ଜଗନ୍ନାଥଙ୍କ ଟଙ୍କା ନ ଫେରିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ: ଛାତ୍ର କଂଗ୍ରେସ

ଭୁବନେଶ୍ବର: ୟେସ୍ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ପ୍ରସଙ୍ଗରେ ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ସ୍ଥାନୀୟ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶ୍ରୀଜଗନ୍ନାଥଙ୍କ ଜମା ଟଙ୍କା ନ ଫେରିବା ପର୍ଯ୍ୟନ୍ତ ଛାତ୍ର କଂଗ୍ରେସ ଆନ୍ଦୋଳନ ଜାରି ରଖିବ। ଆଜିକାର ଏପରି ପରିସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଶ୍ରୀମନ୍ଦିର ପୂର୍ବତନ ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ଦାୟୀ କରି ଛାତ୍ର କଂଗ୍ରେସ ପକ୍ଷରୁ ସେମାନଙ୍କ ଫଟୋଚିତ୍ରକୁ ଦାହ କରାଯାଇଥିଲା। ସେହିପରି ତୁରନ୍ତ ଅର୍ଥ ସବ୍‌କମିଟି ଅଧ୍ୟକ୍ଷ ପଦରୁ ବିଜୟ ସାହୁଙ୍କୁ ହଟାଇବାକୁ ଛାତ୍ର କଂଗ୍ରେସ ଦାବି କରିଛି।

ଶୁକ୍ରବାର ପ୍ରଦେଶ ଛାତ୍ର କଂଗ୍ରେସ ରାଜ୍ୟ ସଂଯୋଜକ ୟାସିର୍‌ ନଵାଜଙ୍କ ନେତୃତ୍ବରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଛାତ୍ର କଂଗ୍ରେସ କର୍ମୀମାନେ କଂଗ୍ରେସ ଭବନରୁ ବାହାରି ମାଷ୍ଟରକ୍ୟାଣ୍ଟିନ୍‌ ଛକ ପର୍ଯ୍ୟନ୍ତ ଯାଇଥିଲେ। ଏହି ଅବସରରେ ସେ କହିଥିଲେ, ରାଜ୍ୟ ସରକାର ଅତୀତରେ ଚିଟ୍‌ଫଣ୍ଡ୍‌ ଟଙ୍କା ଫେରାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଫେରାଇବେ କ’ଣ ଚିଟଫଣ୍ଡ୍‌ କମିସନ ତଦନ୍ତକୁ ବନ୍ଦ କରିଦେଇଛନ୍ତି। ୟେସ୍‌ ବ୍ୟାଙ୍କ ଦେବାଳିଆ ହୋଇଥିବା ଜାଣି ସେଠାରେ ଟଙ୍କା ରଖାଯାଇଛି। ତିରୁପତିଙ୍କ ଟଙ୍କା ଉଠିଲା, ହେଲେ ଓଡ଼ିଶା ସରକାର କ’ଣ କରୁଥିଲେ? ଏହି ବ୍ୟାଙ୍କରେ ଟଙ୍କା ରଖିବା ପାଇଁ ପିସି କାରବାର ହୋଇଥିବା ନଵାଜ୍‌ ଅଭିଯୋଗ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଫାଉଣ୍ଡେସନ୍‌ କମିଟି ଅଧ୍ୟକ୍ଷ ହୋଇ ବି ଏହି କାରବାର ସମ୍ପର୍କରେ ଜାଣିପାରିଲେନି କେମିତି? କେଉଁ ପରିସ୍ଥିତିରେ ଏହି ଘରୋଇ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ଜମା ରହିଲା, ପ୍ରକୃତ ସତ୍ୟ ପଦାକୁ ଆଣିବା ପାଇଁ ଛାତ୍ର କଂଗ୍ରେସ ବିଚାର ବିଭାଗୀୟ ତଦନ୍ତ ଦାବି କରିଛି। ବିକ୍ଷୋଭରେ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, ଶୁଭେନ୍ଦୁ ମହାନ୍ତି, କାର୍ଯ୍ୟକାରୀ ସଭାନେତ୍ରୀ ରଶ୍ମି ମହାପାତ୍ର, ପ୍ରକାଶ ମିଶ୍ର, ରଜନୀ ମହାନ୍ତି, ସୁବ୍ରତ ମହାପାତ୍ର, ଦୀପକ ମହାପାତ୍ର, ଆଶିଷ ମଲ୍ଲିକ, ଜୟକୃଷ୍ଣ ସୁବୁଦ୍ଧି, ରଞ୍ଜିତ ପାତ୍ର, ମୋହନ ଜେନା ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର