‌ଡ୍ରେନ୍‌‌ରେ ଭାସି ଛାତ୍ର ପ୍ରାଣ ହରାଇବା ଘଟଣା: ୪ କୋଟି ଟଙ୍କାର ସହାୟତା ଦାବି କଲା ଓଡ଼ିଶା ଅଭିଭାବକ ମହାସଂଘ

ଭୁବନେଶ୍ବର : ମୁକୁଳା ଡ୍ରେନ୍‌ରେ ଭାସି ପ୍ରାଣ ହରାଇଥିବା ଦଶମ ଶ୍ରେଣୀ ଛାତ୍ର ଜ୍ୟୋତି ପ୍ରକାଶ ବେହେରା ଓରଫ୍‌ ରାଜାର ପରିବାରକୁ ୪ କୋଟି ଟଙ୍କାର ସହାୟତା ଓ ଦୋଷୀ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ଓଡ଼ିଶା ଅଭିଭାବକ ମହାସଂଘ। ୭ ଦିନ ଭିତରେ ଦାବି ପୂରଣ ନ ହେଲେ ମହାସଂଘ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବ। ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମହାସଂଘ ପକ୍ଷରୁ ଏପରି ଚେତାବନୀ ଦିଆଯାଇଛି।

ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଥିଲେ ଯେ ୨୦୧୫ ମସିହାରେ ନୂଆପଲ୍ଲୀ ମମତାଜ୍‌ ଅଲ୍ଲୀ ସ୍କୁଲ ନିକଟରେ ତୃତୀୟ ଶ୍ରେଣୀର ଏକ ଛାତ୍ର ଡ୍ରେନ୍‌‌ରେ ପଡ଼ି ପ୍ରାଣ ହରାଇଥିଲା। ଏହି ଘଟଣା ପରେ ରାଜଧାନୀରେ ମୁକୁଳା ଡ୍ରେନ୍ ରହିବ ନାହିଁ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଏହା ଭିତରେ ମୁକୁଳା ଡ୍ରେନ୍‌ ୬ଜଣଙ୍କ ଜୀବନ ନେଇସାରିଲାଣି। ଏହି ସାମ୍ବାଦିକ ସମ୍ମିଳନୀରେ ସହ ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ, ଭୂମୋହନ ପଟ୍ଟନାୟକ, ସତ୍ୟବ୍ରତ ପରିଜା,ପ୍ରଦୀପ୍ତ ମିଶ୍ର, ଦେବାଶିଷ ପଟ୍ଟନାୟକ, ଅଶୋକ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଅପରପକ୍ଷେ ଅଧ୍ୟକ୍ଷ ଶ୍ରୀ ଭଟ୍ଟଙ୍କ ନେତୃତ୍ବ‌ରେ ଏକ ପ୍ରତିନିଧିଦଳ ଜ୍ୟୋତିପ୍ରକାଶଙ୍କ ଘରକୁ ଯାଇଥିଲା। ସେଠାରେ ସେମାନେ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ସାନପୁଅର ପାଠପଢ଼ାର ସମସ୍ତ ଦାୟିତ୍ବ ମହାସଂଘ ନେବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର