ଭୁବନେଶ୍ବର: ଗତକାଲି ସନ୍ଧ୍ୟାରେ ଶିରିପୁର ଛକରେ ଜଣେ ଛାତ୍ରଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା। ଏହି ମାମଲାରେ ଆଜି ଖଣ୍ଡଗିରି ଥାନା ପୁଲିସ ୬ଜଣଙ୍କୁ ଗିରଫ କରିଛି ଏବଂ ୩ ନାବାଳକଙ୍କୁ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡରେ ହାଜର କରାଇଛି। ଅଭିଯୁକ୍ତମାନେ ହେଲେ ଗଙ୍ଗନଗର ଅଞ୍ଚଳରେ ରହୁଥିବା ନୟ‌ାଗଡ଼ ଭାପୁର ଅଞ୍ଚଳର ପ୍ରତୀକ ମହାନ୍ତି(୧୯), ୟୁନିଟ୍‌ ୮ ଅଞ୍ଚଳରେ ରହୁଥିବା ନୟାଗଡ଼ ଖଣ୍ଡପଡ଼ା ଅଞ୍ଚଳର ମଳୟ ରଞ୍ଜନ ରାଉତ(୧୯), ମହାବୀରବସ୍ତିରେ ରହୁଥିବା ନୟାଗଡ଼ ଦଶପଲ୍ଲା ଅଞ୍ଚଳର ଶୁଭମ ସାହୁ(୧୯), ୟୁନିଟ୍‌ ୮ ଅଞ୍ଚଳରେ ରହୁଥିବା ପୁରୀ ଅଞ୍ଚଳର ସୌରଭ ମହାନ୍ତି(୧୯), ଇନ୍‌ଫୋଭ୍ୟାଲି ଅଞ୍ଚଳର ବିଘ୍ନେଶ ଦାଶ(୧୯) ଓ ମଞ୍ଚେଶ୍ବର ଚକେଇସିଆଣି ଅଞ୍ଚଳର ବିମଳେନ୍ଦୁ ଦାଶ(୧୯)। 

Advertisment

ଗତକାଲି ବେସିକ୍‌ ସାଇନ୍ସ କଲେଜରେ କୌଣସି କାରଣକୁ ନେଇ ପ୍ରଥମ ଓ ତୃତୀୟ ବର୍ଷର ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପ୍ରଥମ ବର୍ଷର ଛାତ୍ରମାନେ କିଛି ଲୋକାଲ୍‌ ପିଲାଙ୍କୁ କଲେଜ ପରିସରକୁ ଆ‌ଣି ତୃତୀୟ ବର୍ଷର ପିଲାଙ୍କୁ ଧମକ ଦେଇଥିଲେ। ସିନିୟର୍‌ ପିଲାଙ୍କୁ ଜୁନିଅର୍‌ ପିଲାମାନେ ଏଭଳି ଧମକ ଦେବା ଘଟଣାକୁ ନେଇ କଲେଜ ପରିସରରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ତେଣୁ ଗଣ୍ଡଗୋଳରେ ସମ୍ପୃକ୍ତ ପ୍ରଥମ ବର୍ଷର ଛାତ୍ରମାନେ ପଳାଇଥିଲେ। କଲେଜ ଛୁଟି ପରେ ତୃତୀୟ ବର୍ଷର ଛାତ୍ର ଆୟୁଷ ନାରାୟଣ ଦାଶ ହଷ୍ଟେଲ୍‌କୁ ଫେରୁଥିଲେ। ଶିରିପୁର ଛକରେ ଛକି ରହିଥିବା ରିତେଶ ଜେନା, ସାଗର ନାୟକ, ରିଶି ଓ ପ୍ରତୀକ ମହାନ୍ତି ତାଙ୍କୁ ଅଟକାଇଥିଲେ। ପରେ ମଳୟ ରଞ୍ଜନ ରାଉତ ଓ ଶିବ ପ୍ରସାଦ ବେହେରା ଅନ୍ୟମାନେ ସେଠାରେ ପହଞ୍ଚିଥିଲେ। ସେମାନେ ଆୟୁଷଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ବିକଳରେ ଆୟୁଷ ଦୌଡ଼ିବାକୁ ଲାଗିଲେ। କିନ୍ତୁ ଦୁର୍ବୃତ୍ତମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ପକାଇଥିଲେ। ଜନଗହଳିପୂର୍ଣ୍ଣ ଶିରିପୁର ଛକରେ ଏଭଳି ଭୟଙ୍କର ଆକ୍ରମଣ ହେଉଥିଲେ ହେଁ ଖଣ୍ଡା ଆଗକୁ ଯିବାକୁ କାହାର ଜୁ ନଥିଲା। କିନ୍ତୁ ଓୟୁଏଟିର ଅନ୍ୟ ଛାତ୍ରମାନେ ପାଟି କରି ଧାଇଁ ଆସିବାରୁ ଦୁର୍ବୃତ୍ତମାନେ ପଳାଇଥିଲେ।