ଡେଙ୍ଗୁରେ ଛାତ୍ର ମୃତ୍ୟୁ ଘଟଣା: ଭେଣ୍ଟିଲେଟର ନଥିବାରୁ ଜୀବନ ଚାଲିଗଲା

ଯେଉଁ ସ୍କୁଲ୍‌ରେ ସଚେତନତା କାର୍ଯ୍ୟକ୍ରମ, ସେଠାରେ ମୃତ୍ୟୁ

ଭୁବନେଶ୍ୱର: ନୀଳାଦ୍ରିବିହାରସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୪ର ୫ମ ଶ୍ରେଣୀ ଛାତ୍ର ପୂର୍ଣ୍ଣାଂଶୁଙ୍କ ଡେଙ୍ଗୁ ମୃତ୍ୟୁକୁ ନେଇ ତନାଘନା ଜାରି ରହିଛି। କେଉଁ ପରିସ୍ଥିତିରେ ଜଣେ ଶିଶୁର ଜୀବନ ଚାଲିଗଲା ସେ ନେଇ ମାନସ ମନ୍ଥନ ଚାଲିଛି। ଜଣାପଡ଼ିଛି କି ବିଳମ୍ବରେ ଡେଙ୍ଗୁ ଚିହ୍ନଟ ହେବା ଓ କ୍ୟାପିଟାଲ୍‌ ହସ୍ପିଟାଲ ଶିଶୁ ବିଭାଗରେ ଆଇସିୟୁ ଓ ଭେଣ୍ଟିଲେଟର ନ ଥିବା କାରଣରୁ ଶିଶୁର ମୃତ୍ୟୁ ହୋଇଛି। ଶିଶୁ ବିଭାଗରେ କେବଳ ନବଜାତ ଶିଶୁଙ୍କ ପାଇଁ ଏସ୍‌ଏନ୍‌ସିୟୁ ବ୍ୟବସ୍ଥା ରହିଛି। କିନ୍ତୁ ଅନ୍ୟ ବୟସ ବର୍ଗର ଶିଶୁ କିମ୍ବା କିଶୋରଙ୍କ ପାଇଁ ଏହି ବ୍ୟବସ୍ଥା ନାହିଁ। ପୂର୍ଣ୍ଣାଂଶୁଙ୍କ ପାଇଁ ଭେଣ୍ଟିଲେଟର ଦରକାର ଥିଲା। କିନ୍ତୁ ଏହା ଉପଲବ୍ଧ ନ ହେବାରୁ ତାଙ୍କୁ ଏଠାରୁ ରେଫର କରି ଦିଆଯାଇଥିଲା। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ସ୍ବାସ୍ଥ୍ୟ ସେବାକୁ ନେଇ ସରକାର ଡିଣ୍ଡିମ ପିଟୁଥବା ବେଳେ ରାଜଧାନୀର ପ୍ରମୁଖ ସରକାରୀ ହସ୍ପିଟାଲ୍‌ରେ ଏଭଳି ସ୍ଥିତି ପାଇଁ ସମଗ୍ର ବ୍ୟବସ୍ଥା ଉପରକୁ ଅଙ୍ଗୁଳି ଉଠାଇଛି।

ଅନ୍ୟପଟେ ଜଣେ ନିଷ୍ପାପ ଶିଶୁର ଜୀବନ ଚାଲିଗଲା ପରେ ମଧ୍ୟ ବିଏମ୍‌ସି ତତ୍ପର ହୋଇନି। ଡ୍ରାଏ ଡେ’ ପାଳନ ହେଉନାହିଁ। ତାହା କେବଳ ନିର୍ଦ୍ଦେଶନାମାରେ ଅଟକି ରହିଛି। ସ୍କୁଲ ସ୍କୁଲ ବୁଲି ସଚେତନ କରିବାକୁ କମିସନର ବିଜୟ ଅମୃତା କୁଲାଙ୍ଗେ ଆଦେଶ ଦେଇଥିଲେ। ଜୁନ୍‌ ୩୦ ତାରିଖରେ ନିଜେ ନୀଳାଦ୍ରିବିହାରର କେନ୍ଦ୍ରୀୟ ବିଦ୍ୟାଳୟ ନଂ-୪ କୁ ଯାଇ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଥିଲେ। କୌତୁହଳପ୍ରଦ ପ୍ରସଙ୍ଗ ହେଉଛି ସେହି ସ୍କୁଲ୍‌ର ଛାତ୍ର ପୂର୍ଣ୍ଣାଂଶୁଙ୍କର ମୃତ୍ୟୁ ହୋଇଛି। ଏହା ପରେ ଅନ୍ୟ କୌଣସି ସ୍କୁଲ୍‌ରେ ସଚେତନତା ସୃଷ୍ଟି କରାଯାଇନାହିଁ।

ସୂଚନା ମୁତାବକ, ଗତ ସୋମବାର ଠାରୁ ପୂର୍ଣ୍ଣାଂଶୁ ଜ୍ବରରେ ପୀଡ଼ିତ ଥିଲେ। ସାଧାରଣ ଜ୍ବର ଭାବି ପରିବାର ଲୋକେ ତାଙ୍କୁ ଘରେ ଚିକିତ୍ସା କରାଉଥିଲେ। କିନ୍ତୁ ଜ୍ବର ନ ଛାଡ଼ିବାରୁ ଶନିବାର ରାତିରେ ଅର୍ଥାତ୍ ଜ୍ବର ହେବାର ପାଞ୍ଚ ଦିନ ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲର ଶିଶୁ ରୋଗ ବିଭାଗରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡେଙ୍ଗୁ ଚିହ୍ନଟ ହୋଇଥିଲା ଓ ଚିକିତ୍ସା ଆରମ୍ଭ କରାଯାଇଥିଲା। ୫ ଘଣ୍ଟା ପରେ ଅର୍ଥାତ୍‌ ସେହି ଦିନ ରାତି ୨ଟା ବେଳେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହୋଇଥିଲା। କିନ୍ତୁ ଶିଶୁ ରୋଗ ବିଭାଗରେ ଆଇସିୟୁ କିମ୍ବା ଭେଣ୍ଟିଲେଟର ବ୍ୟବସ୍ଥା ନଥିବାରୁ ତାଙ୍କୁ କଟକ ଶିଶୁ ଭବନକୁ ସ୍ଥାନାନ୍ତର କରିବାକୁ ପଡ଼ିଥିଲା। ରାତି ପ୍ରାୟ ସାଢ଼େ ୨ଟା ବେଳେ ବାଟରେ ତାଙ୍କ ମୃତ୍ୟୁ ହୋଇଥିଲା।

କ୍ୟାପିଟାଲ ହସ୍‌ପିଟାଲ ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁ କହିଛନ୍ତି, ବର୍ତ୍ତମାନ ବର୍ଷା ଋତୁ ଓ କରୋନା ସଂକ୍ରମଣ ଥିବାରୁ ଅଧିକାଂଶ ଲୋକ ଜ୍ୱରକୁ ଲୁଚାଉଛନ୍ତି। ପରୀକ୍ଷା କଲେ କରୋନା ପଜିଟିଭ୍‌ ଆଶଙ୍କା ରହୁଥିବାରୁ ଲୋକେ ବଟିକା ଖାଇ ଜ୍ବର ନିୟନ୍ତ୍ରଣ ଆଣିବାକୁ ଉଦ୍ୟମ କରୁଛନ୍ତି। ସଙ୍ଗେସଙ୍ଗେ ପରୀକ୍ଷା କରାଉନାହାନ୍ତି। ଅବସ୍ଥା ସଙ୍କଟାପନ୍ନ ହେଲେ ଯାଇ ଡାକ୍ତରଖାନା ଆସୁଛନ୍ତି। ଏଣୁ ଜ୍ବର ହେଉହେଉ ପରୀକ୍ଷା କରାଇବା ସହ ଡାକ୍ତରଙ୍କ ପରାମର୍ଶ ନେବା ସହ ଡେଙ୍ଗୁ ପରୀକ୍ଷା କରାଇବାକୁ ନିର୍ଦ୍ଦେଶକ ଡା. ସାହୁ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର