍ତ ତହସିଲଦାର କବିରାଜ ପ୍ରଧାନ,ଏସିପି ତରୁଣ କୁମାର ପ୍ରଧାନ, ନନ୍ଦନକାନନ ଥାନା ଅଧିକାରୀ ପରମାନନ୍ଦ ନାୟକ ଓ ବାଲିପଡ଼ା ରାଜସ୍ବ ନିରୀକ୍ଷକ ଜଗନ୍ନାଥ ମହାରଣା ଆଜି ଏକ ପ୍ଲାଟୁନ୍ ପୁଲିସ ଫୋର୍ସ ସହିତ ଜେସିବି ଧରି ପାଚେରି ଭାଙ୍ଗିବାକୁ ବିଦ୍ୟାଳୟ ନିକଟରେ ପହଞ୍ଚିଥିଲେ। ଖବର ପାଇ ଗ୍ରାମର ପୁରୁଷ ଓ ମହିଳାମାନେ ରୁଣ୍ତ ହୋଇଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ସେମାନେ କହିଥିଲେ, ସରକାରୀ ଜାଗାରେ ୧୯୬୮ ମସିହାରୁ ବଦ୍ୟାଳୟ ଚାଲି ଆସୁଛି। ପିଲାଙ୍କ ସୁରକ୍ଷା ପାଇଁ ପାଚେରି ନିର୍ମାଣ ଅନିବାର୍ଜ୍ୟ ବୋଲି ସରକାର ଆଇନ କରିଛନ୍ତି। ସରକାରୀ ଅର୍ଥରେ ପଲ୍ଲିସଭା ମାଧ୍ୟମରେ ସରକାରୀ ନିର୍ଦେଶନାମାରେ ବିଦ୍ୟାଳୟର ପାଚେରି ନିର୍ମାଣ କରାଯାଇଛି ବୋଲି ଗ୍ରାମବାସୀ କହିଥିଲେ।

ଅପରପକ୍ଷରେ ପାଚେରି ନ ଭାଙ୍ଗିବା ପାଇଁ ହାତରେ ବ୍ୟାନର ଧରି ଛାତ୍ରଛାତ୍ରୀ, ସେମାନଙ୍କ ଅଭିଭାବକ ଓ ଗ୍ରାମବାସୀ ଧାରଣାରେ ବସିଥିଲେ। ଅଢ଼େଇ ଘଣ୍ଟା ଧରି ଧାରଣାରେ ବସିବା ପରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ନିଦ ଭାଙ୍ଗିଲା। ପ୍ରଶାସନ ସହ ସ୍ବର ମିଳାଇ ପିଲାଙ୍କୁ ତୁରନ୍ତ କ୍ଲାସକୁ ଛାଡ଼ିବାକୁ ଅଭିଭାବକଙ୍କୁ ଧମକ ଦେଲେ। ନହେଲେ ସେମାନଙ୍କ ପରିଚୟ ପତ୍ର ଓ ସ୍କୁଲ ପୋଷାକ ଖୋଲି ରାସ୍ତାରେ ବସ ବୋଲି ଚେତାବନୀ ଦେଲେ। ଧମକ ପାଇ ପିଲାମାନେ ଉଠିବା କ୍ଷଣି ପାଚେରି ଭଙ୍ଗା ଯାଇଥିଲା। ବିଦ୍ୟାଳୟ ଓ ପିଲାଙ୍କ ସୁରକ୍ଷା ପାଇଁ ମୁଖ୍ୟ ବିଚାରପତି, ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀଙ୍କ ନିକଟରେ ଫେରାଦ ହେବେ ଓ ବୋଲି ମରିଚିଆ ଗ୍ରାମ ସଭାପତି ମୁରଲୀଧର ରାଉତ, ପରମାନନ୍ଦ ସାହୁ, ରୋହିତ ରାଉତ, ସନ୍ତୋଷ କୁମାର ରାଉତ, ୱାର୍ଡ ମେମ୍ବର ଜସ୍ମିନ ସାହୁଙ୍କ ସମେତ ମରିଚିଆ ଗ୍ରାମବାସୀ କହିଛନ୍ତି।

ସମ୍ବନ୍ଧିତ ଖବର