ଛାତ୍ର ଓ ଯୁବ କଂଗ୍ରେସ ପାଳିଲା ରାଷ୍ଟ୍ରୀୟ ବେରୋଜଗାର ଦିବସ: ପକୁଡ଼ି ଛାଣିଲେ, ଜୋତା ପଲିସ୍‌ କଲେ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅସଲ ଚେହେରାକୁ ଯୁବକଯୁବତୀମାନେ ଚିହ୍ନି ସାରିଲେଣି। ଘରୋଇକରଣ ପାଇଁ ବ୍ୟସ୍ତ ହୋଇପଡ଼ିଥିବା ମୋଦୀ ସରକାର ପାଖରେ ବେକାର ଯୁବକଯୁବତୀଙ୍କ ପାଇଁ କୌଣସି ନିର୍ଦ୍ଦିଷ୍ଟ ନୀତି ନିୟମ, ନିଷ୍ପତ୍ତି ଓ ଯୋଜନା ନାହିଁ। ଫଳରେ ଏହି ସରକାର ଅମଳରେ ଦେଶରେ କୋଟି କୋଟି ବେକାର ସୃଷ୍ଟି ହୋଇଛନ୍ତି। କେବଳ ସେତିକି ନୁହେଁ, ବିଫଳ ଅର୍ଥନୀତି ପାଇଁ ଲକ୍ଷଲକ୍ଷ ଯୁବକଯୁବତୀ ନିଯୁକ୍ତି ହରାଇ ବେରୋଜଗାର ହୋଇପଡ଼ିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ଅବସରରେ ଛାତ୍ର କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ପାଳିତ ହୋଇଯାଇଥିବା ବେରୋଜଗାର ଦିବସ ଅବସରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏଭଳି ସମାଲୋଚନା କରିଛନ୍ତି। ସେହିଭଳି ଆଜି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରାଷ୍ଟ୍ରୀୟ ବେରୋଜଗାର ଦିବସ ପାଳନ ଅବସରରେ ଭୁବନେଶ୍ବରସ୍ଥିତ ନିୟୋଜନ ନିର୍ଦ୍ଦେଶାଳୟ ଓ ନିଯୁକ୍ତି ମିସନ କାର୍ଯ୍ୟାଳୟ ସମ୍ମୁଖରେ ଯୁବ କଂଗ୍ରେସ କର୍ମୀମାନେ ପ୍ରତିବା‌ଦ କରିବାକୁ ଯାଇ କାର୍ଯ୍ୟାଳୟ ଭିତରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ସେମାନଙ୍କୁ ଅଟକାଇବାକୁ ଯାଇ ପୁଲିସ ନାକେଦମ୍‌ ହୋଇଥିଲା। ପୁଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ କିଛି ସମୟ ପାଇଁ ଧସ୍ତାଧସ୍ତି ହେବା ଯାଏ କଥା ଯାଇଥିଲା। ଏହା ପରେ ଯୁବ କଂଗ୍ରେସ କର୍ମୀମାନେ ଡାକ୍ତର, ଇଂଜିନିୟର, ଆଇନଜୀବୀ ପୋଷାକ ପିନ୍ଧି ପ୍ରତୀକାତ୍ମକ ଭାବେ ପକୁଡ଼ି ଛାଣିଥିଲେ ଓ ଜୋତା ପଲିସ୍‌ କରି ରାଜପଥରେ ନିଆରା ଢଙ୍ଗରେ ଏହି ଦିବସ ପାଳନ କରିଥିଲେ। ଅନୁରୂପ ଭାବେ ଛାତ୍ର କଂଗ୍ରେସ କର୍ମୀମାନେ ମଧ୍ୟ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ପକୋଡ଼ା ଛାଣିବା ସହ ଜୋତା ପଲିସ କରିଥିଲେ।

ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଛାତ୍ର କଂଗ୍ରେସ ସଭାପତି ୟାସିର୍‌ ନୱାଜ୍‌ଙ୍କ ନେତୃତ୍ବରେ କାର୍ଯ୍ୟକ୍ରମ ପାଳିତ ହୋଇଥିଲା। ଏଥିରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ସହ ବିଧାୟକ ସୁରେଶ କୁମାର ରାଉତରାୟ, ମାନସ ଚୌଧୁରୀ, ଦେବାଶିଷ ପଟ୍ଟନାୟକ, ମନୋରଞ୍ଜନ ଦାଶ, ବିଶ୍ବଜିତ୍ ଦାଶ, ସୁବ୍ରତ ମହାପାତ୍ର, ରଞ୍ଜିତ ପାତ୍ର, ସ୍ବାଗତ କର, ସୁନିଲ ମାଟିଆ, ବାବୁ ଜେନା, ଆଦିତ୍ୟ ପ୍ରିତମ ଦାସ, କାର୍ତ୍ତିକେଶ୍ବର କାଣ୍ଡି, ମହମ୍ମଦ ଗୁଲଫାମ, ଅଖିଳେଷ ଯାଦବ, ଭାଗ୍ୟଶ୍ରୀ ମହାନ୍ତି, ଲିପିକା ପାତ୍ର, ରାଜଦୀପ ପଟ୍ଟନାୟକ, ନିୟାଜୁଲ ଇସଲାମ, ଅରବିନ୍ଦ ପାଞ୍ଜିଆ ପ୍ରମୁଖ ଯୋଗ ଦେଇ ମୋଦୀ ସରକାରକୁ ସମାଲୋଚନା କରିଥିଲେ। ନିଯୁକ୍ତି ଆଶାୟୀ ଯୁବକଯୁବତୀମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ କଥା ପାଣିର ଗାର ବୋଲି ଅଭିଯୋଗ କରାଯାଇଥିଲା। ସେହିଭଳି ଅଖିଳ ଭାରତୀୟ ଯୁବ କଂଗ୍ରେସ ସଭାପତି ବି.ଭି ଶ୍ରୀନିବାସଙ୍କ ଆହ୍ବାନକ୍ରମେ ଆଜି ଯୁବ କଂଗ୍ରେସ ସଭାପତି ଡ. ସ୍ମୃତି ରଞ୍ଜନ ଲେଙ୍କାଙ୍କ ନେତୃତ୍ବରେ ଶତାଧିକ କର୍ମୀ ନିୟୋଜନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ସମ୍ମୁଖରେ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମୋଦି ସରକାରକୁ ସମାଲୋଚନା କରି ସ୍ମୃତିରଞ୍ଜନ କହିଛନ୍ତି ଯେ ୨୦୧୪ ସାଧାରଣ ନିର୍ବାଚନ ପ୍ରଚାର ବେଳେ ପ୍ରତି ବର୍ଷ ୨କୋଟି ନିଯୁକ୍ତି ଦେବା ପାଇଁ ମୋଦୀ ରଙ୍ଗିନ୍‌ ସ୍ବପ୍ନ ଦେଖାଇଥିଲେ। କିନ୍ତୁ ତାହା ଆଜି ମିଛ ପ୍ରମାଣିତ ହୋଇଛି ଓ ସେ ଭାରତର ଲକ୍ଷ ଲକ୍ଷ ନିଯୁକ୍ତି ଆଶାୟୀମାନଙ୍କ ପ୍ରତି ପ୍ରତାରଣା କରିଛନ୍ତି। ସିଏମ୍‌ଆଇଇର ତଥ୍ୟ ଅନୁସାରେ ଗତ ଅଗଷ୍ଟରେ ଦେଶରେ ୧୫ ଲକ୍ଷ ଯୁବକଯୁବତୀ ବେରୋଜଗାର ହୋଇଛନ୍ତି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ରୋଜଗାର ଦେବା ପ୍ରତିଶ୍ରୁତି ରଖି ପାରିଲେନାହିଁ, ବରଂ ବେରୋଜଗାର ବଢ଼ାଇବାରେ ତାଙ୍କର ଭୂମିକା ରହିଛି। ତେଣୁ କେଉଁ ଖୁସିରେ ଯୁବକଯୁବତୀମାନେ ଆଜି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରିବେ ବୋଲି ସେ ପ୍ରଶ୍ନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ ଯୁବ କଂଗ୍ରେସ ସଂପାଦକ ରିଆଜୁଲ୍ ଅନ୍‌ସାରୀ, ମହମ୍ମଦ ଅଲିମ୍‌, ରଞ୍ଜିତ ପାତ୍ର, ସତ୍ୟପ୍ରିୟ ସାମଲ, ଆର୍ଯ୍ୟବୀର ଲେଙ୍କା, ସ୍ବାଗତ କର, ନଳିନୀକାନ୍ତ ନାୟକ, ଅଂଶୁମାନ ଦାସ, ବିଶ୍ବରଞ୍ଜନ ଦାଶ, ଶ୍ରୀବତ୍ସ ରଥ, ଆଶୁତୋଷ ଲେଙ୍କା, ମନିଷା ଦାସ ପଟ୍ଟନାୟକ, ରିତୁଲ୍‌ ମହାରଣା, ସର୍ବଜିତ୍‌ ପଟ୍ଟନାୟକ, ବିଭୂତି ଦଳସିଂ ରାୟ ଓ ରମ୍‌ଜାନ ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ।

ବିଭିନ୍ନ ସଂଗଠନ ପକ୍ଷରୁ ବେରୋଜଗାର ଦିବସ ପାଳନ
ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନକୁ ରାଜଧାନୀର ବିଭିନ୍ନ ସଂଗଠନ ରାଷ୍ଟ୍ରୀୟ ବେରୋଜଗାର ଦିବସ ଭାବେ ପାଳନ କରିଛନ୍ତି। ଓଡ଼ିଶା ଯୁବଶାଖା ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ସଭାପତି ସତ୍ୟବ୍ରତ ନାୟକଙ୍କ ନେତୃତ୍ବରେ ଶତାଧିକ କର୍ମୀ ମାଷ୍ଟରକ୍ୟାଣ୍ଟିନ୍ ଛକରେ ବିକ୍ଷୋଭ କରିଥିଲେ। ପ୍ରତିବର୍ଷ ୨ କୋଟି ନିଯୁକ୍ତି ଦେବେ ବୋଲି କହି ମୋଦି ସରକାର ୬ ବର୍ଷରେ ଲକ୍ଷ ଲକ୍ଷ ସଂଖ୍ୟାରେ ଯୁବକଯୁବତୀଙ୍କୁ ଛଟେଇ କରିଛନ୍ତି। ତେଣୁ ଆଜିର ଦିନ ରାଷ୍ଟ୍ରୀୟ ବେରୋଜଗାର ଦିବସ ଭାବେ ପରିଚୟ ସୃଷ୍ଟି କରିଛି ବୋଲି ସଂଘ କହିଛି।

ସେହିଭଳି ଆମ ଅଧିକାର ସଂଗଠନ ପକ୍ଷରୁ ରାଜ୍ୟ ଆବାହକ ଅମୀୟ ପାଣ୍ଡବଙ୍କ ନେତୃତ୍ବ‌ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆଜିର ଦିନକୁ ଦେଶ ବିକ୍ରି ଦିବସ ବୋଲି ଅଭିଯୋଗ କରାଯାଇଥିଲା। ସଂଗଠନର କର୍ମକର୍ତ୍ତାମାନେ ରାଜମହଲ ଛକରୁ ମାଷ୍ଟରକ୍ୟାଣ୍ଟିନ୍ ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିଲେ। ଏହି ବିକ୍ଷୋଭରେ ଆମ ଅଧିକାରର ସାଧାରଣ ସଂପାଦକ ଗଣେଶ ଦାସ, ରକ୍ଷାକରର ସଂପାଦକ ପାର୍ଥସାରଥୀ ଜେନା, ସଂଜୟ ପରିଡ଼ା, ହରେକୃଷ୍ଣ ଦାସ, ବିକ୍ରମ ନାୟକ, ନିରଞ୍ଜନ ସାହୁ, ବିଶ୍ବଜିତ ସାମନ୍ତରାୟ, ବିଶ୍ବଭୂଷଣ ମହାପାତ୍ର, ବ୍ରଜ ରାଉତ, ଭୁବନେଶ୍ବର ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜୟକୃଷ୍ଣ ମଲିଆ, ସୁକୁମାର ଦେଇ, ବିନୋଜ କୁମାର ରାଉତ, ନଳିନୀକାନ୍ତ ନାୟକ, ପୁଲିନ ମହାପାତ୍ର, ଦେବେନ୍ଦ୍ର ପ୍ରସାଦ ଦାସ, ମଣ୍ଟୁ ମଲ୍ଲିକ, ବୈଲୋଚନ ସାମଲ, ଆଶିଷ ସ୍ବାଇଁ, ସରୋଜ ମହାପାତ୍ର, ଶ୍ରୀଧର ସାହୁ, ସର୍ବଜିତ ପୃଷ୍ଟି, ଗିନି ସ୍ବାଇଁ, କୁନି ସ୍ବାଇଁ, ଗୌରୀ ସ୍ବାଇଁ, ତଇ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର