ରେଳ ଧାରଣାରୁ ନିଖୋଜ ଛାତ୍ରର ଶବ ଜବତ ଘଟଣା: ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଧଉଳି: ସ୍ଥାନୀୟ କୌଶଲ୍ୟାଗଙ୍ଗ ଫାଣ୍ଡି ଅଧୀନ ମାଟିଆପଡ଼ା ଗ୍ରାମର ୧୦ମ ଶ୍ରେଣୀ ଛାତ୍ର ସୋନୁ ଓରଫ ସୌମ୍ୟରଞ୍ଜନ ଜେନା ମୃତ୍ୟୁ ଘଟଣା ଆଜି ଭିନ୍ନ ମୋଡ଼ ନେଇଛି। ସୋନୁକୁ ଦୁର୍ବୃତ୍ତ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବା ପାଇଁ ରେଳ ଧାରଣାରେ ଫିଙ୍ଗି ଦେଇଥିବା ପରିବାର ପକ୍ଷରୁ ପିପିଲି ଥାନାରେ ଅଭିଯୋଗ କରାଯାଇଛି। ସୋନୁର ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା? କିଏ କାହିଁକି ତାକୁ ହତ୍ୟା କଲା? ଆଉ କିଭଳି ପରିସ୍ଥିତିରେ ମୃତ୍ୟୁ ଘଟିଲା ସେନେଇ ପୁଲିସ ପକ୍ଷରୁ ଛାନଭିନ ଆରମ୍ଭ ହୋଇଛି। ଅପରପକ୍ଷରେ ଆଜି ସକାଳ ୯ଟା ସମୟରେ ସୋନୁର ମୃତଦେହ କଣ୍ଟାବାଞ୍ଜିରୁ ପହଞ୍ଚିବା ପରେ ଘଟଣା ଉଗ୍ର ରୂପ ନେଇଥିଲା। ଶତାଧିକ ସ୍ଥାନୀୟ ଲୋକ ଭୁବନେଶ୍ବର-ପୁରୀ ଜାତୀୟ ରାଜପଥର କୌଶଲ୍ୟାଗଙ୍ଗ ଫାଣ୍ଡି ଅଧୀନ ଟୋଲ୍‌ଗେଟ୍‌ ନିକଟରେ ଶବ ରଖି ମଧ୍ୟାହ୍ନ ସାଢ଼େ ୧୨ଟା ପର୍ଯ୍ୟନ୍ତ ଦୀର୍ଘ ସାଢ଼େ ୩ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ଜାତୀୟ ରାଜପଥରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। ଖବର ପାଇ ପିପିଲି ଏସଡିପିଓ ଦେବଦତ୍ତ ବରାଳ, ଡିଏସପି ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଏଥିସହିତ ଅଭିଯୋଗ ଆଧାରରେ ହତ୍ୟା ମାମଲା ରୁଜୁ କରି ଘଟଣାର ନିରପେକ୍ଷ ତଦନ୍ତ କରିବା ନେଇ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ସୋନୁର ମା’ ସୁମିତ୍ରା ଜେନା‌ଙ୍କ ଅଭିଯୋଗକୁ ଭିତ୍ତିକରି ଥାନାରେ ୧୦୧/୨୨ରେ ହତ୍ୟା ମାମଲା ରୁଜୁ ହୋଇଥିବା ପିପିଲି ଥାନା ଅଧିକାରୀ ଜଣାଇଛନ୍ତି।

ସୂଚନା ମୁତାବକ ସୋନୁ ୫ ଦିନ ତଳେ ନିଖୋଜ ହୋଇଯାଇଥିଲା। ଗତକାଲି ଅପରାହ୍ନରେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଳ ଧାରଣାରୁ ଖଣ୍ଡବିଖଣ୍ଡିତ ଅବସ୍ଥାରେ ମୃତଦେହ ମିଳିଥିଲା। ଗୋବିନ୍ଦପୁର ପଞ୍ଚାୟତ ଅଧୀନ ମାଟିଆପଡ଼ା ଗ୍ରାମରେ ସୋନୁ ମାମୁ ଘରେ ରହି ନିକଟସ୍ଥ ହାଇସ୍କୁଲରେ ପାଠ ପଢ଼ୁଥିଲା। ଗତ ୬ ତାରିଖରେ ଅପରାହ୍ନରେ ସେ ଟ୍ୟୁସନକୁ ଯାଇ ଆଉ ଘରକୁ ଫେରିନଥିଲା। ସୋନୁର ଫେରିବାରେ ବିଳମ୍ବ ହେବାରୁ ପରିବାରେ ଲୋକ ଟ୍ୟୁସନ ଶିକ୍ଷକଙ୍କୁ ଯୋଗାଯୋଗ କରିବା ସହ ସହପାଠୀମାନଙ୍କୁ ମଧ୍ୟ ପଚରାଉଚରା କରିଥିଲେ। ବିଭିନ୍ନ ସ୍ଥାନ ଏବଂ ସଂପର୍କୀୟ ଘର ଖୋଜାଖୋଜି କରିଥିଲେ। ମାତ୍ର ତା’ର ପତ୍ତା ମିଳିନଥିଲା। ଶେ‌ଷରେ ପୁଅ ନିଖୋଜ ନେଇ ମା’ ସୁମିତ୍ରା କୌଶଲ୍ୟାଗଙ୍ଗ ଫାଣ୍ଡିରେ ଜଣାଇଥିଲେ। ସୋନୁ ବେକରେ ଥିବା ସ୍କୁଲ ପରିଚୟପତ୍ରରୁ ତାକୁ ଚିହ୍ନଟ କରାଯିବା ପରେ ରେଳବାଇ ପୁଲିସ ପୁରୀ ଜିଲ୍ଲା ପୁଲିସ ମୁଖ୍ୟ ଦପ୍ତରକୁ ଫୋନ କରି ଜଣାଇଥିଲା। ଖବର ପାଇ ସୋନୁର ଅଜା ବେଣୁଧର ପ୍ରଧାନଙ୍କ ସମେତ ସଂପର୍କୀୟମାନେ ପହଞ୍ଚି ଶବ ଚିହ୍ନଟ କରିଥିଲେ।

ସମ୍ବନ୍ଧିତ ଖବର