ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ଗର୍ଜିଲା ଛାତ୍ର କଂଗ୍ରେସ: ନବୀନ ନିବାସ ନିକଟରେ ପୁଲିସକୁ ଅଣ୍ଡା, ଟମାଟୋ ମାଡ଼

ପୁଲିସ ବି ଫିଙ୍ଗିଲା ଟମାଟୋ, ଆଉ ଦଳେ ଘେରିଲେ ଡିଜିପି କ୍ୟାମ୍ପ ଅଫିସ୍‌

ଭୁବନେଶ୍ୱର: ସନ୍‌ସାଇନ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ଛାତ୍ର କଂଗ୍ରେସ ଆଜି ରାଜଧାନୀରେ ଗର୍ଜିଛି। ଛାତ୍ର କଂଗ୍ରେସର ଚକ୍ରବ୍ୟୂହରେ ପୁଲିସକୁ ନାକେଦମ୍‌ ହେବାକୁ ପଡ଼ିଛି। ଏମିତିକି ନବୀନ ନିବାସ ନିକଟରେ ପୁଲିସକୁ ଅଣ୍ଡା, ଟମାଟୋ ମାଡ଼ ଖାଇବାକୁ ପଡ଼ିଛି। ଦିନ ପାଖାପାଖି ୧୧ଟାରେ ଛାତ୍ର କଂଗ୍ରେସ୍‌ର ସମର୍ଥକମାନେ ପୁଲିସକୁ ଚକ୍‌ମା ଦେବା ପାଇଁ ଭାଗ ହୋଇ ଭିନ୍ନ ଭିନ୍ନ ସ୍ଥାନରୁ ଶୋଭାଯାତ୍ରାରେ ବାହାରିଥିଲେ। କିଏ କେଉଁ ଆଡ଼କୁ ଯିବ, ପୁଲିସ କିଛି ବୁଝି ପାରି ନଥିଲା। କେତେକ ସମର୍ଥକ ଶିଶୁଭବନ ଛକ ଦେଇ ନବୀନ ନିବାସ ମୁହାଁ ହୋଇଥିବା ବେଳେ କେତେକ ଡିଜିପି କ୍ୟାମ୍ପ ଅଫିସ୍‌ମୁହାଁ ହୋଇଥିଲେ। ତେବେ ନବୀନ ନିବାସ ଆଡ଼କୁ ଯାଉଥିବା‌ କର୍ମୀଙ୍କୁ ସେଠାରେ ପୂର୍ବରୁ ସଜାଗ ଥିବା ପୁଲିସ ଫରେଷ୍ଟ ପାର୍କ ଛକ ନିକଟରେ ଅଟକାଇଥିଲା। ଏହାକୁ ନେଇ ପୁଲିସ ଓ ଛାତ୍ର କଂଗ୍ରେସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପ୍ରତିବାଦରେ ଆନ୍ଦୋଳନକାରୀ ପୁଲିସ ଉପରକୁ ଅଣ୍ଡା, ଟମାଟୋ ମାଡ଼ କରିଥିଲେ। ପୁଲିସ ବି ଆନ୍ଦୋଳନକାରୀଙ୍କ ଉପରକୁ ପାଲଟା ଟମାଟୋ ମାଡ଼ କରିଥିଲା। ଦୁଇଘଣ୍ଟା କାଳ ଛକାପଞ୍ଝା ପରେ ପୁଲିସ୍‌ ଆନ୍ଦୋଳନକାରୀଙ୍କୁ ଗିରଫ କରିଥିଲା। ହେଲେ ଏତିକିରେ ଥମି ନଥିଲେ ଛାତ୍ର କଂଗ୍ରେସ କର୍ମୀ। ସେଠାରୁ କେତେକ ଆନ୍ଦୋଳନକାରୀ ଡିଜିପି କ୍ୟାମ୍ପ ଅଫିସ୍‌ ଘେରାଉ ପାଇଁ ପୁଲିସ କମିସନର୍‌ କାର୍ଯ୍ୟାଳୟମୁହାଁ ହୋଇଥିଲେ। ସେଠାରେ ପୂର୍ବରୁ ଥିବା ଛାତ୍ର କଂଗ୍ରେସ ସମର୍ଥକ ଓ ବରିଷ୍ଠ କଂଗ୍ରେସ ନେତାଙ୍କ ସହ ଯୋଗଦେଇ ସମ୍ପୂର୍ଣ୍ଣ କାର୍ଯ୍ୟାଳୟ ଚାରିପଟ ଘେରି ଯାଇଥିଲେ। ଫଳରେ ବହୁ ସମୟ ଧରି ସଂଲଗ୍ନ ରାସ୍ତାରେ ଯାତାୟାତ ଠପ୍‌ ହୋଇଯାଇଥିଲା। ପୁଲିସ ଆନ୍ଦୋଳନକାରୀଙ୍କୁ ବୁଝାସୁଝା ପରେ ଏକ ପ୍ରତିନିଧିମଣ୍ଡଳୀ ପୁଲିସ କମିସନର୍‌ଙ୍କୁ ଭେଟି ପୁଲିସ ଡିଜିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ଦାବିଗୁଡ଼ିକ ମଧ୍ୟରେ ଛାତ୍ର କଂଗ୍ରେସ ଓ କଂଗ୍ରେସ କର୍ମୀଙ୍କ ଉପରେ ଆକ୍ରମଣ କରିଥିବା ଅସାମାଜିକଙ୍କୁ ଗିରଫ, ଆକ୍ରମଣ କରିବାକୁ ସୁଯୋଗ ଦେଉଥିବା ପୁଲିସ ଅଫିସର୍‌ ଏବଂ ଏସ୍‌ପିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ଛାତ୍ର କଂଗ୍ରେସ/କଂଗ୍ରେସ କର୍ମୀଙ୍କ ଉପରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବନ୍ଦ ଆଦି ଦାବିକୁ ନେଇ ଆଲୋଚନା କରିଥିଲେ। ଛାତ୍ର କଂଗ୍ରେସ ସଭାପତି ୟାସିର୍‌ ନୱାଜଙ୍କ ନେତୃତ୍ବରେ ଅନୁଷ୍ଠିତ ଆଜିର ଆନ୍ଦୋଳନରେ ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟ, ରଜତ ଚୌଧୁରୀ, ସତ୍ୟପ୍ରକାଶ ନାୟକ, ବିଶ୍ୱଜିତ ଦାଶ, ପ୍ରକାଶ ମିଶ୍ର, ସଂକୁନା କହଁର, ଅଜୟ ସାହୁ, ମନୋଜ ବିଶ୍ୱାଳ, ସୁବ୍ରତ ମହାପାତ୍ର, ନିହାର ବେହେରା, ସୁବାସ ପ୍ରଧାନ, କିରଣ ସାହୁ, ନଳିନୀକାନ୍ତ ନାୟକ, କାର୍ତିକେଶ୍ୱର କାଣ୍ଡି, ମହମ୍ମଦ ଗୁଲଫାମ, ଅନନ୍ତ ପ୍ରସାଦ ସାମନ୍ତରାୟ, ଅର୍ମାନ ଜେନା, ଅଖିଳେଶ ଯାଦବ, ରାକେଶ ନାୟକ ପ୍ରମୁଖଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।

ଫସିଲା ଆମ୍ବୁଲାନ୍ସ
ଛାତ୍ର କଂଗ୍ରେସର ନବୀନ ନିବାସ ଘେରାଉ ବେଳେ ଅଧାବାଟରେ ଆମ୍ବୁଲାନ୍ସ ଫସି ଯାଇଥିଲା। ବ୍ୟାରିକେଡ୍‌ ଯୋଗୁଁ ପୁରୁଣା ଏୟାର ପୋର୍ଟ ଛକରେ ପାଖାପାଖି ୧୦ ମିନିଟ୍‌ କାଳ ସାଇରନ୍‌ ବଜାଇ ଅଟକି ରହିଥିଲା। ଗତକାଲି ଅର୍ଥାତ୍‌ ସୋମବାର କନିଷ୍ଠ ଶିକ୍ଷକ ସଂଘ ପୁଲିସ ଓ ଗୁଇନ୍ଦାକୁ ଚକ୍‌ମା ଦେଇ ବିଧାନସଭା ଗେଟ୍‌ ପାଖରେ ପହଞ୍ଚି ଭିତରକୁ ପଶିବାକୁ ଉଦ୍ୟମ କରିଥିଲା। ୨୦ଜଣଙ୍କୁ ସମ୍ଭାଳିବା ପୁଲିସ ପାଇଁ କାଠିକର ପାଠ ହୋଇଥିଲା। ତେଣୁ ଛାତ୍ର କଂଗ୍ରେସର ବିକ୍ଷୋଭ ସମୟରେ ନବୀନ ନିବାସ ପାଖରେ ଯେମିତି ସେ ସ୍ଥିତି ନ ଉପୁଜେ, ସେଥିପାଇଁ ପୁଲିସ ଅଧିକ ସତର୍କତା ଅବଲମ୍ବନ କରିଥିଲା। ନବୀନ ନିବାସ ଚାରିପଟକୁ ସିଲ୍‌ କରି ଦେଇଥିଲା। ବ୍ୟାରିକେଡ୍‌କୁ ଏଭଳି ଲଗାଯାଇଥିଲା ଯେ ଏହାକୁ ଭେଦ କରିବା ସେତେଟା ସହଜ ନଥିଲା। ଫଳରେ ଶିଶୁଭବନ ପଟୁ ଆସୁଥିବା ଆମ୍ବୁଲାନ୍ସ ଏହି ବ୍ୟାରିକେଡ୍‌ରେ ଫସି ଯାଇଥିଲା। ପୁଲିସ ବ୍ୟାରିକେଡ୍‌ ଖୋଲିବା ପାଇଁ ପାଖାପାଖି ୧୦ ମିନିଟ୍‌ ସମୟ ନେଇଥିଲା।

ସମ୍ବନ୍ଧିତ ଖବର