ଡ୍ରେନ୍ରେ ୭୫ ସମ୍ବେଦନଶୀଳ ଜାଗା ଚିହ୍ନଟ
ଏଭଳି ସବୁ ଡ୍ରେନ୍ର ନବୀକରଣ ହେବ
ଭୁବନେଶ୍ବର : ଡ୍ରେନ୍ରେ ଭାସି ଯାଇ ଜଣେ ଦଶମ ଶ୍ରେଣୀ ଛାତ୍ର ଜ୍ୟୋତିପ୍ରକାଶ ବେହେରା ଓରଫ୍ ରାଜାର ଦୁଃଖଦ ମୃତ୍ୟୁର କାରଣ ଥିଲା ଖୋଦ୍ ବିଏମ୍ସି। କିନ୍ତୁ ପିଲାଟାର ଶୋକସନ୍ତପ୍ତ ପରିବାର ପାଖରେ ବିଏମ୍ସିର ଜଣେ ହେଲେ ଅଧିକାରୀ ପହଞ୍ଚି ନଥିଲେ କି ଉତ୍ତ୍ୟକ୍ତ ଲୋକଙ୍କୁ ସାମ୍ନା କରିବାକୁ ସାହସ ଜୁଟାଇ ପାରି ନ ଥିଲେ। ଯାହାକୁ ନେଇ ବିଏମ୍ସିକୁ ବିଭିନ୍ନ ମହଲରୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ତେବେ ରାଜାର ଅକାଳ ମୃତ୍ୟୁ ରାଜଧାନୀରୁ ଜଳ ନିଷ୍କାସନରେ ବିଏମ୍ସିର ଅପାରଗତାକୁ ପଦାରେ ପକାଇଦେବା ପରେ ଏବେ ବିଏମ୍ସିର ନିଦ ଭାଙ୍ଗିଛି। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଏଯାଏ ନିରବତା ଅବଲମ୍ବନ କରି ଆସୁଥିବା ବିଏମ୍ସି କମିସନର ୩ ଦିନ ପରେ ଆଜି ମୁହଁ ଖୋଲିଛନ୍ତି। ବିଏମ୍ସିରେ ଦୁଇଦିନ କାଳ ରୁଦ୍ଧ ଦ୍ବାର ବୈଠକରେ ମାନସ ମନ୍ଥନ କରିବା ପରେ ଆଜି ବିଏମ୍ସି କମିସନର ସଞ୍ଜୟ ସିଂହ ରାଜଧାନୀରେ ଉପଯୁକ୍ତ ଡ୍ରେନେଜ୍ ବ୍ୟବସ୍ଥା ପାଇଁ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ ହୋଇଥିବା ପ୍ରକାଶ କରିଛନ୍ତି।
ଗଣମାଧ୍ୟମରେ ବିବୃତି ରଖି ଶ୍ରୀ ସିଂହ କହିଛନ୍ତି, ଡ୍ରେନେଜ୍ ବ୍ୟବସ୍ଥାକୁ ନେଇ ଆମେ ତତ୍ପର ଅଛୁ। ଅର୍ବାନ୍ ଫ୍ଳଡିଂକୁ ଆଖି ଆଗରେ ରଖି ଆମେ ୭୫ଟି ସମ୍ବେଦନଶୀଳ ଜାଗା ଚିହ୍ନଟ କରିଛୁ। ଯେଉଁଠି ପାଣି ଜମା ହୋଇ ରହୁଛି। ସେହି ସବୁ ଜାଗାଗୁଡ଼ିକରେ ଯେଭଳି ପାଣି ଜମିବା ସମସ୍ୟା ରହିବ ନାହିଁ ସେ ନେଇ ବିଏମ୍ସି ଏକ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିଛି। ଆକ୍ସନ୍ ପ୍ଲାନ୍ ମୁତାବକ, ଏହି ସବୁ ଡ୍ରେନ୍ଗୁଡ଼ିକର ନବୀକରଣ କରାଯିବ। ଫଳରେ ବର୍ଷା ହେଲେ ପାଣି ଜମିବ ନାହିଁ। ଆବଶ୍ୟକ ପଡ଼ିଲେ ଜମି ଅଧିଗ୍ରହଣ ହୋଇ ଡ୍ରେନ୍ଗୁଡ଼ିକୁ ଓସାର କରାଯାଇପାରେ। ବହୁ ଦିନ ଧରି