ଛାତ୍ର ସଂସଦ ନିର୍ବାଚନ ବନ୍ଦ ପ୍ରସଙ୍ଗ: ମନ୍ତ୍ରୀଙ୍କ ବାସଭବନ ଘେରିଲା ଏବିଭିପି

ଏସ୍‌ଏଫ୍‌ଆଇ ଓ ଏଆଇଡିଏସ୍‌ଓର ବିରୋଧ, ମୁହଁ ଖୋଲିଲେନି ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର,: ଛାତ୍ର ସଂସଦ ନିର୍ବାଚନ ବନ୍ଦ ନିଷ୍ପତ୍ତି ପ୍ରତିବାଦରେ ବିରୋଧ ଜାରି ରହିଛି। ଗତକାଲି ରାଜଧାନୀରେ ରାସ୍ତାକୁ ଓହ୍ଲାଇଥିବା ଏବିଭିପି ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଘେରାଉ ଉଦ୍ୟମ କରିଛି। ସକାଳୁ ସଙ୍ଗଠନର ଶତାଧିକ ଛାତ୍ରଛାତ୍ରୀ ମନ୍ତ୍ରୀଙ୍କ ସରକାରୀ ବାସଭବନ ଅଗ୍ରସର ହେଉଥିବା ଦେଖି ପୁଲିସ ହଡ଼ବଡ଼େଇ ଯାଇଥିଲା। ବି‌କ୍ଷୋଭକାରୀମାନେ ବାସଭବନକୁ ଧସେଇ ପଶିବାକୁ ଉଦ୍ୟମ କରିବା ସମୟରେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ସ୍ଥିତି ଏମିତି ହୋଇଥିଲା ଯେ ପୁଲିସକୁ ଲାଠି ଉଠାଇବାକୁ ପଡ଼ିଥିଲା। ଏହି ଘଟଣା‌ରେ ପୁଲିସ ୧୨ଛାତ୍ର ନେତାଙ୍କୁ ପୁଲିସ ଉଠାଇ ନେଇଥିଲା। ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଅଭିଯୋଗ, ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରିବାରେ ରାଜ୍ୟ ସରକାରଙ୍କ ରାଜନୈତିକ ଫାଇଦା ରହିଛି। କ୍ୟାମ୍ପସରେ ନିଜର ଛାତ୍ର ସଂଗଠନର ଦୁର୍ବଳତା ଓ ଗୋଷ୍ଠୀ କନ୍ଦଳକୁ ଘୋଡ଼ାଇବାକୁ ବିଜେଡି ଏଭଳି ପଦକ୍ଷେପ ନେଇଛି ବୋଲି ବାଣୀବିହାରର ଛାତ୍ରନେତା ସଞ୍ଜୟ ମଲ୍ଲିକ କହିଛନ୍ତି।

କେବଳ ଭୁବନେଶ୍ବର ନୁହେଁ, ସଙ୍ଗଠନ ପକ୍ଷରୁ ଆଜି ରାଜ୍ୟବ୍ୟାପୀ ସମସ୍ତ ବିଶ୍ୱବିଦ୍ୟାଳୟ ଓ ପ୍ରମୁଖ ମହାବିଦ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ହୋଇଥିଲା। ନିଷ୍ପତ୍ତିର ପୁନର୍ବିଚାର କରାନଗଲେ ରାଜ୍ୟରେ ତୀବ୍ର ଆନ୍ଦୋଳନ ହେବ ବୋଲି ଏବିଭିପି ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର ଚେତାବନୀ ଦେଇଛନ୍ତି। ଏହି ଆନ୍ଦୋଳନରେ ବିଦ୍ୟାର୍ଥୀ ପରିଷଦର ରାଷ୍ଟ୍ରୀୟ ସମ୍ପାଦକ ଅଭିଳାଷ ପଣ୍ଡା, ଛାତ୍ରନେତା ସୌଭାଗ୍ୟ ରାଉତ, କିରଣ ପ୍ରଧାନ, ମହାନଗର ସହ-ସମ୍ପାଦକ ସମ୍ବିତ ରାଉତ, ପିଣ୍ଟୁ ପ୍ରତୀକ ନାଏକ, ସୋମୁ ଦେ, ଲୀନା ନନ୍ଦିତା ପରିଡ଼ା, ମିଲନ ମହାପାତ୍ର ପ୍ରମୁଖ ସାମିଲ ଥିଲେ।
ଅପରପକ୍ଷେ ଅଲ୍‌ ଇଣ୍ଡିଆ ଡେ‌ମୋକ୍ରେଟିକ୍‌ ଷ୍ଟୁଡେଣ୍ଟସ୍‌ ଅର୍ଗାନାଇଜେସନ(ଏଆଇଡିଏସ୍‌ଇ) ମଧ୍ୟ ଏହି ନିଷ୍ପତ୍ତିକୁ କଡ଼ା ବିରୋଧ କରିଛି। ସଙ୍ଗଠନ ସଭାପତି ଗଣେଶ ତ୍ରିପାଠୀ ଓ ସମ୍ପାଦକ ସୁବାସ ନାୟକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି ଯେ ନିର୍ବାଚନ ବନ୍ଦ ଛାତ୍ରଛାତ୍ରୀଙ୍କୁ ଗଣତାନ୍ତ୍ରିକ ଅଧିକାରରୁ ବଞ୍ଚିତ କରିବା ଓ ଛାତ୍ର ଆନ୍ଦୋଳନକୁ ଦବାଇବା ପାଇଁ ଉଦ୍ଦିଷ୍ଟ। ନିଷ୍ପତ୍ତି ପରିବର୍ତନ କରାନଗଲେ ରାଜ୍ୟବ୍ୟାପୀ ଛାତ୍ର ଆନ୍ଦୋଳନ କରାଯିବ। ସେହିପରି ଭାରତର ଛାତ୍ର ‌ଫେଡେରେସନ୍‌(ଏସ୍‌ଏଫ୍‌ଆଇ) ରାଜ୍ୟ ଆବାହକ ବିପ୍ଲବ ମିଶ୍ର ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି, ନିଷ୍ପତ୍ତି ପ୍ରତ୍ୟାହାର ନ ହେଲେ ସାରା ରାଜ୍ୟରେ ଯେଉଁ ଛାତ୍ର ଅଶାନ୍ତି ସୃଷ୍ଟି ହେବ, ସେଥିପାଇଁ ସରକାର ଦାୟୀ ରହିବେ। ନିର୍ବାଚନ ବାତିଲ୍‌ ନେଇ ସାରା ରାଜ୍ୟରେ ବିରୋଧ ଜାରି ରହିଥିବା ବେଳେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସାହୁ ମୁହଁ ଖୋଲି ନାହାନ୍ତି। ଏ ବିଷୟରେ କିଛି କହିବେନି ବୋଲି ରୋକଠୋକ୍‌ ମନା କରିଦେଇଛନ୍ତି।

ସମ୍ବନ୍ଧିତ ଖବର