ଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର: ରନ୍ଧନ ଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଛାତ୍ର କଂଗ୍ରେସ କର୍ମୀମାନେ ଜନପଥ ଅବରୋଧ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ସଭାପତି ୟାସିର ନୱାଜଙ୍କ ନେତୃତ୍ବରେ ଏକ ବିଶାଳ ଶୋଭାଯାତ୍ରା ମାଷ୍ଟର କ୍ୟାଣ୍ଟିନ ଛକରୁ ବାହାରି ରାମମନ୍ଦିର ଯିବା ସମୟରେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ପୁଲିସ ଛାତ୍ର କଂଗ୍ରେସ କର୍ମୀମାନଙ୍କୁ ଗିରଫ କରିଥିଲା।
ସଭାପତି ଶ୍ରୀ ନୱାଜଙ୍କ କହିଛନ୍ତି ଯେ, ରନ୍ଧନ ଗ୍ୟାସ୍ ଦରବୃଦ୍ଧି ମୋଦୀମାର୍କା ବିକାଶର ପ୍ରତିଫଳନ। କଂଗ୍ରେସ ସରକାର ଗ୍ୟାସ ସିଲିଣ୍ଡର ୪୦୩ ଟଙ୍କାରେ ଦେଉଥିବା ବେଳେ ଏବେ ନରେନ୍ଦ୍ର ମୋଦୀ ସରକାର ସିଲିଣ୍ଡର ପିଛା ୧୦୫୦ଟଙ୍କା ନେଉଛନ୍ତି। ସରକାରକୁ ଆସିବା ପୂର୍ବରୁ ନରେନ୍ଦ୍ର ମୋଦୀ ଏବଂ ବିଜେପି ଗ୍ୟାସ୍‌ ଦରକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଥିଲେ। ସରକାରକୁ ଆସିଲେ ଗ୍ୟାସ ଦରକୁ କମାଇବା ପାଇଁ ନିର୍ବାଚନରେ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ମାତ୍ର ଶାସନକୁ ଆସିବା ପରେ ରନ୍ଧନ ଗ୍ୟାସ ଦର ଆକାଶ ଛୁଆଁ କରିଦେଲେ।

ଏହାର ବିରୋଧରେ ହାଣ୍ଡିଶାଳରୁ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ସ୍ବର ଉତ୍ତୋଳନ ହେବା ଆବଶ୍ୟକ ବୋଲି ଶ୍ରୀ ନୱାଜ କହିଛନ୍ତି। ସେହିପରି ମନମୋହନ ସିଂ ସରକାର ଅମଳରେ ଡିଜେଲ ଲିଟର ପିଛା ୫୫ଟଙ୍କା ଏବଂ ପେଟ୍ରୋଲ ଲିଟର ପିଛା ୬୫ ଟଙ୍କା ଥିଲା। ମାତ୍ର ଏବେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳଦର ବ୍ୟାରେଲ ପିଛା ୨୦ରୁ ୧୦୦ ଡଲାର ଥିବା ବେଳେ ଦେଶରେ ତୈଳ ଦର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ମୋଦୀ ସରକାର ଆଚ୍ଛେଦିନ ନାଁରେ ଜନତାଙ୍କ ରକ୍ତ ଶୋଷଣ କରୁଛନ୍ତି ବୋଲି ଶ୍ରୀ ନୱାଜ କହିଛନ୍ତି। ଏହି ବିକ୍ଷୋଭରେ ରଜତ ଚୌଧୁରୀ, ପ୍ରକାଶ ମିଶ୍ର, ରଣଜିତ ପାତ୍ର, ନିହାର ବେହେରା, ସୁନୀଲ ମାଟିଆ, ରଣଜିତ୍ ସେନାପତି, ମହମ୍ମଦ ଗୁଲଫାମ୍, ବଟକୃଷ୍ଣ ରାଉତରାୟ, ସାଗର ପଟ୍ଟନାୟକ, ମହମ୍ମଦ ସମିଉଲ, କାର୍ତ୍ତିକେଶ୍ବର କାଣ୍ଡି, ବିଭୂତି ଭୂଷଣ ମହାପାତ୍ର, ବିଶ୍ବଭୂଷଣ ମହାପାତ୍ର, ଶାହରୁଖ ଖାନ୍, ଅବିନାଶ ନନ୍ଦ, ଅଜିତ୍ ବାରିକ, ଉଦିତ୍ ପ୍ରଧାନ, ନିତେଶ କୁମାର ବେହେରା, ଆର୍ଯ୍ୟାନ ସାସମଲ, ନିଆଜୁଲି ଇସ୍‌ଲାମ, ମିର ରିଆଜୁଦିନ, ଫୟାଜ ଖାନ, ଏହମ୍ମଦ ଖାନ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର