ସଙ୍ଗଠନ ବଦଳାଉଛନ୍ତି ଛାତ୍ରନେତା

ଭୁବନେଶ୍ୱର: ଅକ୍ଟୋବର ୧୨ କିମ୍ବା ୧୩ ତାରିଖରେ ସାରା ରାଜ୍ୟରେ ହୋଇପାରେ ଛାତ୍ର ସଂସଦ ନିର୍ବାଚନ। ଯୁକ୍ତ ୩ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ପାଇଁ ସେପ୍ଟେମ୍ବର ତୃତୀୟ ସପ୍ତାହରୁ ନିର୍ବାଚନ ପ୍ରକ୍ରିୟା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ତାହାକୁ ଦୃଷ୍ଟିରେ ରଖି ଛାତ୍ର ସଙ୍ଗଠନଗୁଡ଼ିକ ଏବେଠାରୁ କ୍ୟାମ୍ପସରେ ପତିଆରା ଜାହିର କଲେଣି। ପ୍ରଥମ କରି କଲେଜରେ ପାଦ ଥାପୁଥିବା ଛାତ୍ରଛାତ୍ରୀଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ରାଜ୍ୟର ତିନି ପ୍ରମୁଖ ଛାତ୍ର ସଙ୍ଗଠନ ଲାଗି ପଡ଼ିଛନ୍ତି। ଭୁବନେଶ୍ୱରରେ ନିର୍ବାଚନ ହେଉଥିବା ୧୫ଟି କଲେଜ ଓ ଦୁଇଟି ବିଶ୍ୱବିଦ୍ୟାଳୟରେ ଏବେଠାରୁ ରାଜନୈତିକ ଉଷ୍ମତା ବଢ଼ୁଥିବା ଦେଖିବାକୁ ମିଳିଛି। ଛାତ୍ରନେତାମାନେ ଗୋଟିଏ ସଙ୍ଗଠନରୁ ଅନ୍ୟ ସଙ୍ଗଠନକୁ ଡିଆଁ ମାରୁଛନ୍ତି। କିଏ ସୋସିଆଲ୍‌ ମିଡିଆରେ ନିଜର ସ୍ଥିତି ସ୍ପଷ୍ଟ କରୁଛି ତ ଆଉ କିଏ ନିଜ ଦଳବଳ ନେଇ ମଇଦାନରେ ଲଢ଼େଇ ପାଇଁ ଅଣ୍ଟା ଭିଡ଼ୁଛି। କ୍ୟାମ୍ପସରେ ଏକପ୍ରକାର ନିର୍ବାଚନୀ ବାତାବରଣ ସୃଷ୍ଟି ହୋଇଛି। ଗତବର୍ଷ ପରି ଏଥର ମଧ୍ୟ ଯୁକ୍ତ ୨ କଲେଜରେ ନିର୍ବାଚନ ହେବନି। ତେଣୁ ଯୁକ୍ତ ୩ କଲେଜ ଏବଂ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ନିର୍ବାଚନ ହେବ। ତାହାକୁ ଦୃଷ୍ଟିରେ ରଖି ନୂଆ କରି ନାମ ଲେଖାଇଥିବା ଯୁକ୍ତ ୩ ପ୍ରଥମ ବର୍ଷ ଓ ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ଲାଗି ପଡ଼ିଛନ୍ତି ଛାତ୍ରନେତା। ନିଜ ନିଜ ତରିକାରେ ପ୍ରଚାର ଆରମ୍ଭ କରିଛନ୍ତି। ଚଳିତବର୍ଷର ଭୁବନେଶ୍ୱରର ବିଭିନ୍ନ କ୍ୟାମ୍ପସରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବା ନେଇ ଏବେଠାରୁ ବାସ୍ନା ବାରି ହୋଇପଡ଼ିଲାଣି। ଗତବର୍ଷ ଅଧିକାଂଶ କ୍ୟାମ୍ପସରେ ପ୍ରାର୍ଥୀ ଦେଇ ପାରି ନ ଥିବା ଛାତ୍ର କଂଗ୍ରେସ ଏଥର ଆଗୁଆ ରଣନୀତି ପ୍ରସ୍ତୁତ କରୁଛି। ବିଭିନ୍ନ କ୍ୟାମ୍ପସରେ ନିଜ ସଙ୍ଗଠନକୁ ସଜାଡ଼ିବାରେ ଲାଗିଛି। ପୂର୍ବତନ ଛାତ୍ରନେତା ପୁଣିଥରେ ସକ୍ରିୟ ହୋଇଉଠିଛନ୍ତି। ଛାତ୍ର ବିଜେଡି ମଧ୍ୟ ପଛରେ ପଡ଼ିନି। ଦୁର୍ବଳ ଥିବା କ୍ୟାମ୍ପସରେ ଏବେଠାରୁ ନିଜର ଘର ସଜାଡ଼ିବା ଆରମ୍ଭ କରିଛି। ଗତବର୍ଷ ସହରର ପ୍ରମୁଖ କ୍ୟାମ୍ପସରେ ଛାତ୍ର ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ବିରୋଧରେ ପ୍ରାର୍ଥୀ ଦେଇଥିବା ତଥା ଯୁବ ବିଜେପି ସମର୍ଥନରେ ମଇଦାନକୁ ଓହ୍ଲାଇଥିବା କେତେଜଣ ଛାତ୍ରନେତା ଏଥର ଛାତ୍ର ବିଜେଡିକୁ ଫେରିଛନ୍ତି। ଆଗାମୀ ଦିନରେ ଛାତ୍ରନେତାଙ୍କ ସଙ୍ଗଠନ ଡିଆଁ ଅଧିକ ହେବ ବୋଲି ଜଣାପଡ଼ିଲାଣି। ବିଜେବି ସ୍ୱୟଂଶାସିତ କଲେଜରେ ଛାତ୍ର ବିଜେଡି ଏଥର ପୁଣିଥରେ ନିଜର ପତିଆରା ଜାହିର କରୁଥିବା ଜଣାପଡ଼ିଛି। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଏବିଭିପିର ମଙ୍ଗ ଧରୁଥିବା ଛାତ୍ରନେତା ମୁହଁ ଖୋଲୁନାହାନ୍ତି। ଛାତ୍ରନେତାଙ୍କ ମଙ୍ଗୁଆଳ ଏଥର ନିର୍ବାଚନରେ ଭାଗ ନ ନେବାକୁ ସୋସିଆଲ ମିଡ଼ିଆରେ ସ୍ପଷ୍ଟ କରିଛନ୍ତି। ଏହାରି ଭିତରେ ଆଉ କିଛି କ୍ୟାମ୍ପସରେ ଛାତ୍ର ବିଜେଡିରେ ଅସନ୍ତୁଷ୍ଟ ପରିଲକ୍ଷିତ ହେଉଛି। ପୂର୍ବରୁ ମଙ୍ଗ ଧରିଥିବା ଛାତ୍ରନେତାଙ୍କୁ ବର୍ତମାନର ଛାତ୍ରନେତା ଗ୍ରହଣ କରିପାରୁ ନାହାନ୍ତି। ଏହାକୁ ନେଇ ସମସ୍ୟା ସୃଷ୍ଟି ହୋଇଥିବାରୁ ଆଗାମୀ ଦିଗରେ ସଙ୍ଗଠନ ଡିଆଁ ବଢ଼ିବ ବୋଲି ଚର୍ଚ୍ଚା ଚାଲିଛି।

ସମ୍ବନ୍ଧିତ ଖବର