ମାତ୍ର ୨୭ଟି ସମ୍ବେଦନଶୀଳ ଜାଗା ରହିଥିଲା। ବର୍ଷା ପୂର୍ବରୁ ସେହି ସବୁ ଜାଗାଗୁଡ଼ିକୁ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଥିଲା। କିନ୍ତୁ ଚଳିତ ବର୍ଷାରେ ଅନ୍ୟ ଜାଗାଗୁଡ଼ିକ ସାମ୍ନାକୁ ଆସିଛି। ତେବେ ପ୍ରାଥମିକ ପର୍ଯ୍ୟାୟରେ ନ୍ୟୁ ଫରେଷ୍ଟ ପାର୍କ ଓ ବୈରାଗୀ ନଗରରେ ଥିବା ଡ୍ରେନ୍କୁ ସମ୍ପ୍ରସାରିତ କରାଯିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଜମି ଅଧିଗ୍ରହଣ ଆବଶ୍ୟକତା ରହିଛି। ଏ ନେଇ ଇଞ୍ଜିନିୟର ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ପରେ ଏଭଳି ଏକ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରାଯାଇଛି। ଏଣୁ ରାଜ୍ୟ ସରକାରଙ୍କୁ ଏ ନେଇ ପ୍ରସ୍ତାବ ଦିଆଯିବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ବିଏମ୍ସିର ସମସ୍ତ ଇଞ୍ଜିନିୟରମାନଙ୍କୁ ଏହାକୁ ଗୁରୁତ୍ବର ସହ ନେଇ ବିଶେଷ ଭାବେ ସତର୍କ କରାଯାଇଛି। ଏହି ୭୫ ଜାଗାରେ କାହିଁକି ପାଣି ଜମୁଛି ତାହାର କାରଣ ଖୋଜିବା ସହ ତାହାର କ’ଣ କ’ଣ ସମାଧାନ ହୋଇ ପାରେ ସେ ନେଇ ବାଟ ବାହାର କରିବାକୁ କୁହାଯାଇଛି। ତେବେ ନୂଆ ଆକ୍ସନ୍ ପ୍ଲାନ୍ ଅନୁଯାୟୀ କାର୍ଯ୍ୟ କଲାବେଳେ ଏନ୍ଜିଟି( ନାସନାଲ ଗ୍ରିନ୍ ଟ୍ରିବ୍ୟୁନାଲ), ସୁପ୍ରିମକୋର୍ଟ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଙ୍କର ନିର୍ଦ୍ଦେଶାବଳି ଯେଭଳି ପାଳନ ହେଉଥିବ ସେ ନେଇ ଇଞ୍ଜିନିୟରମାନଙ୍କୁ ଧ୍ୟାନ ଦେବାକୁ କୁହାଯାଉଛି।
ଶ୍ରୀ ସିଂହ କହିଛନ୍ତି ଯେ ସହରରେ ଥିବା ନାଚ୍ୟୁରାଲ ଡ୍ରେନ୍ଗୁଡ଼ିକୁ ସ୍ଲାବ୍ ଦେଇ ନ ଘୋଡ଼ାଇବାକୁ ଏନ୍ଜିଟିଙ୍କ ଆଦେଶ ରହିଛି। ଘୋଡ଼ା ହୋଇ ରହିଲେ ଏଥିରୁ ସୃଷ୍ଟି ହେଉଥିବା ଗ୍ୟାସ୍ ମାରାତ୍ମକ ହେବ। ଏଣୁ ଏଗୁଡ଼ିକୁ ଘୋଡ଼ା ଯାଇ ପାରୁନାହିଁ। ତେବେ ଏହି ଡ୍ରେନ୍ରେ ଅଘଟଣ ଘଟୁଥିବାରୁ ଆମେ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ଯାଉଛୁ ବୋଲି ସେ କହିଛନ୍ତି।