ଫାର୍ମ ହାଉସ୍‌ ପୋଖରୀରେ ବୁଡ଼ି ଛାତ୍ରୀ ମୃତ୍ୟୁ ଘଟଣା: ୨୪ ଘଣ୍ଟା ପରେ ବି କାରଣ ଅସ୍ପଷ୍ଟ

ଭିସେରା, ଡାଏଟମ୍ ଟେଷ୍ଟ କରାଯିବ: ଡିସିପି

ଭୁବନେଶ୍ବର : ଘରୋଇ ଇଂଜିନିୟରିଂ କଲେଜର ପ୍ରଫେସର୍‌ଙ୍କ ମେଧାବୀ ଝିଅ କାମିନୀ ପ୍ରିୟଦର୍ଶିନୀଙ୍କ ମୃତ୍ୟୁ, ପଛରେ ଅନେକ ପ୍ରଶ୍ନ ଛାଡ଼ି ଯାଇଛି। ମୃତ୍ୟୁର ୨୪ ଘଣ୍ଟା ପରେ ବି ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି, ସେ ସଂପର୍କରେ ପୁଲିସକୁ କୌଣସି ଠୋସ୍‌ ପ୍ରମାଣ ମିଳି ପାରିନାହିଁ। ସେହିପରି ରାତିଅଧରେ ଜଣେ ଯୁବତୀ ପାଚେରି ଡେଇଁ ଘରଠାରୁ ୧କିଲୋମିଟର ଦୂର ଫାର୍ମହାଉସ୍‌କୁ ଆତ୍ମହତ୍ୟା ପାଇଁ ବାଛିବା ଅନେକଙ୍କ ସହଜରେ ହଜମ ହେଉନାହିଁ। ତେଣୁ ଏହି ମାମଲାରେ ପୁଲିସ ଡାଏଟମ୍‌ ଓ ଭିସେରା ପରୀକ୍ଷା କରିବ ବୋଲି ଡିସିପି ଉମାଶଙ୍କର ଦାସ ଆଜି ଗଣମାଧ୍ୟମକୁ କହିଛନ୍ତି।

ଭିସେରା ଦ୍ବାରା କେଉଁ କାରଣରୁ କାମିନୀଙ୍କ ମୃତ୍ୟୁ ଘଟିଛି, ତାହା ଜଣାପଡ଼ିଯିବ। ସେହିଭଳି କାମିନୀଙ୍କ ପାଣିରେ ବୁଡ଼ି ମୃତ୍ୟୁ ହୋଇଛି ନା ମୃତ୍ୟୁ ପରେ ତାଙ୍କୁ ପାଣିରେ ଫୋପାଡ଼ି ଦିଆଯାଇଛି, ତାହା ଡାଏଟମ୍‌ ପରୀକ୍ଷାରୁ ଜଣାପଡ଼ିଯିବ। ତେବେ ଏହି ଡାଏଟମ୍ ଟେଷ୍ଟ୍‌ର ରିପୋର୍ଟ ଆସିବାରେ ବିଳମ୍ବ ହେବ ବୋଲି ଜଣାପଡ଼ିଛି। ଏପରିକି ଗୁରୁତ୍ବ ଦୃଷ୍ଟିରୁ ଯଦି ମାମଲାକୁ ପ୍ରାଥମିକତା ଦିଆଯାଏ, ତେବେ ବି ରିପୋର୍ଟ ଆସିବାରେ ପାଖାପାଖି ସପ୍ତା‌ହେ ଲାଗିଯିବ ବୋଲି ଜଣାଯାଇଛି।

ଡାଏଟମ୍ ଟେଷ୍ଟ କ’ଣ?
ଡାଏଟମ୍‌ର ଅର୍ଥ ହେଉଛି ଶୈବାଳ। ପାଣି ଭିତରେ ଅନେକ ଛୋଟବଡ଼ ଶୈବାଳ ରହିଥା’ନ୍ତି। ଏପରିକି ଆଖିକୁ ନ ଦେଖାଯିବା ଭଳି ଶୈବାଳ ମଧ୍ୟ ରହିଛନ୍ତି। ପାଣିରେ ବୁଡ଼ି ମୃତ୍ୟୁ ହେଲେ, ମଣିଷ ଶରୀରର ବିଭିନ୍ନ ଅଙ୍ଗରୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଶୈବାଳ ବା ଡାଏଟମ୍ ବାହାରିଥାଏ। କାରଣ ପାଣିରେ ବୁଡ଼ିବା ସମୟରେ ବ୍ୟକ୍ତି ଅମ୍ଳଜାନ ନେବା ପାଇଁ ଏକାଧିକବାର ପାଣି ପିଇଥାଏ। ମଣିଷ ଅଣନିଶ୍ବାସୀ ହୋଇଯିବାରୁ ଫୁସ୍‌ଫୁସ୍‌ରୁ ପାଣିକୁ ବାହାର କରିବା ପାଇଁ ଶରୀର ଚେଷ୍ଟା କରିଥାଏ। ଏହି ପ୍ରକ୍ରିୟା ଯୋଗୁଁ ରକ୍ତରେ ମଧ୍ୟ ଶୈବାଳ ମିଶି ଯାଇଥାଏ। ଏପରିକି ଅସ୍ଥିମଜ୍ଜା, କିଡ୍‌ନି, ଯକୃତ, ମସ୍ତିଷ୍କକୁ ମଧ୍ୟ ଯାଇଥାଏ। ବ୍ୟବଚ୍ଛେଦ ସମୟରେ ସାଧାରଣତଃ ଶରୀରର କିଛି ଆଭ୍ୟନ୍ତରୀଣ ଅଙ୍ଗକୁ ସୁରକ୍ଷିତ ଭାବେ ରଖାଯାଇଥାଏ। ଏହା ପରେ ଫୋରେନ୍ସିକ ଲ୍ୟାବ୍‌ରେ କେମିକାଲ୍ ମିଶାଯାଇ ସ୍ବତନ୍ତ୍ର ଉପାୟରେ ଏଥିରେ ଥିବା ଡାଏଟମ୍ କେତେ ରହିଛି, ପରୀକ୍ଷାରୁ ଜଣାପଡ଼ିଥାଏ। ଏକାଧିକ ଆଭ୍ୟନ୍ତରୀଣ ଅଙ୍ଗରୁ ନିର୍ଦ୍ଦିଷ୍ଟ ପରିମାଣର ତଥା ତୁଳନାତ୍ମକ ରୂପରେ ଯଦି ସମାନ ଡାଏଟମ୍ ମିଳେ, ତେବେ ମୃତ୍ୟୁର ପ୍ରକୃତ କାରଣ ପାଣିରେ ବୁଡ଼ିବାରୁ ହୋଇଛି ବୋଲି ଜଣାପଡ଼ିଥାଏ।

ସମ୍ବନ୍ଧିତ ଖବର