ପ୍ରେମରେ ଧୋକା ଖାଇ ଛାତ୍ରୀଙ୍କ ଆତ୍ମହତ୍ୟା : ସୁଇସାଇଡ୍ ନୋଟ୍ ଜବତ, ପ୍ରେମିକ ଗିରଫ

ମୋବାଇଲରୁ ଅଧିକ ଖୋଳତାଡ଼ କରୁଛି ପୁଲିସ

ଭୁବନେଶ୍ବର : ‘ମୁଁ ମରିଯିବି ସିନା, କିନ୍ତୁ ଆଉ କାହା ଜୀବନ ନଷ୍ଟ କରିବାକୁ ଦେବିନି’। ଏମିତି କିଛି ସୁଇସାଇଡ୍‌ ନୋଟ୍ ଲେଖିବା ପରେ ଜଣେ ଛାତ୍ରୀ ରାଜଧାନୀରେ ଆତ୍ମହତ୍ୟା କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ପ୍ରେମ ସମ୍ପର୍କରେ ତିକ୍ତତା ଆସିବାରୁ ପ୍ରେମିକଙ୍କୁ ଦୋଷ ଦେଇ ଶେଷରେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ନୟାପଲ୍ଲୀ ଥାନା ଅନ୍ତର୍ଗତ ୟୁନିଟ୍-୮ ଅଞ୍ଚଳରେ। ପୁଲିସ ଆଜି ଅଭିଯୁକ୍ତ ପ୍ରେମିକ ଧଉଳି ଥାନା ଅନ୍ତର୍ଗତ ନୂଆଗାଁ ବିଜୟବିହାର ଅଞ୍ଚଳର ଦିବ୍ୟଲୋଚନ ଦାସ(୨୪)କୁ ଗିରଫ କରି କୋର୍ଟଚାଲାଣ ପରେ ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍ ପଠାଇ ଦିଆଯାଇଛି। ଆତ୍ମହତ୍ୟା କରିଥିବା ଛାତ୍ରୀ ହେଲେ ୟୁନିଟ୍-୮ ଅଞ୍ଚଳର ସରିତା ଦାସ। ସରିତାଙ୍କ ବାପା ଅଜୟ ଦାସଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଆଇପିସି ଧାରା-୩୦୬(ଆତ୍ମହତ୍ୟା ପାଇଁ ଉସୁକାଇବା)ରେ ମାମଲା ରୁଜୁ କରିଛି। ଘଟଣାସ୍ଥଳରୁ ପୁଲିସ ତିନି ପୃଷ୍ଠାର ସୁଇସାଇଡ ନୋଟ୍ ଓ ମୋବାଇଲ ଫୋନ୍ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।

ପୁଲିସ ସୂଚନା ଅନୁସାରେ, ସରିତା ବିବିଏ ପାସ୍ କରିଛନ୍ତି। ସେହିପରି ଅଭିଯୁକ୍ତ ପ୍ରେମିକ ଦିବ୍ୟଲୋଚନ କମର୍ସରେ ସ୍ନାତକ ଶେଷ କରିଛି। ଉଭୟ ସହିଦନଗରସ୍ଥିତ ଏକ ଶିକ୍ଷାନୁଷ୍ଠାନରେ ଫାର୍ମାସି ଆସିଷ୍ଟାଣ୍ଟ ତାଲିମ ନେଉଥିଲେ। ପ୍ରାୟ ବର୍ଷେ ହେଲା ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପରେ ପ୍ରେମରେ ତିକ୍ତତା ସୃଷ୍ଟି ହୋଇଥିଲା। ଗତ ୧୭ ତାରିଖରେ ସରିତା ଏକାଧିକ ଥର ଦିବ୍ୟଲୋଚନଙ୍କ ଫୋନ କଲ୍ ଓ ମେସେଜ୍ କରିଥିଲେ। କିନ୍ତୁ କୌଣସି ଉତ୍ତର ନ ମିଳିବାରୁ ଶେଷରେ ଓଢ଼ଣି ଲଗାଇ ଆତ୍ମହତ୍ୟା କରିଥିବା ପୁଲିସ ଜାଣିବାକୁ ପାଇଛି। ଉଭୟ ସରିତା ଓ ଅଭିଯୁକ୍ତ ଦିବ୍ୟଲୋଚନଙ୍କ ମୋବାଇଲ ଫୋନକୁ ପୁଲିସ ଜବତ କରି ସେଥିରୁ ତଥ୍ୟ କାଢିବାକୁ ଚେଷ୍ଟା କରୁଛି। ଏହି ମୋବାଇଲ ଫୋନକୁ ଫୋରେନସିକ୍ ଲାବରେଟୋରିକୁ ପଠାଯିବ। ମେସେଜ୍‌ର ପ୍ରିଣ୍ଟ ଆଉଟ୍ ଓ ଫୋରେନସିକ୍ ପ୍ରମାଣ ଗୁରୁତ୍ବପୂର୍ଣ୍ଣ ବୋଲି ଜଣେ ଅଧିକାରୀ କହିଛନ୍ତି।

‘ମୁଁ ମରିଯିବି ସିନା, ଆଉ କୋଉ ଝିଅର ଜୀବନ ନଷ୍ଟ କରିବାକୁ ଦେବିନି’
ମୋ ଲାଇଫ୍ ବରବାଦ ହୋଇଗଲା, ଅପା ମୋତେ କ୍ଷମା କର। ତତେ କିଛି ଜଣାଇ ନ ଥିଲି। ଭାବିଥିଲି, ମୁଁ ଆଉ ସିଏ ମିଶି ଗୋଟିଏ ଖୁସି ଖବର ଜଣାଇବୁ। କିନ୍ତୁ ସେ ମୋ ଇମୋସନ୍ ଓ ଫିଲିଂ ସହ ଖେଳିଲା। ମୋ ପର୍ସନାଲ ଓ ପାଷ୍ଟ ଲାଇଫ୍ ବିଷୟରେ ସେ ସବୁ କିଛି ଜାଣିଥିଲା। ବର୍ଷେ ହେଲା ଆମେ ଏକାଠି ଥିଲୁ। ତାକୁ ଆଣି ଆମ ଘରେ ମିଶାଇଲି। ମୁଁ ଭାବି ବି ପାରୁନି ସେ ଏମିତି କରିଲା ଓ ମୁଁ ସହି ପାରିଲିନି। ମୋତେ ଭଲ ପାଇବାର ବାହାନା କରି ଖୁସି ଦେବା ଆଳରେ ମୋ ସହ ଖେଳିଲା, କଷ୍ଟ ଦେଲା। ନା କାହାକୁ କହିପାରିଲି ନା ସହିପାରିଲି, ସେ ବୋଧହୁଏ ଏଇୟା ଚାହୁଁଥିଲା।….

….ଗୋଟିଏ ପୁଅ ପାଇଁ ଗୋଟିଏ ଝିଅର ଜୀବନ, ତା ଫିଲିଂସ୍, ତା ଇମୋସନ୍, ତା ଭଲ ପାଇବାର କିଛି ମୂଲ୍ୟ ନାହିଁ। ବହୁତ ମେଣ୍ଟାଲି, ଇମୋସନାଲି ଟର୍ଚର କଲା ମତେ। ଯେତେବେଳେ ତାର ମୋ ପାଖରେ ସ୍ବାର୍ଥ ଥିଲା ମୁଁ ତା ପାଇଁ ସର୍ବସମ୍ମୁଖରେ ଭଲ ଥିଲି। ସ୍ବାର୍ଥ ହାସଲ ପରେ ମୁଁ ଖରାପ ହୋଇଗଲି, ସମସ୍ତେ ଖରାପ ଆଉ ତୁ ଏକା ଭଲ। ମୁଁ ମରିଯିବି ସିନା ଆଉ କୋଉ ଝିଅର ଜୀବନ ନଷ୍ଟ କରିବାକୁ ଦେବିନି।….

କାଲି ସେ ଫୋନ୍ ଅନ୍ କରିଥିଲା। ଫୋନ୍ କରି ଟିକିଏ ରିକ୍ୟୁଏଷ୍ଟ କଲି, ମେସେଜ୍ କଲି ଥରେ କଥା ହେବା ପାଇଁ, ଟିକିଏ କଥା ହେବା ପାଇଁ। କିନ୍ତୁ ସେ ଶୁଣିଲାନି। ତା ପାଇଁ ସମସ୍ତଙ୍କଠୁ ମୁଁ ଦୂରେଇ ଗଲି ଆଜି। କିନ୍ତୁ ସେ ବୁଝି ପାରିଲାନି। ଆଶା ସବୁ ଆଶା ହୋଇ ରହିଗଲା। ମୋ ମଲାଦେହ ମିଳିବ କି ନାହିଁ, କିନ୍ତୁ ଏଥିପାଇଁ କେବଳ ସେ ହିଁ ଦାୟୀ।

ସମ୍ବନ୍ଧିତ ଖବର