ଛାତ୍ର ବିଜେଡି ଦୁଇଫାଳ: ବାଣୀବିହାରରେ ଛାତ୍ର-ଅଣଛାତ୍ର ମୁହାଁମୁହିଁ ପ୍ରସଙ୍ଗ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର-ଅଣଛାତ୍ର ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଥମିବାର ନାଁ ନେଉନି। ଉଭୟ ଛାତ୍ର ଓ ଅଣଛାତ୍ର ଛାତ୍ର ବିଜେଡିର ହୋଇଥିବାରୁ ଘଟଣା ସଙ୍ଗିନ ହେବାରେ ଲାଗିଛି। ମଙ୍ଗଳବାର ଭୁବନେଶ୍ୱର ଜିଲ୍ଲା ସଭାପତି କଳ୍ପତରୁ ଓଝା, ଭୁବନେଶ୍ୱର ଜୋନ୍‌ ସଭାପତି ଅଜିତ୍‌ ବେହେରାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବା ପରେ ଛାତ୍ର ବିଜେଡି ଏକପ୍ରକାର ଦୁଇଫାଳ ହୋଇଯାଇଛି। ଉଭୟ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଜାରି ରହିଛି। ଛାତ୍ର ସଙ୍ଗଠନ ଦାୟିତ୍ୱରେ ଥିବା ବିଜେଡି ନେତାମାନଙ୍କ ନିକଟରେ ଉଭୟ ଗୋଷ୍ଠୀର ଛାତ୍ରମାନେ ଫେରାଦ ହୋଇ ପରସ୍ପର ବିରୋଧରେ ଅଭିଯୋଗ କରିବା ସହ ଘନ ଘନ ବୈଠକ କରିଥିବା ଜଣାପଡ଼ିଛି। କଳ୍ପତରୁ ଓ ଅଜିତଙ୍କୁ ଗିରଫ କରାଯିବା ପରେ ତାଙ୍କ ସମର୍ଥନରେ ଛାତ୍ର ବିଜେଡିର ଏକ ବଡ଼ ଗୋଷ୍ଠୀ ବାହାରି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ମେଳି କରିଛନ୍ତି। ଭୁବନେଶ୍ୱରର ୪୦ ଛାତ୍ରନେତାଙ୍କ ସମେତ ଛାତ୍ର ବିଜେଡିର ୧୫ ଜଣ ରାଜ୍ୟସ୍ତରୀୟ ନେତା ଏଥିରେ ସାମିଲ ହୋଇଥିଲେ। ବିରୋଧୀ ଗୋଷ୍ଠୀ କଳ୍ପତରୁ ଓ ଅଜିତଙ୍କୁ ଫସାଇ ଦେଇଥିବା ନେଇ ରୋକଠୋକ୍‌ କହିଛନ୍ତି। ଏହାକୁ କୌଣସି ପ୍ରକାରେ ବରଦାସ୍ତ କରାଯିବ ନାହିଁ। ଦରକାର ପଡ଼ିଲେ ଉଭୟଙ୍କୁ ନ୍ୟାୟ ଦେବା ପାଇଁ ଛାତ୍ର ସଂଗଠନ ରାଜରାସ୍ତାକୁ ଓହ୍ଲାଇବ ବୋଲି ବୈଠକରେ ମତପ୍ରକାଶ ପାଇଥିଲା। ବୈଠକରେ ସାମିଲ ହୋଇଥିବା ଜଣେ ଛାତ୍ରନେତା କହିଛନ୍ତି ଯେ କିଛି ଛାତ୍ରନେତା ବାଣୀବିହାରରୁ ବଟି ଆଦାୟ କରୁଛନ୍ତି। ଗୋଟିଏ ପଟେ ପିସି କାରବାରରେ ରୋକ ଲଗାଇବା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଉଥିବା ବେଳେ ଏହି ଛାତ୍ରନେତାଙ୍କ ଉତ୍ପାତ ବଢ଼ି ଚାଲିଛି। ବାଣୀବିହାର ସମେତ ଆଉ କେତେକ ଶିକ୍ଷାନୁଷ୍ଠାନରେ କାର୍ଯ୍ୟ କରୁଥିବା ଠିକାଦାରଙ୍କଠାରୁ ବଟି ଆଦାୟ କରୁଛନ୍ତି। ସେମାନଙ୍କ ପଛରେ କିଛି ପୂର୍ବତନ ଛାତ୍ରନେତା ବି ସାମିଲ ଅଛନ୍ତି। ଏସମ୍ପର୍କରେ ଦଳର ଉଚ୍ଚ ପଦାଧିକାରୀଙ୍କୁ ଅବଗତ କରାଯିବ। ଯେଉଁମାନେ ବଟି ଆଦାୟ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ସଂଗଠନରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଛାତ୍ରନେତାଙ୍କ ବହିଷ୍କାର ଲାଗି ଦାବି କରାଯିବ। ଏଥିସହ ବଟି ଆଦାୟ କରୁଥିବା ଛାତ୍ରନେତାଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଥିବା ନେଇ ସେ କହିଛନ୍ତି। କଳ୍ପତରୁଙ୍କ ବିରୋଧୀ ଗୋଷ୍ଠୀର ଛାତ୍ରନେତା ମଧ୍ୟ ଦିନତମାମ ଘନଘନ ବୈଠକ କରିଛନ୍ତି। ପରିସ୍ଥିତି ଶାନ୍ତ ପଡ଼ିଥିଲେ ମଧ୍ୟ ଆଗକୁ ଏହାକୁ କିଭଳି ମୁକାବିଲା କରାଯିବ ସେନେଇ ଦୁଇରୁ ତିନି ଜଣ ବିଧାୟକଙ୍କ ସହ ଛାତ୍ରନେତା ଆଲୋଚନା କରିଛନ୍ତି। ବାଣୀବିହାର କ୍ୟାମ୍ପସ ଶାନ୍ତ ରହିଥିଲେ ମଧ୍ୟ ଉଭୟ ଗୋଷ୍ଠୀର ଛକାପଞ୍ଝା ଜାରି ରହିଛି। କଳ୍ପତରୁଙ୍କ ସମେତ ଗିରଫ ହୋଇଥିବା ଆଉ ଦୁଇ ଛାତ୍ରନେତା ଆସନ୍ତାକାଲି ଜାମିନରେ ମୁକୁଳିବାର ସମ୍ଭାବନା ଥିବାରୁ ତାହା ଉପରେ ଏବେ ଦୁଇ ଛାତ୍ରଗୋଷ୍ଠୀଙ୍କ ନଜର ରହିଛି। ଅନ୍ୟପକ୍ଷରେ ମଙ୍ଗଳବାର କଳ୍ପତରୁ ସହିଦନଗର ଥାନାରେ କରିଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟ ପୂର୍ବତନ ସଭାପତି ଚିନ୍ମୟ ସାହୁ। ସେ କହିଛନ୍ତି ଯେ କଳ୍ପତରୁ ଯେଉଁ ଅଭିଯୋଗ କରିଛନ୍ତି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ। ଏଥିରେ କୌଣସି ପ୍ରକାର ସତ୍ୟତା ନାହିଁ। କିଛି ବର୍ଷ ହେଲା ମୁଁ ବାଣୀବିହାର କ୍ୟାମ୍ପସ ରାଜନୀତିରୁ ଦୂରେଇ ଯାଇଛି।

ଗୁଣ୍ଡାରାଜକାରୀଙ୍କୁ ଗିରଫ କରାଯାଉ: ବିଜେପିି ଜିଲ୍ଲା ଯୁବମୋର୍ଚ୍ଚା
ବାଣୀବିହାରରେ ଛାତ୍ର ବିଜେଡିର ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି ବିଜେପି ଜିଲ୍ଲା ଯୁବମୋର୍ଚ୍ଚା। ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ କ୍ୟାମ୍ପସରେ ଛାତ୍ରଙ୍କୁ ବାଡ଼େଇ ଅପହରଣ କରିବା, ଦାଦାବଟି ଆଦାୟ ଘଟଣାକୁ ପୁଲିସ ହାଲକା ଭାବେ ନେଇଛି। ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରୁଥିବା ଛାତ୍ରନେତାଙ୍କୁ ବିଜେଡିର ନେତାମାନେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ପ୍ରୋତ୍ସାହିତ କରୁଛନ୍ତି। ସେମାନଙ୍କୁ କାହିଁକି ଗିରଫ କରାଯାଉ ନାହିଁ ବୋଲି ସଙ୍ଗଠନର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଭିଷେକ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି।

ବଟି ଆଦାୟକାରୀଙ୍କୁ ଗିରଫ କରାଯାଉ: ଛାତ୍ର କଂଗ୍ରେସ
ଛାତ୍ର ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଚାଲିଥିବା ବେଳେ ଏହାର ଫାଇବା ନେବାକୁ ଆଗେଇ ଆସିଛି ଛାତ୍ର କଂଗ୍ରେସ। ଆଜି କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ କ୍ୟାମ୍ପସରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଛାତ୍ରନେତାଙ୍କୁ ଗିରଫ କରିବାକୁ ଦାବି କରାଯାଇଛି। ସଙ୍ଗଠନର ଛାତ୍ରନେତାମାନେ କହିଛନ୍ତି କ୍ୟାମ୍ପସ୍‌ରେ ଭୟର ବାତାବରଣ ସୃଷ୍ଟି ହୋଇଛି। ମଙ୍ଗଳବାର ଛାତ୍ରନେତା ରାସ୍ତାରେ ଲାଠି, ଠେଙ୍ଗା ଭଳି ମାରଣାସ୍ତ୍ର ଧରି ସାଧାରଣ ଲୋକଙ୍କୁ ଭୟଭୀତ କରିଥିଲେ ମଧ୍ୟ ପୁଲିସ ନିରବଦ୍ରଷ୍ଟା ସାଜିଥିଲା। ଖୁଲମଖୁଲା ଦାଦାବଟି ମାଗିବା, ମାର୍‌ପିଟ କରିବା, କୋକୁଆ ଭୟ ସୃଷ୍ଟି କରିଥିବା ଛାତ୍ରନେତାଙ୍କୁ ପୁଲିସ ଘଣ୍ଟ ଘୋଡ଼ାଉଛି।

ସମ୍ବନ୍ଧିତ ଖବର