ମନ୍ତ୍ରୀଙ୍କ ବାସଭବନ ଘେରିଲା ଛାତ୍ର କଂଗ୍ରେସ, କମ ଦରରେ ପରିବା ବିକିଲା

ଭୁବନେଶ୍ବର : ପରିବା ଦର ବୃଦ୍ଧିର ପ୍ରତିବ‌ାଦରେ ଛାତ୍ର କଂଗ୍ରେସ ତା’ର ଆନ୍ଦୋଳନ ଜାରି ରଖିଛି। ଯୋଗାଣ ମନ୍ତ୍ରୀଙ୍କ ବାସଭବନକୁ ଟମାଟୋ ମାଡ଼ ପରେ ଆଜି କୃଷି ମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରିଥିଲା ଛାତ୍ର କଂଗ୍ରେସ। କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ସରକାରୀ ବାସଭବନ ସମ୍ମୁଖରେ କମ୍ ମୂଲ୍ୟରେ ପରିବା ବିକିଥିଲେ ଛାତ୍ର କଂଗ୍ରେସ ନେତାମାନେ। ଟମାଟୋ କିଲୋ ୫୦ ଟଙ୍କା, ବାଇଗଣ କିଲୋ ୩୦ଟଙ୍କା, ଝୁଡ଼ଙ୍ଗ କିଲୋ ୨୫ ଟଙ୍କା ସମେତ ସାରୁ, ପୋଟଳ, ଲଙ୍କା ପ୍ରଭୃତି ପରିବା ଅଧା ଦାମରେ ବିକ୍ରି କରିଥିଲେ।

ଏହି ପରିପ୍ରେକ୍ଷୀରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଛନ୍ତି ଯେ ପରିବା ଓ ସଉଦା ଦର ବୃଦ୍ଧି ପାଇଁ ମୋଦୀ ଓ ନବୀନ ଶାସନ ଦାୟୀ। ଚାଷୀ ଅମଳ ଋତୁରେ ତା’ର ପରିବାକୁ ସାଇତିବା ପାଇଁ ରାଜ୍ୟ ସରକାର ୨୩ ବର୍ଷ ମଧ୍ୟରେ ଆବଶ୍ୟକୀୟ ଶୀତଳ ଭଣ୍ଡାର କରିପାରିଲେ ନାହିଁ। ନିର୍ବାଚନ ସମୟରେ ଶୀତଳ ଭଣ୍ଡାର ପ୍ରତିଶ୍ରୁତି ଦେଲେ। ମାତ୍ର ଭୋଟ ପାଇଲା ପରେ କଥା ପାଶୋରି ଗଲେ। ଏହା ‌ସହ ବଜାର ଦର ନିୟନ୍ତ୍ରଣ ପାଇଁ ଓ ଶୀତଳ ଭଣ୍ଡାର ପର୍ଯ୍ୟ‌ାପ୍ତ ପରିମାଣରେ ନିର୍ମାଣ କରିବା ପାଇଁ ଛାତ୍ର କଂଗ୍ରେସ ଦା‌ବି କରିଛି। ଆଜିର ଏହି ପ୍ରତିବା‌ଦ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଛାତ୍ର କଂଗ୍ରେସ ସଂପାଦିକ‌ା ଅନୁଲେଖା ବୋଷା, ପ୍ରକାଶ ମିଶ୍ର, ଆଲୋକ ଲେଙ୍କା, ରଣଜିତ ପାତ୍ର, ଅଜୟ ସାହୁ, ପ୍ରଭାତ ପ୍ରତାପ ସିଂ, ରଣଜିତ ସେନାପତି, ଅଖିଳେଶ ଯାଦବ, ଜଗଦୀଶ ଗଜେନ୍ଦ୍ର, ବିରଞ୍ଚି ବାରିକ, ସୁରଜ ରାଉତ, ଅବିନାଶ ନନ୍ଦ, ସ୍ପନ୍ଦନ ସ୍ବାଇଁ, ସମୀର ରାଉତ, ଆର୍ଯ୍ୟ‌ାନ ସାସମଲ, ରାଜଦ୍ବୀପ ବେହେରା, ରାମେଶ୍ବର ଶତପଥୀ, ପ୍ରଭୁଶକ୍ତି ପଟ୍ଟନାୟକ ଓ ଆର୍ଯ୍ୟାନ ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର