ଭୁବନେଶ୍ବର : କାଳ ହେଲା କଣ୍ଢେଇ ଖେଳ। କଣ୍ଢେଇ ସହ ଛାତରୁ ଖସି ପଡ଼ିବାରୁ ଜଣେ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି। ସେ ହେଉଛନ୍ତି ବିଜେବି ନଗର ଗୀତାଞ୍ଜଳି ଆପାର୍ଟମେଣ୍ଟରେ ରହୁଥିବା କୃଷ୍ଣମୋହନ ମିଶ୍ରଙ୍କ ଏକମାତ୍ର କନ୍ୟା କୃତ୍ତିକା ମିଶ୍ର। ତାଙ୍କ ବୟସ ୧୪ ବର୍ଷ। ସେ ବିଜୟିନୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ୮ମ ଶ୍ରେଣୀରେ ପଢ଼ୁଥିଲେ। ଆଜି ଅପରାହ୍ଣ ପ୍ରାୟ ୪ଟା ବେଳେ ଏହି ଅଘଟଣ ଘଟିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବଡ଼ଗଡ଼ ଥାନା ପୁଲିସ ଶବ ଜବତ କରିବା ସହ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି। କୃତ୍ତିକା ଅପରାହ୍ଣ ପ୍ରାୟ ୩ଟା ଛାତ ଉପରକୁ ଯାଇଥିବା ବେଳେ ସେ ଖସିପଡ଼ିଥିବା ପ୍ରାୟ ଘଣ୍ଟାଏ ପରେ ଜଣାପଡ଼ିଥିଲା।
ଅନ୍ୟପଟେ କୃତ୍ତିକା ଏକମାତ୍ର କନ୍ୟା ହୋଇଥିବାରୁ ପରିବାରବର୍ଗ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ବ୍ୟବଚ୍ଛେଦ ବେଳେ କ୍ୟାପିଟାଲ ହସ୍ପିଟାଲରେ ପରିଜନମାନେ ଏକାଠି ହେବା ପରେ ସେଠାରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ବ୍ୟବଚ୍ଛେଦ ହେବା ପରେ ଶବ ଆପାର୍ଟମେଣ୍ଟ ଅଣାଯାଇଥିଲା। ପୂର୍ବରୁ ଖବର ପାଇ ସମଗ୍ର ଆପାର୍ଟମେଣ୍ଟ ସ୍ତବ୍ଧ ହୋଇ ଯାଇଥିଲା। ଶବ ପହଞ୍ଚିବା ପରେ ସେଠାରେ ମଧ୍ୟ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ସେ ଭଲ ପାଠ ପଢ଼ିବା ସହ ଶାନ୍ତଶିଷ୍ଟ ହୋଇଥିବାରୁ ସମସ୍ତେ ତାଙ୍କୁ ଭଲ ପାଉଥିଲେ। ଏଭଳି ମୃତ୍ୟୁକୁ କେହି ସହଜରେ ଗ୍ରହଣ କରି ପାରୁନଥିଲେ। ଅପରାହ୍ଣରୁ ରାତି ଯାଏ ଆପାର୍ଟମେଣ୍ଟରେ ନିରବତା ରାଜୁତି କରୁଥିଲା। ଛାତ୍ରୀଜଣକ ମୋବାଇଲ୍ରେ ‘ଟିକ୍ଟକ୍’ ଭିଡିଓ ସୁଟିଂ କରୁଥିବା ବେଳେ ଏଭଳି ଅଘଟଣ ଘଟିଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାହା ମିଥ୍ୟା ବୋଲି ପୁଲିସ କହିଛି। ଘଟଣାସ୍ଥଳରୁ ମୋବାଇଲ ନୁହେଁ, କେବଳ ଏକ କଣ୍ଢେଇ ମିଳିଛି। କୃଷ୍ଣମୋହନଙ୍କ ନିଜ ଘର କଟକ ଜିଲ୍ଲା ବଡ଼ମ୍ବା ହୋଇଥିବା ବେଳେ ସେ ଏଠାରେ ରହୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/tiktok-f.jpg)