ଭୁବନେଶ୍ବର: ୨୦ ତାରିଖ ରାତିରେ ଚକଇେସିଆଣି ଅଞ୍ଚଳରେ ଜଣେ ଇଂଜିନିୟରିଂ ଛାତ୍ରଙ୍କୁ ୩ ଦୁର୍ବୃତ୍ତ ଖଣ୍ଡାରେ ହାଣି ଗୁରୁତର କରିଥିଲେ। ଏହି ମାମଲାରେ ମଞ୍ଚେଶ୍ବର ଥାନା ପୁଲିସ ୩ କୁଖ୍ୟାତ ଅପରାଧୀଙ୍କୁ ଗିରଫ କରିଛି। ସେମାନେ ହେଲେ ରଙ୍ଗମାଟିଆ ଅଞ୍ଚଳର ସୂର୍ଯ୍ୟକାନ୍ତ ବେହେରା ଓରଫ ରାହୁଲ(୨୧), ନୀଳମାଧବବସ୍ତିରେ ରହୁଥିବା ଡେଲାଙ୍ଗ ଅଞ୍ଚଳର ବିଶ୍ବନାଥ ଜେନା ଓରଫ ବିଶୁ(୧୯) ଓ ଚକେଇସିଆଣି ଅଞ୍ଚଳର ପ୍ରିୟବ୍ରତ ରାଉତ ଓରଫ ପିଣ୍ଟୁ(୨୧)। ପୁଲିସ ସେମାନଙ୍କ ନିକଟରୁ ୨ଟି ଖଣ୍ଡା ଜବତ କରିଛି। ଏହି ମାମଲାରେ ଆହୁରି କିଛି ଫେରାର ଅଛନ୍ତି ବୋଲି ପୁଲିସ ସୂଚନା ଦେଇଛି। ଅଭିଯୁକ୍ତ ରାହୁଲ, ବିଶୁ ଓ ପିଣ୍ଟୁ ନାଁରେ ମଞ୍ଚେଶ୍ବର ଓ ସହିଦନଗର ଥାନାରେ ଏକାଧିକ ମାମଲା ରହିଛି।
ପୁଲିସ ସୂଚନା ମୁତାବକ ଭଦ୍ରକ ଚାନ୍ଦବାଲି ଅଞ୍ଚଳର ଦ୍ରନାରାୟଣ ପାତ୍ର ଓରଫ ସିଲୁ ଚକେଇସିଆଣିରେ ସ୍ଥାନୀୟ ଏକ ଘରୋଇ ଇଂଜିନିୟରିଂ କଲେଜରେ ପଢ଼ନ୍ତି। କୌଣସି କାରଣକୁ ନେଇ ଚକେଇସିଆଣିର ପିଣ୍ଟୁ ସହ ତାଙ୍କର ଶତ୍ରୁତା ବଢ଼ିଥିଲା। ତେଣୁ ପିଣ୍ଟୁ ପ୍ରତିଶୋଧ ପରାୟଣ ହୋଇ ସିଲୁଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିବାକୁ ଯୋଜନା କରିଥିଲା। ୨୦ ତାରିଖ ରାତି ପାଖାପାଖି ସାଢ଼େ ୮ଟା ସମୟରେ ରୁଦ୍ର, ତାଙ୍କର କିଛି ସାଙ୍ଗମାନଙ୍କ ସହ ଚକଇେସିଆଣି ନିକଟ ଏକ ପଡ଼ିଆରେ ବସିଥିବା ସମୟରେ ୩ ଅଭିଯୁକ୍ତ ସେଠାରେ ପହଞ୍ଚି ଗାଳିଗୁଲଜ କରିଥିଲେ। ଏହାପରେ ସେମାନେ ଅତର୍କିତ ଭାବେ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଭୟରେ ରୁଦ୍ର ଓ ତାଙ୍କ ସାଙ୍ଗମାନେ ଦୌଡ଼ିଥିଲେ। କିନ୍ତୁ ଅଭିଯୁକ୍ତମାନେ ରୁଦ୍ରଙ୍କୁ ଗୋଡ଼ାଇ ଗୋଡ଼ାଇ ତାଙ୍କ ଗୋଡ଼, ହାତ ଓ ପିଠିକୁ ଖଣ୍ଡାରେ ହାଣି ପକାଇଥିଲେ। ଏବେ ବି ସିଲୁ ହସ୍ପିଟାଲ୍ରେ ଆଇସିୟୁରେ ରହି ଚିକିତ୍ସିତ ହେଉଛନ୍ତି।