ଭୁବନେଶ୍ବର: ଗତକାଲି ରାତିରେ ରାଜଧାନୀର ପାତ୍ରପଡ଼ାରେ ଗାଡ଼ି ଦୁର୍ଘଟଣାରେ ଛାତ୍ରୀ ମୃତ୍ୟୁର ପ୍ରତିବାଦ ସହ ଫୁଟ୍ ଓଭର୍ବ୍ରିଜ୍ ନିର୍ମାଣ ଦାବିରେ ଆଜି ଫୁଲେଶ୍ବରୀ ବସ୍ତିର ଲୋକେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ଶହଶହ ଗାଡ଼ି ଅଟକି ରହିଥିଲା। ଘଟଣାସ୍ଥଳରେ ଏସିପି ତାପସ ପ୍ରଧାନ ପହଞ୍ଚି ବୁଝାସୁଝା କରିବା ପରେ ପ୍ରାୟ ଅଧଘଣ୍ଟା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।
ଅନ୍ୟପଟେ ଆଜି ଖଣ୍ଡଗିରି ଥାନା ପୁଲିସ ଦୁର୍ଘଟଣା ଘଟାଇଥିବା ଧଳା ଥାର(ଓଡି ୩୩ ଏଏସ୍ ୨୬୨୬) ଗାଡ଼ିକୁ ଜବତ କରିଛି। ଦୁର୍ଘଟଣା ଘଟାଇବା ପରେ ଗାଡ଼ିଚାଳକ ରାସ୍ତାକଡ଼ରେ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲା। ଗାଡ଼ି ନମ୍ବରରୁ ଗାଡ଼ିମାଲିକକୁ ଚିହ୍ନଟ କରାଯାଇଛି। ଏକ ସ୍କର୍ପିଓ ଓ ଥାର ଗାଡ଼ି ମଧ୍ୟରେ ରେସିଂ ଚାଲୁଥିବାରୁ ଏହି ଦୁର୍ଘଟଣା ଘଟିଥିବା ଲୋକେ ଅଭିଯୋଗ କରିଛନ୍ତି। ପୁଲିସ ସ୍କର୍ପିଓ ଗାଡ଼ିର ସଂପୃକ୍ତିକୁ ନେଇ ତଦନ୍ତ କରୁଥିବା ଖଣ୍ଡଗିରି ଥାନା ପୁଲିସ କହିଛି।
ଅନ୍ୟପକ୍ଷରେ ଗୁରୁତର ଆହତ ହୋଇ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ମହିଳା ରେବତୀ ରାଉଳଙ୍କ ଅବସ୍ଥା ଏବେବି ସଙ୍କଟାପନ୍ନ ରହିଛି। ତାଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ପାତ୍ରପଡ଼ାର ରେବତୀ ରାଉଳ ରକ୍ଷାବନ୍ଧନ ପାଇଁ ନିଜ ବାପଘର ପଟିଆକୁ ଯାଇଥିଲେ। ସନ୍ଧ୍ୟାରେ ଦୁଇଛୁଆକୁ ଧରି ଘରକୁ ଫେରୁ୍ଥିଲେ। ଘର ନିକଟରେ ରାସ୍ତା ପାରିହେବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ଥାର ଗାଡ଼ି ମାଆ, ପୁଅ ଓ ଝିଅଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ୮ ବର୍ଷର ଝିଅ ରେଶମା ରାଉଳଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଗଟିଥିଲା। ଗୁରୁତର ଅବସ୍ଥାରେ ମାଆଙ୍କୁ ଭୁବନେଶ୍ୱର ଏମ୍ସକୁ ଅଣାଯାଇଥିଲା। ସେଠାରୁ ତାଙ୍କୁ ପରିବାର ଲୋକେ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି। ଦୁଇବର୍ଷର ଶିଶୁପୁତ୍ର ସାମାନ୍ୟ ଆହତ ହୋଇଛି।
ଦୁର୍ଘଟଣାରେ ଛାତ୍ରୀ ମୃତ୍ୟୁ ଘଟଣା: ଜାତୀୟ ରାଜପଥ ଅବରୋଧ କଲେ ଫୁଲେଶ୍ବରୀ ବସ୍ତିବାସିନ୍ଦା
ଗତକାଲି ରାତିରେ ରାଜଧାନୀର ପାତ୍ରପଡ଼ାରେ ଗାଡ଼ି ଦୁର୍ଘଟଣାରେ ଛାତ୍ରୀ ମୃତ୍ୟୁର ପ୍ରତିବାଦ ସହ ଫୁଟ୍ ଓଭର୍ବ୍ରିଜ୍ ନିର୍ମାଣ ଦାବିରେ ଆଜି ଫୁଲେଶ୍ବରୀ ବସ୍ତିର ଲୋକେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ଜାତୀୟ ରାଜପଥର...
/sambad/media/media_files/2025/08/11/untitled-28-2025-08-11-07-37-05.jpg)