ସୁଇମିଂ ପୁଲ୍‌ରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ବର କ୍ଲବ୍‌ ସ୍ବିମିଂ ପୁଲ୍‌ରେ ଘଟିଛି ଅଭାବନୀୟ ଘଟଣା। ଗ୍ରୀଷ୍ମକାଳୀନ ଶିବିର ଅବସରରେ ସେଠାରେ ପହଁରା ଶିଖୁଥିବା ଜଣେ ଛାତ୍ରଙ୍କର ପାଣିରେ ବୁଡ଼ି ମୃତ୍ୟୁ ହୋଇଯାଇଛି। ମୃତ ଛାତ୍ର ହେଉଛନ୍ତି ଡୁମୁଡୁମାର ସନ୍ଦୀପ ସାହୁ(୧୯)। ସନ୍ଦୀପଙ୍କ ବାପା ଜଣେ ଟ୍ରକ୍‌ ଚାଳକ। ସେ ତାଙ୍କର ଏକମାତ୍ର ପୁଅ। ସନ୍ଦୀପ ଏକ ଘରୋଇ କଲେଜରେ ଯୁକ୍ତ ଦୁଇରେ ପଢ଼ୁଥିଲେ। କ୍ୟାପିଟାଲ ଥାନା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ କେଉଁ ପରିସ୍ଥିତିରେ ସନ୍ଦୀପଙ୍କର ମୃତ୍ୟୁ ଘଟିଲା? ପହଁରା ଶିଖିବା ପାଇଁ ଯାଇଥିବା ବେଳେ ସେ ବୁଡ଼ିଗଲେ କେମିତି? କିଏ ପହଁରା ଶିଖାଉଥିଲେ? ନା ମୃତ୍ୟୁ ପଛରେ ଆଉ କିଛି କାରଣ ରହିଛି ? ଏଭଳି ଅନେକ ପ୍ରଶ୍ନ ଏବେ ଏହି ଶିବିରର ଆୟୋଜକଙ୍କୁ ବିବାଦକୁ ଟାଣିଛି। ସେପଟେ ମୃତକଙ୍କ ମା’ଙ୍କ ପ୍ରଶ୍ନ ଓ ଶିବିରର ପ୍ରଶିକ୍ଷକଙ୍କ ଉତ୍ତରକୁ ବିଚାର କଲେ ଏହି ଅଘଟଣ ପଛରେ ଅନେକ ରହସ୍ୟ ଥିବା ଆଲୋଚନା ହେଉଛି।

ପ୍ରଶିକ୍ଷକ ବୈକୁଣ୍ଠ କହିଛନ୍ତି, ସନ୍ଦୀପ ଏଠାରେ ନାମ ଲେଖାଇ ନଥିଲା। ସେ ଏଠାରେ ଶିଖିବା ପାଇଁ ଚାହୁଥିଲା। କିନ୍ତୁ କେମିତି ପୁଲ୍‌କୁ ଆସିଲା ଆମେ ଜାଣିନାହୁଁ। କ୍ୟାମ୍ପ ସମୟ ସରିବା ପରେ ସେ ପୁଲ୍‌ରେ ଭାସୁଥିବା ଦେଖିଥିଲୁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ସନ୍ଦୀପଙ୍କ ମା’ ଅଭିଯୋଗ କରିଛନ୍ତି ଯେ, ୧୯ ଦିନ ହେବ ସେ ସେଠାକୁ ଯାଉଥିଲା। ୩ ହଜାର ଟଙ୍କା ପ୍ରବେଶିକା ଫି’ ଦେଇଥିଲା। ପହଁରା ଶିଖିବା ପାଇଁ ତା’ର ପ୍ରବଳ ଇଚ୍ଛା ଥିଲା। ୬ଟାରୁ ୮ଟା ପର୍ଯ୍ୟନ୍ତ ତା’ର ସମୟ ଥିଲା। ନିର୍ଧାରିତ ସମୟରେ ସେ କ୍ୟାମ୍ପ ଯାଇଥିଲା। ହେଲେ ଫେରିବାରେ ଅନେକ ବିଳମ୍ବ ହୋଇଥିଲା। ଏଣୁ ମୁଁ ପ୍ରଶିକ୍ଷକଙ୍କୁ ଫୋନ୍‌ ଯୋଗେ ଯୋଗାଯୋଗ କରିଥିଲି। ସେ କହିଥିଲେ ଯେ ପୁଅ ଆଜି ଆସିନାହିଁ। ଏଣୁ ମୋର ସନ୍ଦେହ ହୋଇଥିଲା। ଶିବିର ଯିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସେ ଫୋନ୍‌ କରି କିହିଲେ, ପୁଅ ଦୁର୍ଘଟଣାର ଶିକା‌ର ହୋଇଛି। ଆମେ ମେଡିକାଲ ନେଉଛୁ ତୁମେ ସେଠାକୁ ଆସ। ମୁଁ ‌ସେଠାରେ ପହଞ୍ଚିବା ପରେ ପୁଅର ମୃତ୍ୟୁ ହୋଇଯାଇଥିବା ଜାଣିବାକୁ ପାଇଲୁ। ପାଟିରୁ ରକ୍ତ ବାହାରୁଥିଲା। ଶରୀର ଓଦା ଥିଲା। ତାକୁ ପାଣିରୁ ଉଦ୍ଧାର କରାଯାଇଥିଲା। କାହିଁକି ପ୍ରଶିକ୍ଷକ ମିଛ କହିଲେ ମୋର ସନ୍ଦେହ ହେଉଛି ବୋଲି ସେ କହିଛନ୍ତି। ତେବେ ତଦନ୍ତ ଚାଲିଛି, ଖୁବ୍‌ଶୀଘ୍ର କାରଣ ଜଣାପଡ଼ିବ ବୋଲି କ୍ୟାପିଟାଲ ଥାନା ପୁଲିସ କହିଛି।

ସୂଚନା ମୁତବକ, ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଭୁବନେଶ୍ବର କ୍ଲବ ପକ୍ଷରୁ ଗ୍ରୀଷ୍ମକାଳୀନ ଶିବିର ଗତ ଏପ୍ରିଲ ମାସରୁ ଆୟୋଜନ କରାଯାଇଥିଲା। ଏଥିରେ ପହଁରା ପ୍ରଶିକ୍ଷଣ ସମେତ ବିଭିନ୍ନ କାର୍ଯ୍ୟକ୍ରମ ରହିଥିଲା। ସ୍ବତନ୍ତ୍ର ପ୍ରଶିକ୍ଷକଙ୍କ ଜରିଆରେ ଏହି ସବୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଥିଲା। ସକାଳ ୬ଟାରୁ ୮ଟା ପର୍ଯ୍ୟନ୍ତ ପହଁରା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରହିଥିଲା। ତେବେ ସନ୍ଦୀପର ନାମଲେଖା ହୋଇ ନଥିବା ଆୟୋଜକ କହୁଥିବା ବେଳେ ୯ଟା ବେଳେ ତାଙ୍କର ଶବ ସୁଇମିଂ ପୁଲ୍‌ରୁ ଉଦ୍ଧାର କରାଯାଇଥିଲା। ସେ ଲୁଚି ଲୁଚି ପହଁରିବା ପାଇଁ ପଶିଥିଲେ। ପୁଲ୍‌ରେ ୯ ଫୁଟ୍‌ ଉଚ୍ଚାର ପାଣିଥିଲା। ପହଁରା ଶିଖି ନଥିବାରୁ ସେ ବୁଡ଼ି ଯାଇଥାଇପାରନ୍ତି ବୋଲି ଜଣେ ଆୟୋଜକ କହିଛନ୍ତି। ତେବେ ସନ୍ଦୀପ ଏହା ଭିତରେ ପ୍ରବେଶ କଲେ କେମିତି?, ସେ ପଶିବା ସମୟରେ କେହି ଦେଖି ପାରିଲେ ନାହିଁ କେମିତି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର