ରାଜଧାନୀରେ ଗର୍ଜିଲା ଛାତ୍ର କଂଗ୍ରେସ, ନାମଲେଖା ଜାଲିଆତିର ତଦନ୍ତ ଦାବି

ଭୁବନେଶ୍ବର: ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟରେ ନାମଲେଖାରେ ହୋଇଥିବା ଜାଲିଆତିର ବିଚାର ବିଭାଗୀୟ ତଦନ୍ତ ଦାବି କରି ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ୍‌ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହିତ ଆର୍‌ଆର୍‌ବି, ଏନ୍‌ଟିପିସି ପରୀକ୍ଷାଫଳରେ ତ୍ରୁଟି, ନିଟ୍ ପିଜି-୨୦୨୨ ପରୀକ୍ଷା ଘୁଞ୍ଚାଇବା ଓ କେନ୍ଦ୍ରୀୟ ସଂସ୍ଥାରେ ନିଯୁକ୍ତି ପାଇଁ ହେଉଥିବା ପରୀକ୍ଷା ପାଇଁ ବୟସ ସୀମା କୋହଳ କରିବା‌ ଦାବି କରାଯାଇଛି। ଛାତ୍ର କଂଗ୍ରେସ କର୍ମୀମାନେ ପ୍ରାୟ ଏକ ଘଣ୍ଟା ଧରି ରାସ୍ତାରୋକ୍‌ କରିବା ସହ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ।

ଛାତ୍ର କଂଗ୍ରେସର ଅଭିଯୋଗ ଅନୁଯାୟୀ, ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟରେ ଭିନ୍ନକ୍ଷମ ଓ ସ୍ପୋର୍ଟସ୍ ସାର୍ଟିଫିକେଟ୍‌ ଜାଲିଆତି କରି ନାମଲେଖା ହୋଇଛି। କମ୍ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କଠାରୁ ଟଙ୍କା ନେଇ ଜାଲ୍ ସାର୍ଟିଫିକେଟ୍ ବଳରେ ନାମଲେଖା କରାଯାଉଛି। ଅଭିଯୋଗ ହେବା ପରେ ଏହାର ତଦନ୍ତ ଦାୟିତ୍ବ କଲେଜର ଅଧ୍ୟକ୍ଷଙ୍କୁ ଦେଇ ଉଚ୍ଚଶିକ୍ଷା ବିଭାଗ ଏହି ସଂଗିନ୍ ଜାଲିଆତି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଛି ବୋଲି ଛାତ୍ର କଂଗ୍ରେସ ଅଭିଯୋଗ କରିଛି। କେବଳ ଭଦ୍ରକ କଲେଜ ନୁହେଁ, ଓଡ଼ିଶାର ବିଭିନ୍ନ କଲେଜ, ବିଶ୍ବବିଦ୍ୟାଳୟ ଓ ବିଦ୍ୟାଳୟମାନଙ୍କରେ ଏପରି ଦୁର୍ନୀତି ଚାଲିଛି ବୋଲି ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ୍‌ ଅଭିଯୋଗ କରିଛନ୍ତି। ତେଣୁ ଏହି ଦୁର୍ନୀତିର ବିଚାର ବିଭାଗୀୟ ତଦନ୍ତ ପାଇଁ ସେ ଦାବି କରିଛନ୍ତି। ସେହିପରି ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରେଳବାଇ ମନ୍ତ୍ରୀ ଆର୍‌ଆର୍‌ବି ଓ ଏନ୍‌ଟିପିସିରେ ୩୫ ହଜାର ପଦବି ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଥିଲେ। ଗ୍ରୁପ୍‌ ଡି’ରେ ଲକ୍ଷାଧିକ ପଦବି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିପାଇଁ ୨୦୨୧ରେ ପରୀକ୍ଷା କରାଯାଇଥିଲା ଏବଂ ୨୦୨୨ରେ ରେଜଲ୍ଟ ବାହାରିଛି। ଏଥିରେ ଜଣେ ପରୀକ୍ଷାର୍ଥୀ ଏକାଧିକ ପଦବି ପାଇଁ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡ଼ିଛି। ତେଣୁ ଏଥିରେ ମଧ୍ୟ ବ୍ୟାପକ ଦୁର୍ନୀତି ହୋଇଛି। ତେଣୁ ଏହି ପରୀକ୍ଷା ଫଳାଫଳକୁ ସଂଶୋଧନ କରିବା ପାଇଁ ଛାତ୍ର କଂଗ୍ରେସ ଦାବି କରିଛି। ଗ୍ରୁପ୍‌ ଡି’ ପରୀକ୍ଷା ପାଇଁ କେବଳ ସିବିଇଟି-୧ର ବ୍ୟବସ୍ଥା କରିବା ପାଇଁ ଦାବି କରାଯାଇଛି। କୋଭିଡ୍ ମହାମାରୀ ପାଇଁ ଏମ୍‌ବିବିଏସ୍‌ ଛାତ୍ରଛାତ୍ରୀଙ୍କର ଇଟର୍ଣ୍ଣସିପ୍ ସମାପ୍ତ ହୋଇ ନଥିବାରୁ ନିଟ୍ ପିଜି-୨୦୨୨ ପରୀକ୍ଷାକୁ ଘୁଞ୍ଚାଇବା ପାଇଁ ଦାବି କରିଛି ଛାତ୍ର କଂଗ୍ରେସ। ୟୁପିଏସ୍‌ସି, ଆଇବିପିଏସ୍‌, ଏସ୍ଏସ୍‌ସି, ଜେଇଇ ପରୀକ୍ଷା ପାଇଁ ବୟସସୀମା କୋହଳ କରିବା ପାଇଁ ମଧ୍ୟ ଦାବି ହୋଇଛି। ବିକ୍ଷୋଭରେ ଦୀପ୍ତିରଞ୍ଜନ ପରିଡ଼ା, ଆଦିତ୍ୟ ପ୍ରୀତମ ଦାସ, ମହମ୍ମଦ ଗୁଲ୍‌ଫାମ୍‌, ରଞ୍ଜିତ ସେନାପତି, କାର୍ତ୍ତିକେଶ୍ବର କାଣ୍ଡି, ଅବିନାଶ ନନ୍ଦ, ମୁନା ପରିଡ଼ା, ବିଭୂତି ଭୂଷଣ ମହାପାତ୍ର, ମହମ୍ମଦ ସମିଉଲ, ଉଦିତ୍ ପ୍ରଧାନ, ଶ୍ରୀ ମହାନ୍ତି, ପ୍ରୀତିସ୍ମିତା ଜେନା, ରାଜଲକ୍ଷ୍ମୀ ସାହୁ, ପ୍ରମୋଦିନୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର