ଆର୍‌ଆର୍‌ବି ଓ ଏନ୍‌ଟିପିସି ପରୀକ୍ଷାର ତ୍ରୁଟି ସଂଶୋଧନ ଦାବି: ଷ୍ଟେସନ୍‌ ଆଗରେ ଛାତ୍ର କଂଗ୍ରେସର ବିକ୍ଷୋଭ

ଭୁବନେଶ୍ବର : ଆର୍‌ଆର୍‌ବି ଓ ଏନ୍‌ଟିପିସି ପରୀକ୍ଷାର ତ୍ରୁଟି ସଂଶୋଧନ ଓ ଗ୍ରୁପ୍‌-ଡି’ ଶ୍ରେଣୀ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା ବାତିଲ ଦାବିରେ ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଭୁବନେଶ୍ବର ରେଳଷ୍ଟେସନ୍‌ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଛାତ୍ର କଂଗ୍ରେସ କର୍ମୀମାନେ ଅପରାହ୍‌ଣରେ କଂଗ୍ରେସ ଭବନରୁ ଏକ ଶୋଭାଯାତ୍ରାରେ ବାହାରି ଷ୍ଟେସନ୍‌ ୧ ନମ୍ବର ପ୍ଲାଟଫର୍ମ ଫାଟକ ଆଗରେ ଧାରଣାରେ ବସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବୁଝାସୁଝା ପରେ ବିକ୍ଷୋଭକାରୀମାନେ ଧାରଣାରୁ ନ ଉଠିବାରୁ ପୁଲିସ ସେମାନଙ୍କୁ ଗିରଫ କରିଥିଲା।

ଏହି ଅବସରରେ ରେଳବାଇରେ ଖାଲିଥିବା ପଦବିର ୨୦ ଗୁଣ ପରୀକ୍ଷାର୍ଥୀଙ୍କୁ ସିବିଟି-୨ ପାଇଁ ସୁଯୋଗ ପ୍ରଦାନ କରିବା, ଜଣେ ପରୀକ୍ଷାର୍ଥୀଙ୍କୁ କେବଳ ଗୋଟିଏ ବିଭାଗ ପାଇଁ ସୁଯୋଗ ପ୍ରଦାନ କରିବା, ୭ ଲକ୍ଷ ପ୍ରକୃତ ପରୀକ୍ଷାର୍ଥୀଙ୍କୁ ସିବିଟି-୨ ପାଇଁ ଯୋଗ୍ୟତା ପ୍ରଦାନ କରିବା ଓ ଗ୍ରୁପ୍‌-ଡି ପରୀକ୍ଷାକୁ ଗୋଟିଏ ପର୍ଯ୍ୟାୟରେ କରିବା ଦାବି କରାଯାଇଥିଲା। ବିହାର ଓ ଉତ୍ତରପ୍ରଦେଶରେ ରେଳବାଇ ବିରୋଧରେ ଆନ୍ଦୋଳନ କରୁଥିବା ପରୀକ୍ଷାର୍ଥୀଙ୍କୁ ପୁଲିସ ଆକ୍ରମଣ କରୁଥିବା ଘଟଣାକୁ ଦୃଢ଼ ନିନ୍ଦା କରାଯାଇଥିଲା ଓ ଏଥିରେ ଜଡ଼ିତ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା। ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ବରେ ଏହି ବିକ୍ଷୋଭରେ ବିଶ୍ବଭୂଷଣ ମହାପାତ୍ର, ବାବୁ ଜେନା, ରଞ୍ଜିତ ସେନାପତି, ସାହାରୁଖ ଖାନ୍, ଅଖିଳେଷ ଯାଦବ, ବିଭୂତି ଭୂଷଣ ମହାପାତ୍ର, ମହମ୍ମଦ ସମିଉଲ, ମୁନା ପରିଡ଼ା, ଶ୍ରୀନନ୍ଦ ଅଭିଷେକ, ଆର୍ଯ୍ୟାନ ଦାସ ଓ ଲବିତ ରାଉତ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର