ଚନ୍ଦ୍ରଶେଖରପୁର: ଆଣ୍ଡ୍ରଏଡ୍ ମୋବାଇଲ୍ ଅଛି। ହେଲେ ଇଣ୍ଟରନେଟ୍ ସୁବିଧା ଉପଲବ୍ଧ ହେଉନି। ଯଦିଓ କାଁ ଭାଁ ସ୍ଥାନରେ ନେଟ୍ ଆସୁଛି ତାହା ପିଲାଙ୍କ ପାଠପଢ଼ିବା ଲାଗି ପର୍ଯ୍ୟାପ୍ତ ନୁହେଁ। କାରଣ ଯେଉଁ ସମୟରେ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ଅନ୍ଲାଇନ୍ରେ ପଢ଼ାଉଛନ୍ତି, ସେ ସମୟରେ ମୋବାଇଲ୍ରେ ନେଟ୍ ସୁବିଧା ଅପହଞ୍ଚ ହୋଇଯାଉଛି। ଆଉ ଯେତେବେଳେ ଇଣ୍ଟରନେଟ୍ ସୁବିଧା ଉପଲବ୍ଧ ହେଉଛି, ସେତେବେଳକୁ ପିଲାଙ୍କ ପାଠପଢ଼ା ସରିଯାଉଛି। ମୋବାଇଲ୍ରେ ନେଟ୍ ଆସୁଥିଲେ ମଧ୍ୟ ତାହା କାମର ଲାଗି ପାରୁନି। ଯେଉଁଥିପାଇଁ ଶତାଧିକ ଛାତ୍ରଛାତ୍ରୀ ଅନ୍ଲାଇନ୍ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏ କୌଣସି ଉପାନ୍ତ କି ଆଭ୍ୟନ୍ତରୀଣ ଓଡ଼ିଶାର କଥା ନୁହେଁ। ବରଂ ଖୋଦ୍ ରାଜଧାନୀଠାରୁ ମାତ୍ର ୧୫ କିମି ଦୂରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ପୂର୍ବରୁ କନ୍ଧମାଳ, ମାଲକାନଗିରି, କୋରାପୁଟ, କଳାହାଣ୍ଡି, ଝାରସୁଗୁଡ଼ା, ଗଞ୍ଜାମ ଆଦି ଜିଲ୍ଲାରେ ଇଣ୍ଟରନେଟ୍ ସୁବିଧା ନ ଥିବାରୁ ପିଲାମାନେ ପାଠପଢ଼ାରୁ ବଞ୍ଚିତ ହେଉଥିବା ଖବର ‘ସମ୍ବାଦ’ରେ ପ୍ରକାଶ ପାଇସାରିଛି। ଏବେ ଭୁବନେଶ୍ବର ନିକଟର ଏହି ଦୃଶ୍ୟ ଅନ୍ଲାଇନ୍ ଶିକ୍ଷା ବ୍ୟବସ୍ଥାର ବାସ୍ତବ ଚିତ୍ରକୁ ପଦାରେ ପକାଉଛି। ପାଠ ପଢ଼ିବା ଲାଗି ଏଠାକାର ଛାତ୍ରଛାତ୍ରୀ ପ୍ରତିଦିନ ନିଜ ଜୀବନକୁ ବାଜି ଲଗାଇ ଗଛ ଓ ପାହାଡ଼ ଚଢ଼ୁଛନ୍ତି। ଅଧିକାଂଶ ସ୍କୁଲର ପାଠପଢ଼ା ପୂର୍ବାହ୍ନରେ ହୋଇଥିବାରୁ ଛାତ୍ରଛାତ୍ରୀ ହାତରେ ମୋବାଇଲ୍ ଧରି ଟିକିଏ ଇଣ୍ଟରନେଟ୍ ସୁବିଧା ପାଇବା ଲାଗି କିଏ ଗଛ ଉପରକୁ ଚଢ଼ୁଛନ୍ତି ତ ଆଉ କିଏ ପାହାଡ଼ ଉପରେ ବସି ପଢ଼ୁଛନ୍ତି। ଖରା ବର୍ଷାକୁ ସେମାନଙ୍କର ଖାତିର ନାହିଁ। ଦେଖିଲେ ଲାଗୁଛ ଯେମିତି ପାଠପଢ଼ା ଲାଗି ସେମାନଙ୍କ ପାଖରେ ଜୀବନ ତୁଚ୍ଛ।
ରାଜଧାନୀ ଉପକଣ୍ଠ ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ମଧ୍ୟ ଭାଗରେ ଥିବା ଚୂଡ଼ଙ୍ଗଗଡ଼, ଚୁନୁକୋଳି, ହାତୀ ଗାଧୁଆ ଖୋଲ, ବଙ୍ଗାଳି ବସ୍ତି, ଅନ୍ଧାରୁଆ ସାନ୍ତାଳ ବସ୍ତି, ଭାଲୁଙ୍କା ଆଦିବାସୀ ଗ୍ରାମ, ଗୋଡ଼ିବାରି, ଗଇଁଠାଳ, ଦଳୁଆ ସାନ୍ତାଳ ସାହି, ଝୁମୁକା ଓ ଡେରାସ ନିକଟ ଆଦିବାସୀ ସାହି, ବରଡ଼େଇ ମୁଣ୍ଡାସାହି ପଡ଼ାଗୁଡ଼ିକର ଛାତ୍ରଛାତ୍ରୀ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରାଜଧାନୀ ଉପକଣ୍ଠର ଏହି ଅଞ୍ଚଳଗୁଡ଼ିକରେ କେତେକ ଟେଲିକମ୍ କମ୍ପାନିର ଇଣ୍ଟର୍ନେଟ୍ ସୁବିଧା ଉପଲବ୍ଧ ହେଉଥିବା ବେଳେ ଆଉ କିଛି କମ୍ପାନିର ଆସୁ ନଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ଛାତ୍ରଛାତ୍ରୀ ପାହାଡ଼ ଓ ଗଛ ଚଢ଼ିବାକୁ ବାଧ୍ୟ ହେଉଛନ୍ତି ବୋଲି ଅଭିଭାବକମାନେ କହିଛନ୍ତି।
ଶତାଧିକ ଛାତ୍ରଛାତ୍ରୀ ଅନ୍ଲାଇନ୍ ପାଠପଢ଼ାରୁ ବଞ୍ଚିତ ହେଉଥିବା ଜଣାପଡ଼ିବା ପରେ କିଛି ସ୍ବେଚ୍ଛାସେବୀ ଯୁବକ ପିଲାଙ୍କୁ ସହଯୋଗ କରିବାକୁ ଆଗେଇ ଆସିଛନ୍ତି। ନିଜ ମୋବାଇଲ୍ରୁ ଡାଟା ଖର୍ଚ୍ଚ କରି ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ବାରା ମୋବାଇଲ୍ରେ ପଠାଯାଇଥିବା ଡକ୍ୟୁମେଣ୍ଟ ଓ ଭିଡିଓକୁ ଡାଉନ୍ଲୋଡ଼୍ କରି ଛାତ୍ରଛାତ୍ରୀଙ୍କୁ ପଢ଼ାଉଛନ୍ତି। ଛାତ୍ରଛାତ୍ରୀ ମଧ୍ୟ ସ୍ବେଚ୍ଛାସେବୀଙ୍କ ମୋବାଇଲ୍, ଲ୍ୟାପ୍ଟପ୍, ଟ୍ୟାବ୍ରୁ ଅଡିଓ ଓ ଭିଡିଓ ଦେଖି ପଢ଼ିବାରେ ସକ୍ଷମ ହେଉଛନ୍ତି। ଏମିତି କି କିସ୍ର ପୁରାତନ ଛାତ୍ରଛାତ୍ରୀ ପ୍ରଦୀପ ମୁର୍ମୁ, ରାଜେନ୍ଦ୍ର ନାଚିକା, ହେମ୍ ସିଂ ଓ ମାଢ଼ି ଟୁଡ଼ୁ ଓ ଟିମ୍ ପ୍ରତିଦିନ ପିଲାଙ୍କ ଘର ବୁଲି ପାଠ ପଢ଼ାଉଛନ୍ତି। ତେବେ ସବୁ ପିଲାଙ୍କ ନିକଟରେ ପହଞ୍ଚିବା ସେମାନଙ୍କ ପକ୍ଷେ ସମ୍ଭବପର ହେଉ ନ ଥିବା କହିଛନ୍ତି। ଏମିତି କି ଛାତ୍ରଛାତ୍ରୀଙ୍କଠାରୁ ଫୋନ୍ କଲ୍ ପାଇବା ପରେ ଯୁବକମାନେ ସେମାନଙ୍କୁ ଫୋନ୍ ଯୋଗେ ମଧ୍ୟ ପଢ଼ାଉଛନ୍ତି।